ଅଚଳାୟତନ

 

 

 

 

 

 

 

 

 

 

 

 

ଅଚଳାୟତନ

ସୁରେନ୍ଦ୍ର ମହାନ୍ତି

 

ଅଧୁନା ବିଲୁପ୍ତ, ମାନସିକ ‘‘ନବରବି’’ ପତ୍ରିକାର ପୃଷ୍ଠପୋଷକ ୰ ପାତିରାମ ପରିଜାଙ୍କ ସର୍ନିବନ୍ଧ ଅନୁରୋଧରେ ଏହାର ପୂଜା ସଂଖ୍ୟା ମାନଙ୍କରେ ପ୍ରତିବର୍ଷ ମୁଁ ଲେଖିଥାଏ ଉପନ୍ୟାସ । ସାହିତ୍ୟ ସହିତ ପାତିରାମ ବାବୁଙ୍କର ସମ୍ପର୍କ ନଥିଲା–ମାତ୍ର ତାଙ୍କର ପ୍ରଚଣ୍ଡ ଅଭିଳାଷ ଥିଲା ‘‘ନବରବି’’କୁ ଉଚ୍ଚକୋଟୀର ଏକ ସାହିତ୍ୟ–ପତ୍ରିକାରେ ପରିଣତ କରିବା ପାଇଁ । ‘‘ଅଚଳାୟତନ’’ ତାଙ୍କରି ଅନୁରୋଧର ଅନ୍ୟ ଏକ ଫଳଶ୍ରୁତି । ପରେ ଅବଶ୍ୟ ଏହା ସାମାନ୍ୟ ପରିମାର୍ଜିତ, ପରିବର୍ଦ୍ଧିତ ହୋଇଅଛି । ଆଜି ଏହା ପୁସ୍ତାକାକାରରେ ପ୍ରକାଶ କଲାବେଳେ, ମୁଁ ସେହି କର୍ମଯୋଗୀଙ୍କୁ ସ୍ମରଣ କରୁଅଛି ।

 

‘‘ଅଚଳାୟତନ’’ ଉପନ୍ୟାସର ନାଟ୍ୟରୂପ ଇତି ମଧ୍ୟରେ, ଓଡ଼ିଶାର କେତେକ ସୌଖୀନ ନାଟ୍ୟ–ସଂସ୍ଥା ଲକ୍ଷ୍ନୌଠାରେ ଅର୍ନ୍ତ ଭାରତୀୟ ନାଟକ ପ୍ରତିଯୋଗିତାରେ ଏହାକୁ ମଞ୍ଚସ୍ଥ କରି ସର୍ବୋତ୍କୃଷ୍ଟ ବିବେଚିତ ହୋଇଥିଲେ । ସେମାନଙ୍କ ଉଦ୍ୟମ ପ୍ରତି ସାଧୂବାଦ ଜ୍ଞାପନ କରୁଅଛି ।

 

‘‘ଅଚଳାୟତନ’’–ଯୁଗ ସଂଘର୍ଷର ଏକ ପ୍ରତୀକଧର୍ମୀ ଗଳ୍ପ, ଏହାର ବିଭିନ୍ନ ଚରିତ୍ର, ବାସ୍ତବବାଦର ତୁଳୀରେ ‘‘ଟାଇପ୍‌’’—ଚରିତ୍ର ରୂପେ ଅଙ୍କିତ ହୋଇଥିଲେ ହେଁ, ଏମାନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ଭାବଧାରା ବା ପ୍ରବୃତ୍ତିର ପ୍ରତୀକ । ଦର୍ପନାରାୟଣ—ଏକ ନିଃଶେଷିତ ଯୁଗର ଶେଷ ପ୍ରତିନିଧି ! ସେ ବୁଝିଛନ୍ତି, ମୂଲ୍ୟବୋଧ କିନ୍ତୁ ମୂଲ୍ୟର ନୁହେ । ଟିକୀ, ଡୋରୋଥୀ ଏପରିକି ଋତୂପର୍ଣା, ଏମାନ୍ତେ ବୁଝନ୍ତି ସବୁ କଥାର ମୂଲ୍ୟ, କିନ୍ତୁ କୌଣସିଥିର ମୂଲ୍ୟବୋଧ ନୁହେଁ । ‘‘ଅଚଳାୟତନ’’ର ସଂଘର୍ଷ, ମୂଲ୍ୟବୋଧ ଓ ମୂଲ୍ୟ ମଧ୍ୟରେ ।

 

ଦର୍ପନାରାୟଣ, ନିଶ୍ଚୟ ଏକ ପର୍ଯ୍ୟୁଷିତ ପରମ୍ପରାର ଅନ୍ଧ ଉପାସକ ! କିନ୍ତୁ ଟିକୀ, ଡୋରୋଥୀ ବା କଣ ? ସେମାନେ ନୂତନ ପରମ୍ପରାର ଦ୍ରଷ୍ଟା ବା ସ୍ରଷ୍ଟା ନୁହନ୍ତି । ଏକ ଅନାଗତ ଭ୍ରୂଣକୁ ସେମାନେ ଗ୍ରହଣ କରି ନେଇଛନ୍ତି, ନୂତନ ସଂସ୍କୃତି ରୂପେ ! କିନ୍ତୁ ଇଏ ତ ସଂସ୍କୃତି ନୁହେଁ–ଇଏ କାଞ୍ଚନସର୍ବସ୍ୱ ଏକ ଅପସଂସ୍କୃତି !

 

ପରମ୍ପରାକୁ ବାଦ୍ ଦେଇ ପ୍ରଗତି ସମ୍ଭବ ନୁହେଁ । ଏହା ପୁଣି, ଇତିହାସରେ ଅଭିବ୍ୟକ୍ତିର ଧାରା ମଧ୍ୟ ନୁହେଁ । ସେହିପରି କାଳର ପରିବର୍ତ୍ତିତ ସ୍ୱରୂପକୁ ନ ଚିହ୍ନି, ପରମ୍ପରାକୁ ଯଖ ପରି ଆଗୋଳି ବସିବା ମଧ୍ୟ ଏକ ନିର୍ବୋଧ ପ୍ରୟାସ ।

 

‘‘ଅଚଳାୟତନ’’ ସେହି ଟ୍ରାଜେଡ଼ୀର ଚିତ୍ର ।

 

ନେତ୍ରୋତ୍ସବ

 

ତା ୨–୭–୮୧ ରିଖ,

 

ଶିବାନୀ

ସୁରେନ୍ଦ୍ର ମହାନ୍ତି

କଟକ–୮

 

Image

 

‘‘ରାଜବାଟୀ’’...ଆଜି ସୁଦ୍ଧା ସେହି ନାଟା ଲୋକମୁଖରେ ରହି ଯାଇଛି; ଯଦ୍ୟପି, ସ୍ୱାଧୀନତା ପରେ, ପଞ୍ଚବାର୍ଷିକ ଯୋଜନା ମାନଙ୍କର ପ୍ରସାଦରେ, ସେଇ ଛୋଟ ସହରରେ ମୁଣ୍ଡ ଟେକି ଉଠିଲାଣି ଦୁଇ ନମ୍ୱର–ହିସାବବାଲା–ମାନଙ୍କର ବହୁ ମର୍ମର ପ୍ରାସାଦ ! ରାଜବାଟୀ ଠାରୁ ଅଳ୍ପ ଦୂରରେ ଭୂତପୂର୍ବ ମନ୍ତ୍ରୀଜି ଯେଉଁ ଦ୍ୱିତଳ ପ୍ରାସାଦଟି ତିଆରି କରିଛନ୍ତି–ତାର ବାଥ୍‌ରୁମ୍ ମାନଙ୍କରେ ଇଟାଲିଆନ୍ ମାର୍ବଲ୍–ତା ତୁଳନାରେ ‘ରାଜବାଟୀ’ ଟା ତ ଗୋଟାଏ ଅସ୍ତାବଲ୍ ! ତଥାପି ସେଇ ‘‘ରାଜବାଟୀ’’ ଟାଇ ରହି ଆସିଛି, ଏଇ ସହରରେ ଲାଣ୍ଡ୍‍ମାର୍କ । ସାଧାରଣ ରିକ୍‌ସାବାଲା ଠାରୁ ସହରକୁ ବାହାରୁ ଯିବା ଆସିବା କରୁଥିବା, ଯେ କୌଣସି ଲୋକକୁ ସେଇ ଠିକଣା ବତାଇ ଦେଲେ ଯଥେଷ୍ଟ...ରାଜବାଟୀ ପାଖରୁ ବା ହାତି, ନୋହିଲେ ଡାହାଣହାତି ଉତ୍ତରକୁ, ନୋହିଲେ ଦକ୍ଷିଣକୁ । ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବା ପହଞ୍ଚାଇବାପାଇଁ କାହାର ଅସୁବିଧା ହୁଏ ନାହିଁ !

 

‘‘ରାଜବାଟୀ’’ର ସେ ପୁରୁଣା ଜଲୁସ୍‌ ଆଜି ଅବଶ୍ୟ ନାହିଁ ।

 

ସାମ୍‌ନାର ସୁବିସ୍ତୀର୍ଣ ଲନ୍‌ ଏକଦା ଥିଲା ସବୁଜ ଭେଲ୍ ଭେଟ୍‌ର ଗାଲିଚା । ମାତ୍ର ଅରମା ଭୁତିଆରୀ ଆଉ ଅଗଛା ତାକୁ ଅଧେ ଗ୍ରାସ କରିଗଲାଣି । ତାରି ମଝିରେ, ଦୁଇ ପାଖରେ ଦୁଇଟା ଶୁଖିଲା ଫୋୟାରା ମଝିରେ ଦୁଇଟା ମାର୍ବଲ୍‌ର ଭେନସ୍‌ ଓ ଆପୋଲୋ ମୂର୍ତ୍ତି...କେଉଁ ଇଟାଲୀୟାନ୍‌ ସ୍ଥପତିର କିର୍ତ୍ତୀ ! ତାର ରକ୍ଷଣାବେକ୍ଷଣ ପାଇଁ ସମ୍ୱଳ କାହିଁ ? ଧାଡ଼ି ଧାଡ଼ି ପାମ୍ ଗଛରୁ କେତେଟା ଉପୁଡ଼ି ପଡ଼ିଲାଣି–ଆଉ କେତେଟା ଜରାଜୀର୍ଣ ! ସେଇ ଅରମା ଭିତରୁ ଯେଉଁ ପୁରୁଣା ଶିଉଳୀବସା ଦୋତାଲା କୋଠା ଗୁଡ଼ାକ ରାସ୍ତାକୁ ଦେଖାଯାଏ...ଲୋକମୁଖରେ, ତାହାଇ ରାଜବାଟୀ ! ଉପର ମହଲା ଗୁଡ଼ାକ ପ୍ରାୟ ସବୁବେଳେ ବନ୍ଦ ! ବାରନ୍ଦା ଖିଲାଣର ପାନିଆରୀ ସବୁ ସ୍ଥାନେ ସ୍ଥାନେ ଅକ୍ଷତ, ଅନେକ ଜାଗାରେ ଖସି ପଡ଼ିଲାଣି । କାଳର ହିଂସ୍ର ଦନ୍ତାଘାତରେ କ୍ଷତ ବିକ୍ଷତ ।

 

ରାଜବାଟୀ ଗୋଟାଏ ଧ୍ୱଂସାବଶେଷ ! ତଥାପି ଚେରମାଡ଼ି ରହିଛି ।

 

କିନ୍ତୁ ସିଟୀ–ଇମ୍ପ୍ରୁଭ୍‌ମେଣ୍ଟ୍‌–ଟ୍ରଷ୍ଟ୍ ସହରକୁ ପରିଶୋଭିତ କରିବାପାଇଁ ଯେଉଁ ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି—ସେଥିରେ ଏଇ ଧ୍ୱଂସାବଶେଷର ଦିନ ପ୍ରାୟ ନିଃଶେଷିତ ! ଭୂତପୂର୍ବ ମନ୍ତ୍ରୀଜି, ନଗର–ଉନ୍ନୟନ ବିଭାଗ ଦାୟିତ୍ୱରେ ଥିବା ବେଳେ, ତାଙ୍କ କୋଠୀ ସାମ୍‌ନା ଦେଇ ଗୋଟାଏ ପ୍ରଶସ୍ତ ରିଙ୍ଗ୍‌–ରୋଡ଼୍‌ର ଯୋଜନା କରି ଯାଇଥିଲେ । ‘‘ରାଜବାଟୀ’’ ଟା ପଡ଼ୁଥିଲା, ରୋଡ଼୍ ମଝିରେ । ସିଟୀ–ଇମ୍ପ୍ରୁଭ୍‌ମେଣ୍ଟ–ଟ୍ରଷ୍ଟ୍‌ ରାଜବାଟୀରୁ ଅଧେ ଆକ୍ୱାୟାର୍ କରିବା ପାଇଁ ଆରମ୍ଭ କରିଛନ୍ତି ଆକ୍ୱିଜିସନ୍ ପ୍ରୋସିଡ଼ିଙ୍ଗସ୍‌ !

 

ଅରବାନ୍–ଲାଣ୍ଡ୍–ସିଲିଙ୍ଗ୍–ଆକଟ୍‌ ଜାରୀ ହେବା ପରେ, ରାଜବାଟୀର ୩୦ ଏକର ପରିସର ଉପରେ ମଧ୍ୟ ଝୁଲିଲାଣି ସିଲିଙ୍ଗ୍‍ର ପର୍‌ଓ୍ୱାନା ।

 

ତଥାପି ରୁଦ୍ରମାଧବ ଏଇ ଧ୍ୱଂସାବଶେଷକୁ କାମୁଡ଼ି ପଡ଼ି ରହିଛନ୍ତି ଏକ ଅଚଳାୟତନ ପରି !

 

କାଳ କିନ୍ତୁ ପଦେ ପଦେ ଆଗେଇ ଆସୁଛି—ସେହି ଅଚଳାୟତନକୁ ଗ୍ରାସ କରିବା ପାଇଁ-!

 

କାଳର ପଦଧ୍ୱନି ଶୁଣିବା ପାଇଁ ରୁଦ୍ରମାଧବ କୁଣ୍ଠିତ । ବଧୀର !

 

‘‘ପବଲିକ୍‌ ଇଣ୍ଟରେଷ୍ଟ୍, ସାଧାରଣ ସ୍ୱାର୍ଥ ଦୃଷ୍ଟିରୁ ସରକାର ଯେ କୌଣସି ସମ୍ପତ୍ତି ଆକ୍ୱାୟାର୍ କରି ପାରନ୍ତି । ଇଏ ହେଲା ଆଇନ । ଏହା ବିରୁଦ୍ଧରେ କେଉଁ ମୋକଦ୍ଦମା ଚଳିବ-?’’ ...ଲା’ ଏଜେଣ୍ଟଙ୍କ ଯୁକ୍ତି; ରୁଦ୍ରମାଧବଙ୍କୁ ଅଯଥା ମୋକଦ୍ଦମା ଚଳାଇବା ଦାୟରୁ ମୁକ୍ତ ରଖିବା ପାଇଁ ! କିନ୍ତୁ ରୁଦ୍ରମାଧବ ଏ ଦୁଗ୍‌ଧପୋଷ୍ୟ ଯୁକ୍ତି ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି ।

 

‘‘ମନ୍ତ୍ରୀଙ୍କ କୋଠୀ ଆଗରେ ଗୋଟାଏ ରାସ୍ତା ଯିବ; ଏଇଟା କୋଉ ସାଧାରଣ ସ୍ୱାର୍ଥ ? ସେ ସବୁ ବାଜେ ଯୁକ୍ତି ଶୁଣିବା ପାଇଁ ଚାହେଁ ନାଁ ମୁଁ ! ରାଜବାଟୀ ହତା ଆକ୍ୱାୟାର୍ ହୋଇ ପାରିବ ନାହିଁ !’’ ...ରୁଦ୍ରମାଧବ, ଶେଷ ସିଦ୍ଧାନ୍ତ ଶୁଣାଇ ଦେଲେ, ହୁକାରୁ କଳେ ଧୂଆଁ ଶୋଷି ! ତାପରେ ବାଘୁଆ ନିଶ ଦୁଇପଟ ଉପରେ ହାତ ସାଉଁଳିଲେ, ସେହି ସିଦ୍ଧାନ୍ତକୁ ଯେପରି ରେଖାଙ୍କିତ କରିଦେବା ପାଇଁ !

 

‘‘କିନ୍ତୁ ଆଡ଼ଭୋକେଟ୍ ଜେନେରାଲ୍’’...ଲ’ ଏଜେଣ୍ଟଙ୍କ କଥାଟା ଅପୂର୍ଣ୍ଣ ରହିଗଲା ।

 

‘‘ଆଡ଼ଭୋକେଟ୍‌ ଜେନେରାଲ୍‌ ତ ନିଶ୍ଚୟ ବିରୋଧ କରିବେ । ସେଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ଆମ ଓକୀଲ ଯଦି ପାରୁ ନାହାନ୍ତି; ତାହେଲେ କଲିକତାରେ ଆମ ସଲିସିଟର୍‌ ଫାର୍ମ ପାଖକୁ ତାର ପଠାଅ !’’

 

କଚେରୀ ମାନଙ୍କରେ ଗଣ୍ଡା ଗଣ୍ଡା ମୋକଦ୍ଦମା–ଓକୀଲମାନଙ୍କ ଫିଜ୍ ଦେବାକୁ ଟଙ୍କା ନାହିଁ ! ସେଥିରେ କଲିକତାର ସଲିସିଟର୍‌ ଫାର୍ମ ! ଦର୍ଶନୀ ପାଇଁ ପ୍ରଥମେ ହଜାରେ ଏକ ଟଙ୍କା ! ଟଙ୍କା କଥାତ ଚିନ୍ତା କରୁନାହାନ୍ତି, ରୁଦ୍ରମାଧବ ! କେବଳ ଗୋଟାଏ ଅସ୍ୱାଭାବିକ ଜିଦ୍‌ । କାନମୁଣ୍ଡ ଅସହାୟ ଭାବରେ କୁଣ୍ଡାଇ ହେବା ବ୍ୟତୀତ ଲ’ ଏଜେଣ୍ଟ୍ ଆଉ କରନ୍ତେ ବା କଣ ?

 

ରୁଦ୍ରମାଧବ ହୁକାଧୂଆଁର କୁଣ୍ଡଳୀ ଭିତରେ କହିଲେ...‘‘ଟଙ୍କା ପାଇଁ ଚିନ୍ତା ନାହିଁ ! ଜେମାକୁ ତେଲହଳଦୀ ଜମି ଦେବା ପାଇଁ ଆମର ଯେଉଁ ସୁନାମୁଦୀ ଚକଟା ଥିଲା, ସେ’ ଟାକୁ ବିକ୍ରୀ କରିଦିଅ ! ୧୨ ଏକର ଜମି... କମ୍‌ସେ କମ୍ ଜରସମନ ଯାହା, ଷାଠିଏ ହଜାର ତ ଏମିତି ମିଳିଯିବ ! ସୁପ୍ରୀମ୍ କୋର୍ଟ୍ ପର୍ଯ୍ୟନ୍ତ ସୁଦ୍ଧା ମୁଁ ଯିବା ପାଇଁ ତିଆର୍ !

 

ଲ’ ଏଜେଣ୍ଟ ଜାଣନ୍ତି ରୁଦ୍ରମାଧବଙ୍କ ଜିଦ୍ ! ଯୁକ୍ତି କରି ଲାଭ ନାହିଁ ।

 

ଲ’ ଏଜେଣ୍ଟ୍ ଚାଲିଗଲେ ।

 

ରୁଦ୍ରମାଧବ ଉପର ଲୁହାକଡ଼ୀ ଗୁଡ଼ାକୁ ହୁକାଧୂଆଁର କୁଣ୍ଡଳୀ ଭିତରେ ଚାହିଁ ଭାବିଲେ, କିନ୍ତୁ କାହା ପାଇଁ ସେ ଆଗୋଳି ବସିଛନ୍ତି, ଏଇ ଭୂତକୋଠୀ ? ସୁବୀର ତ କାନାଡ଼ାରେ ପେପ୍‌ର ଟେକ୍ନୋଲଜିଷ୍ଟ୍‌, ସୁଧୀର ଅଷ୍ଟ୍ରେଲିଆରେ, ଇଂଜିନିଅର୍ ! ସେମାନେ ଏ ମାଟିକୁ ଫେରିବେ, କେବେ କେବେ ଟୁରିଷ୍ଟ୍ ପରି, ଉଡ଼ନ୍ତା ଚଢ଼େଇ ! ଏ ଭୂତକୋଠୀରେ ସେମାନଙ୍କର ବା କି ପ୍ରୟୋଜନ ? ଟିକୀ ଯଦି କାନାଡ଼ାରୁ ଆସେ କେବେ, ତା ହେଲେ କେବଳ ତାର ଭାଗ ଆଦାୟ ପାଇଁ ।

 

ରୁଦ୍ରମାଧବ ହଠାତ୍ ଉତ୍ତେଜିତ ହୋଇ ଉଠିଲେ ।

 

ନାଁ ନାଁ–ଏ ଏଷ୍ଟେଟ୍‌ ଭାଗ ହୋଇ ପାରିବ ନାହିଁ ! ତାଙ୍କର ମନେ ପଡ଼ିଗଲା ଭାଗ ପାଇବା ପାଇଁ, ଟିକୀ ଆରମ୍ଭ କରିଛି ପାର୍ଟିସନ୍‌ ସୁଟ୍ ! ମାସରେ କୁଆଡ଼େ କାନାଡ଼ାରେ ରୋଜଗାର କରୁଛି, ଦଶହଜାର ଡଲାର୍ ! ତଥାପି ତାର କାହିଁକି ଲୋଭ ଏଇ ଏଷ୍ଟେଟ୍‌ ଉପରେ ? କାହିଁକି ଚାହେଁ ସେ ଏ ଷ୍ଟେଟ୍‌କୁ ଭାଗ ଭାଗ କରି ବିକ୍ରୀ କରିବା ପାଇଁ ? ଦର୍ପନାରାୟଣ ତାଙ୍କ ସହଜ ବୁଦ୍ଧିରେ ବୁଝି ପାରନ୍ତି ନାହିଁ ! ଇଚ୍ଛା କଲେ ସେ ତ କାନାଡ଼ାରେ କିଣି ପାରନ୍ତା ଏହାଠୁ ବଳି ବଡ଼ ଜମିଦାରୀ ! ଲୋଭ ! ଲୋଭ ! ଆଉରି ଅର୍ଥ ! ଆଉରି ପ୍ରାଚୁର୍ଯ୍ୟ ! କେବଳ ନିଜର ଉପଭୋଗ ପାଇଁ !

 

ରିତା—ଋତୁପର୍ଣା–ମଧ୍ୟ ଦିନକୁ ଦିନ କିପରି ଦୁର୍ବୋଧ୍ୟ, ଜଟୀଳ ହୋଇ ଉଠିଲାଣି ! ତାର ମଙ୍ଗଳକୃତ୍ୟଟା ବଢ଼ିଗଲେ, ଦାୟିତ୍ୱ ଛିଡ଼ନ୍ତା ! ପଳାଶପୁରର ଜମିଦାର ଅହୀନ୍ଦ୍ର ଚୌଧୁରୀ, ତାଙ୍କ ବଡ଼ପୁଅ ମଣୀନ୍ଦ୍ର ସହିତ ବିବାହ ଦେବା ପାଇଁ ଗୋଡ଼ ଟେକି ବସିଛନ୍ତି ! ମଣୀନ୍ଦ୍ର ସହିତ ଋତୁପର୍ଣାର ସାକ୍ଷାତ ପାଇଁ, ଅହୀନ୍ଦ୍ର ତାଙ୍କ କୋଠୀରେ ଥରେ ଗୋଟାଏ ବାର୍ଥ୍‌–ଡ଼େ ପାର୍ଟିର ଆୟୋଜନ କରିଥିଲେ । ରିତା ଯେପରି ପିଆନୋ ବଜାଉଥିଲା, ମଣୀନ୍ଦ୍ର ଯେପରି ତା ଚାରିପଟେ ଘୂର୍‌ ଘୂର୍‌ ହେଉଥିଲା–ରୁଦ୍ରମାଧବ ମନେ ମନେ ଆଶାନ୍ୱିତ ହୋଇ ଉଠିଥିଲେ । କିନ୍ତୁ ସେ ଆଶା କ୍ରମେ ଦୂରେଇ ଦୁରେଇ ଯାଇଛି !

 

ସେଦିନ ରାତିରେ, ଡିନର୍ ପରେ...

 

କଫି କପ୍‌ରେ ଅଳ୍ପ ଅଳ୍ପ ଚୁମ୍ବକ୍ ଦେଇ, ସମୟ ଗଡ଼ାଉଥିଲେ ରୁଦ୍ରମାଧବ ! ଏଇ ନିରୋଳ ପରିବେଶରେ ସେ ରିତାକୁ ପଚାରିଦେବେ, ମଣୀନ୍ଦ୍ର ସହିତ ତାର ବିବାହ ସମ୍ପର୍କରେ ମତାମତ ! କିନ୍ତୁ କଥାଟା କିପରି କେଉଁଆଡ଼ୁ ଆରମ୍ଭ କରିବେ ସେ ବୁଝି ପାରୁ ନଥିଲେ ! ଋତୁପର୍ଣା ମଧ୍ୟ କିପରି ରୁଦ୍ରମାଧବଙ୍କୁ ଏ ପ୍ରସ୍ତାବିତ ବିବାହ ସମ୍ପର୍କରେ ତାର ଅସମ୍ମତି ଜଣାଇବା ସ୍ଥିର କରି ପାରୁ ନଥିଲା । ସେ ନୀରବରେ, ତଳକୁ ମୁଣ୍ଡ ନୁଆଇଁ, ପ୍ଲେଟ୍‍ ଉପରେ ଗୋଟାଏ ଆପଲ୍ କାଟୁଥିଲା, ଉପଯୁକ୍ତ ସୁଯୋଗର ଅପେକ୍ଷାରେ । କିନ୍ତୁ ଆପଲ୍ କଟାରେ ତାର ମନ ନଥିଲା ।

 

ରୁଦ୍ରମାଧବ ହଠାତ୍ ପଚାରିଲେ...‘‘ଅହୀନ୍ଦ୍ରକୁ ତା ହେଲେ କଣ କହିବି ?’’

 

‘‘କୋଉ ବିଷୟରେ ?’’

 

‘‘ମଣୀନ୍ଦ୍ର...’’ ରୁଦ୍ରମାଧବଙ୍କ କଣ୍ଠଟା ଅଟକି ଗଲା ! ଆଃ ! ତାର ମା ବଞ୍ଚିଥିଲେ କଣ ଏସବୁ ଅସ୍ୱସ୍ତିକର ଧନ୍ଦାରେ ପଡ଼ିବା ପାଇଁ ହୁଅନ୍ତା ତାଙ୍କୁ ?

 

ହଲ୍‌ କାନ୍ଥରେ ରାଣୀ ସୁବର୍ଣ୍ଣମଞ୍ଜରୀଙ୍କ ଗୋଟାଏ ଅଏଲ୍ ପେଣ୍ଟିଙ୍ଗ୍ ଆଡ଼େ ଚାହିଁ ଦୀର୍ଘଶ୍ୱାସ ପକାଇଲେ, ରୁଦ୍ରମାଧବ । ଅଏଲ୍‌ ପେଣ୍ଟିଙ୍ଗ୍ ଉପରେ ପରସ୍ତେ ଧୂଳି ଜମିଗଲାଣି !

 

କେତୋଟି ମୁହୂର୍ତ୍ତର ଉତ୍କଣ୍ଠାପୂର୍ଣ୍ଣ ନୀରବତା ।

 

ରିତାର ଖିଲ୍ ଖିଲ୍ ହସ, ଖଣ୍ଡ ଖଣ୍ଡ ଆପଲ୍ କାଟିବା ପରି କାଟିଦେଲା ସେଇ ଘନୀଭୂତ ନୀରବତା । ରୁଦ୍ରମାଧବ ବିସ୍ମିତ ଦୃଷ୍ଟିରେ ଚାହିଁଲେ ରିତା ଆଡ଼େ । ଏଥିରେ ହସିବାର ଅଛି କଣ ?

 

‘‘ଡାଡ଼ୀ, ସେଇ ମଣୀନ୍ଦ୍ର ! ପାଉଁରୁଟି ଉପରେ ବଟର୍‌ ବୋଳା ଚେହେରା । ପାନପିକ ବୋଳା ଓଠ । ଅଦ୍ଦିକନାର ଗିଲ୍‌କରା ପଞ୍ଜାବୀ, ଶାନ୍ତିପୁରୀ ଧୋତି, ଚାଦରଟା ମଣୀନ୍ଦ୍ର ଭୁଲ୍‌ରେ ଛାଡ଼ି ଦେଇ ଆସିଥିଲେ ବୋଧହୁଏ । ମୋତେ ରକ୍ଷାକର ଡାଡ଼ୀ । ମୁଁ ପଛେ ମଝିଆଁ କାକାଙ୍କ ସେବାଶ୍ରମରେ ରହି ଦେଶସେବା କରିବି–କିନ୍ତୁ ତମ ପଲାଶପୁର ମଣୀନ୍ଦ୍ର ଚୌଧୁରୀ ସହିତ ବିବାହ ନୁହେଁ ।’’

 

କଣ୍ଠରେ ଅଟକି ଗଲା ରୁଦ୍ରମାଧବଙ୍କ ବାକ୍ୟାଘାତ...‘‘ତା ହେଲେ କଣ ସେଇ ଅଜ୍ଞାତକୁଳଶୀଳ, ଲମ୍ୱାକଲୀବାଲା ଟୋକା–ସହିତ ? ତାର ବଂଶ ମର୍ଯ୍ୟାଦା କଣ ?’’

 

ରୁଦ୍ରମାଧବ ଅଧାପିଆ କଫି କପ୍‌ଟା ଟେବୁଲ୍ ଉପରେ ଛାଡ଼ି ଦେଇ ଉଠି ଆସିଲେ !

 

ଦକ୍ଷିଣସାହାଲାରେ ଡାଇନିଙ୍ଗ୍ ହଲ୍ ମଉ ବୈଠକଖାନାକୁ ଲାଗି ରୁଦ୍ରମାଧବଙ୍କ ଶୋଇବା ଘର । ବାରଣ୍ଡାରେ ଗୋଟାଏ ଆରାମଚୌକୀ ଉପରେ ପଡ଼ି ରୁଦ୍ରମାଧବ ହୁକା ଟାଣି ମନଟାକୁ ହାଲୁକା କରିବା ପାଇଁ ଚେଷ୍ଟା କରୁଥିଲେ ।

 

ଋତୁପର୍ଣା, ଦର୍ପନାରାୟଣଙ୍କ ମନରେ ଆଘାତ ଦେଇଚି ବୋଧହୁଏ । ମନେ ମନେ ସେ ନିଜକୁ ଅପରାଧୀ ଭାବୁଥିଲା । ମଣୀନ୍ଦ୍ର ସମ୍ପର୍କରେ ଏପରି ଅଶୋଭନୀୟ ଟିପ୍ପଣୀ ନକରି ନୀରବ ରହିଥିଲେ, କଣ ବା କ୍ଷତି ହୋଇଥାନ୍ତା ? ବିଶେଷତଃ ଋତୁପର୍ଣା ସମ୍ପର୍କରେ ଅହୀନ୍ଦ୍ରଙ୍କୁ ଏକ ପ୍ରକାର କଥା ଦେଇ ସାରିଛନ୍ତି ରୁଦ୍ରମାଧବ !

 

ରୁଦ୍ରମାଧବଙ୍କ ଆରାମ ଚୌକୀ ବାଡ଼ା ଉପରେ ବସି ପଡ଼ି, ଋତୁପର୍ଣା ରୁଦ୍ରମାଧବଙ୍କ ମୁଣ୍ଡବାଳ ଭିତରେ ତାର ଲମ୍ୱା ଆଙ୍ଗୁଳି ଗୁଡ଼ାକ ବୁଲାଇ କହିଲା...‘‘ଡାଡ଼ୀ, ତମେ ମିଛରେ ଗୁଡ଼ାଏ ପ୍ରବଲେମ୍ ସୃଷ୍ଟି କରି, ସେଥିରେ କାହିଁକି ଘାଣ୍ଟି ହୁଅ, ମୁଁ ବୁଝିପାରେନାଁ ! ଟିକୀ ଭାଇ ତ କାନାଡ଼ାରେ । ଟିକା ଭାଇ ଅଷ୍ଟ୍ରେଲିଆରେ । ମଝିଆଁ କାକା ସେବାଶ୍ରମ ନେଇ ବ୍ୟସ୍ତ । ସାନକାକା ବେଶ୍ ଆରାମ୍‌ରେ କଞ୍ଚନଗଡ଼ରେ ଅଛନ୍ତି ବନ୍‌ଶୀ ଖେଳ ଆଉ ପଶାପାଲି ନେଇ । ତମେ ଇଚ୍ଛା କଲେ ଏ ରାଜବାଟୀ ବିକ୍ରୀ କରି ଦେଇ, ସମୁଦ୍ରକୂଳରେ ତିଆରି କରି ପାରନ୍ତ ଗୋଟାଏ ସୁନ୍ଦର କୋଠୀ । ସେଠି ରହିପାରନ୍ତ ଆରାମରେ, ନିଶ୍ଚିନ୍ତରେ ! ତମର ଅଭାବ କଣ ?’’

 

ବେଳେ ବେଳେ ରୁଦ୍ରମାଧବ, ସେପରି ଚିନ୍ତା ଯେ କରି ନାହାନ୍ତି, ନୁହେଁ ! କିନ୍ତୁ ଇଷ୍ଟଦେବତା ଲକ୍ଷ୍ମୀନାରାୟଣଙ୍କୁ, ପୀଠଚ୍ୟୁତ କରି ସେ ନେବେ କୁଆଡ଼େ ? ଏ ସମଗ୍ର ଏଷ୍ଟେଟ୍ ଟା ଯେ ଲକ୍ଷ୍ମୀନାରାୟଣଙ୍କର ! ସେ କେବଳ ତାର ମାର୍ଫତଦାର ସିନା !

 

‘‘ଆଉ ଲକ୍ଷ୍ମୀନାରାୟଣ ?’’

 

ଋତୁପର୍ଣା ଖିଲ୍ ଖିଲ୍ ହସି ଉଠିଲା ! ‘‘ଲକ୍ଷ୍ମୀନାରାୟଣ ଠାକୁର, ଗୋଟାଏ ସମସ୍ୟା ? ଡାଡ଼ୀ ୟୁ ଆର୍ ଇମ୍ପସିବଲ୍ । ଗୁଡ଼ ନାଇଟ୍ !’’

 

ଋତୁପର୍ଣା ଚାଲିଗଲା । କିନ୍ତୁ ପଛରେ ରଖିଗଲା ଗୁଡ଼ାଏ ବିନିଦ୍ର ଅସ୍ୱସ୍ତି ?

 

‘‘ସତୀଆ...ଜୁଆଚୋର୍’’–ରୁଦ୍ରମାଧବଙ୍କ କ୍ରୁଦ୍ଧ ବିସ୍ଫୋରଣରେ, ରାଜବାଟୀର ଦକ୍ଷିଣ ସାହାଲା ବୈଠକଖାନା, ଧୂଳି ଧୂସରିତ ପହୁଡ଼ ଭାଙ୍ଗି ଚେଇଁ ଉଠିଲା । ସତୀଆ–ରୁଦ୍ରମାଧବଙ୍କ ଖାସ୍ ବେହେରା—ର କିନ୍ତୁ ସାଡ଼ା ଶଦ୍ଦ ନାହିଁ ! ସତୀଆ ମଧ୍ୟ କିପରି ଇତି ମଧ୍ୟରେ ବଦଳି ଗଲାଣି-। ଆଗେ ସେ ବୈଠକଖାନା ବାରଣ୍ଡାରେ ସାରା ଦିନ ଗୋଟିଏ ଟୁଲ୍ ଉପରେ ବସି ଢୁଳାଉଥିଲା–କାଳେ ହଜୁର୍ ରୁ କେତେବେଳେ ଡ଼ାକ ପଡ଼ିବ । ଡ଼ାକିବା ମାତ୍ରେ ଢୁଳ ଭାଙ୍ଗି, କାନ୍ଧରେ ଚଉତା ଗାମୁଛାଟା ସଜାଡ଼ି, ଧାଇଁ ଆସୁଥିଲା, ହୁକୁମ୍ ତାମିଲ୍ ପାଇଁ ! କିନ୍ତୁ ଏବେ ବେଳେ ବେଳେ ସେ ବସେ ଟୁଲ୍ ଉପରେ, ନୋହିଲେ ଅଧିକାଂଶ ସମୟ ସେ ନିଖୋଜ । କଲିଙ୍ଗ୍–ବେଲ୍ ଚିପି, ଅନେକ ଡକାଡକି ପରେ, ସତୀଆ ଉଙ୍କି ମାରେ, ବୈଠକଖାନା ପର୍ଦ୍ଦ । ଉହାଡ଼ୁ । ତାପରେ ଅକାରଣରେ, ମେହୋଗାନି ଟେବୁଲ୍, ନୋହିଲେ ସୋଫାର କାଠବାଡ଼ା ଉପରେ ଗାମୁଛାଟା ବୁଲାଇ ନେଇ, ବ୍ୟସ୍ତ ବିବ୍ରତ ଭାବରେ ଉତ୍ତର ଦିଏ...‘‘ହଜୁର୍ !’’

 

‘‘ଦେଖୁଚି କଲିଙ୍ଗ୍–ବେଲ୍ ରେ ତୋ ପାଇଁ ଆଉ ଚଳିବ ନାହିଁ । ଏଣିକି ତୋ ପାଇଁ ଦରକାର ବୋଧହୁଏ ଫାୟାର୍ ବ୍ରିଗେଡ଼୍ ଘଣ୍ଟି !’’

 

‘‘ପଲେ ଗୋରୁ ପଶି ଆସିଥିଲେ ହଜୁର୍ । ତଡ଼ୁଥିଲି ସେମାନଙ୍କୁ ।’’ –ନିର୍ଲିପ୍ତ ଭାବରେ ସତୀଆ ଗୋଟାଏ ମିଥ୍ୟା ଚଳାଃକରଣ କରିଗଲା । ଗୋରୁ ପଶିବା, ତା ପକ୍ଷରେ ଗୋଟାଏ ସହଜ, ସୁଲଭ ଅଜୁହାତ୍ !

 

‘‘ତାହେଲେ ନେପାଳୀ ଦରଓ୍ୱାନ୍ କଣ ଖଇନୀ ଦଳୁଚି ?’’ ...ରୁଦ୍ରମାଧବଙ୍କ କଣ୍ଠରେ ବିରକ୍ତି !

 

‘‘ପାଚେରୀରୁ ଶଏ ହାତ କେବେଠୁ ଭୁଷୁଡ଼ି ପଡ଼ିଚି । ମରାମତି ପାଇଁ ଛାମୁଁ କରଣଙ୍କୁ କହି କହି ଶୁଣୁ ନାହାନ୍ତି ! ଦରଓ୍ୱାନ୍ ବିଚାରା କେତେ ସମ୍ଭାଳିବ ?’’

 

ହଁ–ପାଚେରୀଟା ମରାମତି କରିବା ପାଇଁ ପଡ଼ିବ । ମରାମତି କରିବା ପାଇଁ ପଡ଼ିବ ତ ଅନେକ କିଛି ! କିନ୍ତୁ...

 

ଆଜି କିନ୍ତୁ କଲିଙ୍ଗ୍–ବେଲ୍ ଯେତେ ଚିପିଲେ, ଚିତ୍କାର କରି ଯେତେ ଡାକିଲେ ସତୀଆର ଦର୍ଶନ ନାହିଁ !

 

‘‘ସତୀଆ...’’

 

ରୁଦ୍ରମାଧବଙ୍କ କ୍ରୁଦ୍ଧ ବିସ୍ଫୋରଣର ପ୍ରତିଧ୍ୱନି ମିଳାଇଗଲା, ବାଘମୁଣ୍ଡର କୀଟଦଂଷ୍ଟ ଟ୍ୟାକ୍‌ସୀଡ଼ର୍ମୀ, ହାତୀଦାନ୍ତ ବ୍ରାକେଟ୍‌ରେ ଶିଖାଛଡ଼ା ଗୋଟିଏ ଗୋଲ ଅଇନା, ପୁରୁଣା ବହି ଆଲମାରୀ ଓ କାନ୍ଥରେ ଗୁଡ଼ାଏ ପୁରୁଣା ଅଏଲ୍–ପେଣ୍ଟିଙ୍ଗ୍‍ର ଅବିନ୍ୟସ୍ତ ଜଂଜାଳ ଭିତରେ । ବାରନ୍ଦା ଜର୍ଣ୍ଣିସ୍‌ରୁ କେତେଟା ପାରା ବାହାରକୁ ଫଡ଼୍ ଫଡ଼୍ ଉଡ଼ି ପଳାଇଲେ ।

 

ହୁକା ପାଇଁ ଅପେକ୍ଷା କରି କରି ରୁଦ୍ରମାଧବଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା ।

 

ପର ମୁହୂର୍ତ୍ତରେ କିନ୍ତୁ ରୁଦ୍ରମାଧବଙ୍କ ସ୍ମରଣ ହେଲା, ଚାକ୍‌ରାନ୍ ଜାଗିରୀ ଜମି, ସରକାରୀ ଆଇନ ବଳରେ, ସତୀଆ ନାଁରେ ପଟ୍ଟା ହେବା ପର ଠାରୁ, ସତୀଆର ଗୁଣାତ୍ମକ ପରିବର୍ତ୍ତନ ଘଟିଛି । ବଂଶ ପରମ୍ପରା କ୍ରମେ, ସେ ଆଉ ହଜୁର୍‌ଙ୍କ ସଦର ବେହେରା ନୁହେଁ । ସେ ଏବେ ଆଜାଦ୍, ସ୍ୱାଧୀନ ନାଗରିକ, ଭୋଟର–ଲିଷ୍ଟରେ ତାର ଜୟପତ୍ରର ସ୍ୱାକ୍ଷର ! ଭୋଟପ୍ରାର୍ଥୀ ମାନେ, ପ୍ରଥମେ ଦୁଇହାତ ଜୋଡ଼ି ତାକୁ ନମସ୍କାର ନ କରିବା ପର୍ଯ୍ୟନ୍ତ, ସେ ସେମାନଙ୍କ ପ୍ରତି ଦୃକ୍‌ପାତ ସୁଦ୍ଧା କରେ ନାହିଁ ! ଦର୍ଶନୀ ବି ମିଳୁଛି ଥରେ ଥରେ, ପଞ୍ଚାୟତ ନିର୍ବାଚନ ଠାରୁ’ ପାର୍ଲିଆମେଣ୍ଟ ନିର୍ବାଚନ ପର୍ଯ୍ୟନ୍ତ । ଗତ ନିର୍ବାଚନରେ ଏମ୍‌. ଏଲ୍. ଏ, ବାବୁ ତାକୁ ନିଜ ଜୀପ୍‌ରେ ସୁଦ୍ଧା ବସାଇ ବୁଲାଇ ଥିଲେ, କେତେ ଖଣ୍ଡ ଗାଁ !

 

ସତୀଆ କିନ୍ତୁ ରାଜବାଟୀରେ ଚାକିରୀ ଖଟି ଖଟି ଉମର ବିତାଇ ସାରିଲାଣି । ସେଥିପାଇଁ ରାଜବାଟୀର ମୋହ, ସେ ତଥାପି ଛାଡ଼ି ପାରି ନାହିଁ ! ମାସକୁ ଦଶଟଙ୍କା ଦରମା—କୋଉ ସାବକ ଅମଳରୁ ରହି ଆସିଚି–ତାଛଡ଼ା ହାତ ସଫେଇରୁ ଦି ପଇସା ଉପାର୍ଜନର ଲୋଭଟା ମଧ୍ୟ ଛାଡ଼ିବା କଠିନ ! ହଜୁରଙ୍କ ବୋଲ ହାକ ଶୁଣିବା ପାଇଁ, ଟହଲ ଟୁକର୍ କରିବା ପାଇଁ, ସେ ଏଠାରେ ତଥାପି ଠାକି ଯାଇଛି !

 

କିନ୍ତୁ ରୁଦ୍ରମାଧବଙ୍କ ସ୍ମରଣ ନଥିଲା–ଗତ ତିନି ଚାରି ଦିନ ହେବ ସତୀଆ ଯାଇଛି ଗାଁକୁ-!

 

ସେଦିନ ରାତିରେ ହୁକାନଳୀଟା ରୁଦ୍ରମାଧବଙ୍କ ହାତକୁ ବଢାଇ ଦେଇ, ସତୀଆ ସିଧା ସିଧା ସରପଟ୍–ପ୍ରଥମେ ଗୋଟାଏ ବିଶିଷ୍ଟ ଭଙ୍ଗୀରେ ନାକକୁଣ୍ଡାଇ, ଖୁଁ ଖାଁ ହୋଇ ଗଳା ସଫା ନକରି–କହିଲା, ‘‘ମୁଁ ଗାଁକୁ ଯାଉଛି ହଜୁର୍ ।’’

 

ରୁଦ୍ରମାଧବ ନିରୁତ୍ତର । ହୁକା ନିଆଁଟା ଦପ୍ ଦପ୍ ହୋଇ ଉଠିଲା ।

 

ଅନୁମତି ପାଇଁ, ପ୍ରଥମେ ଛାମୁଁକରଣଙ୍କ ଠାରୁ ଆରମ୍ଭ କରି, ହଜୁରଙ୍କ ପର୍ଯ୍ୟନ୍ତ ବିନୀତ ପ୍ରାର୍ଥନା ନାହିଁ...ନିଷ୍ପତ୍ତିର ସ୍ପଷ୍ଟ ଘୋଷଣା ! ପୁଣି ସିଧା ହଜୁର୍‌ଙ୍କ ମୁହଁ ଉପରେ !

 

‘‘କିଏ ତତେ ହୁକୁମ ଦେଲା’’...ହୁଙ୍କାର କଲେ ରୁଦ୍ରମାଧବ ।

 

ହୁକୁମ ଆଉ ଦେବ କିଏ ? ସତୀଆର ହାଡ଼ ଗିଳା ବେକରେ, ତିନିସାରିଆ ତୁଳସୀକଣ୍ଠି ତଳୁ ଘଣ୍ଟିକା ଦୁଇପାଖର ଦୁଇଟା ମୋଟା ନାଡ଼ ଫୁଲି ଉଠିଲା । ଘଣ୍ଟିକାଟାକୁ କେତେ ଥର ତଳ ଓପର କରି, ସେ ଯେପରି ସେଇ କଣ୍ଟକିତ ପ୍ରଶ୍ନଟାକୁ ଗିଳିଦେବା ପାଇଁ ଚାହୁଁଥିଲା । ଯେତେହେଲେ ହଜୁର୍‌ଙ୍କ ଦାନା ପାଣିରେ ସେ ! ମଣିଷ ବନ୍ଧନରୁ ମୁକ୍ତି ପାଇବାଟା ତ ସହଜ ! କିନ୍ତୁ ସେ ମୁକ୍ତିକୁ ରକ୍ଷା କରବାଟା କି କଠିନ । ସତୀଆ କଣ ରୁଦ୍ରମାଧବଙ୍କ ମୁହଁ ଉପରେ ଶୁଣାଇ ଦେଇ ପାରନ୍ତା ନାହିଁ ? କିନ୍ତୁ ପାରୁଛି କୁଆଡ଼ୁ ? ଯୁଗ ଯୁଗର ଅଭ୍ୟାସ ସେଥିରେ ଦେଉଛି ବାଧା !

 

ସତୀଆ ହୁକାରେ ଫୁଙ୍କ ଦେଉଁ ଦେଉଁ, କୈଫିୟତ ଦେଉଥିଲା......‘‘ହାତଚାଷ ଆରମ୍ଭ କଲି ହଜୁର୍ ଭାଗୁଆ ମାନଙ୍କ ଦାଉରେ । ଏ ସନ ପାଗ ଯୋଗ ଅଭାବରୁ ଜମିରେ ଏ ପର୍ଯ୍ୟନ୍ତ ତ ବେଉଷୁଣ ହେଲା ନାହିଁ । ବିଲଯାକ ଘାସ । ଗାଁରୁ ଚିଠି ଆଣିଚି ପୁଅ !’’

 

...କାହାର ଅନୁମତି ପାଇଁ ଆଉ ଦୁଇ ହାତ ମଳି ହେବ ସତୀଆ ? ଇଏତ ମାଟିର ଆମନ୍ତ୍ରଣ ! ସିଏତ ଆଉ ରାଜବାଟୀରେ ସାଆନ୍ତିଆ ଅମଳର ଚାକରାନ୍ ଜାଗିରୀଭାଗୀ ସଦର ବେହେରା ନୁହେଁ ! ସିଏ ଏବେ ଚାଷୀ, ଜମିମାଲିକ...ହେଉ ନାଁ ପଛେ, ସେଇ ଦି’ମାଣ ଜମି ! ଧାନ ତ ଫଳେ ନିକୁଛ ଚାରି ଭରଣ ! ସେଇ ଜମିରେ ଏବେ ଘାସ !

 

ସତୀଆ ଯୋଜନା କରି ସାରିଛି, ଆରବର୍ଷ ଦୁଇପା ଜମିରେ ଟାଇଚଙ୍ଗ କରିବ । ବେଙ୍କ୍ ବାଲା କୁଆଡ଼େ ଋଣ ଦେଉଛନ୍ତି । ହଁ ସୁଝିବ ସତ ! ହେଲେ ପାଇଲା ଧନ ଛାଡ଼େ କିଏ ? ନିକୁଛ କୁଆଡ଼େ ହଜାରେ ଟଙ୍କା ଋଣ ମିଳିବ; ଅବଶ୍ୟ ବାବୁମାନଙ୍କ ହାତ ଚିକ୍କଣରେ ଯିବ କିଛି, ଯାଉ । ଜମିର ଉତ୍ତର ପାଖରେ ଯେଉଁ ଯୋଡ଼ଟା, ମଲା ସାପ ପରି ଦଳୁଆ ହୋଇ ପଡ଼ିଛି, ସେଥିରୁ ତେଣ୍ଡାରେ ପାଣି ବୋହି, ଗାଁରେ ଅନେକେ ଟାଇଚୁଙ୍ଗ୍ କଲେଣି ।

 

ହେଲେ ଜଞ୍ଜାଳ ତ ରାଜବାଟୀରେ ଏଇ ଚାକିରୀ ! ଝକ୍‌ମାରୀ ! ସତୀଆ ଜେର୍‌ରେ ଗୋଟାଏ ଫୁଙ୍କ ଦେଲା । ରାଜବାଟୀର ମୋହ ସତୀଆ ତଥାପି ଛାଡ଼ି ପାରୁ ନାହିଁ, ଯଦିଓ ସେ ବନ୍ଧନମୁକ୍ତ !

 

‘‘ହୁଃ’’...କହି ରୁଦ୍ରମାଧବ ନୀରବ ହୋଇଗଲେ ।

 

ପରିବର୍ତ୍ତିତ କାଳର ସ୍ୱରୂପ, ତାଙ୍କ ଆକ୍ଷି ଆଗରେ ଦପ୍ ଦପ୍ ହୋଇ ଜଳି ଉଠିଲା । ଡିଭାନ୍ ତଳେ, ଠାଏ ଠାଏ ହୁକା ନିଆଁରେ ଜଳା କାର୍ପେଟ ଉପରେ, ଦୁଇ ଆଣ୍ଠୁ ଭାଙ୍ଗି ବସି ରହିଥିଲା ସତୀଆ ଅନାଦି ଦିନର ସେଇ ପୁରୁଣା ଭଙ୍ଗୀ ! ...ଯେପରି ହଜୁରଙ୍କ ମୁହଁରୁ ନୂଆ ହୁକୁମ୍, ସେ ଅପେକ୍ଷା କରିଥିଲା । ମାତ୍ର ସେଥିରେ ଆଶ୍ଚର୍ଯ୍ୟ, ଏକ ଅଲକ୍ଷିତ ପରିବର୍ତ୍ତନ !

 

ଅନ୍ୟଦିନ ହୋଇଥିଲେ, ରୁଦ୍ରମାଧବ ଅଭିଯୋଗ କରିଥାନ୍ତେ–ଅମ୍ୱୁରୀ ତମାଖୁର ଗୁଣଗତ ଅଧୋଗତି ! ଆଗକାର, ବନାରସରୁ ସେ ତମାଖୁବାଲାମାନେ ଆଉ ଆସୁ ନାହାନ୍ତି କାହିଁକି ? ତମାଖୁର ଯୁଗ ଗଲାଣି ! ଏବକାର ତମାଖୁ ଗୁଡ଼ା ଯେପରି ଘଷି ! ନାଁ ଅଛି ଖୁସ୍‌ବୁ ! ନାଁ ଅଛି ସ୍ୱାଦ ! କୁଆଡ଼ୁ ଏ ଗୁଡ଼ା ଆଣୁଛନ୍ତି ଛାମୁକରଣ ?

 

ଆଜି କିନ୍ତୁ ଅନୁଚ୍ଚାରିତ କ୍ରୋଧରେ ରୁଦ୍ରମାଧବ ନୀରବ ! ଏ କ୍ରୋଧ, ଠିକ୍ ସତୀଆ ପ୍ରତି ନୁହେଁ ! ଠିକ୍ ଛାମୁକରଣଙ୍କ ପ୍ରତି ବି ନୁହେଁ । ଏ କ୍ରୋଧ ଏକ ପରିବର୍ତ୍ତତ ପରିବେଶ ପ୍ରତି ! କାନ୍ଥଘଣ୍ଟାରେ ପେଣ୍ଡୁଲମ୍‌ର ଶବ୍ଦ କେବଳ, ବୈଠକଖାନାର ନୀରବତା ଭଙ୍ଗ କରୁଥିଲା ।

 

ହୁକାରୁ କଳେ ଧୂଆଁ ଛାଡ଼ି ରୁଦ୍ରମାଧବ କହିଲେ,‘‘ଶେଷକୁ ତୁ ବି ଚାଲିଲୁ ସତୀଆ !’’

 

ରୁଦ୍ରମାଧବଙ୍କ କଣ୍ଠରେ ନୈରାଶ୍ୟ !

 

‘‘ମୋଟେ ଗୋଟାଏ ମାସ ପାଇଁ ଯାଉଚି ହଜୁର ! କାର୍ତ୍ତିକ ମାସ ବେଳକୁ ଫେରି ଆସିବି-! ସେ ପର୍ଯ୍ୟନ୍ତ ମୋ ପୁଅ ସାଧୁଆକୁ ଛାଡ଼ି ଦେଇ ଯାଉଚି । ହଜୁରଙ୍କ ବୋଲହାକ, ଟହଲ ଟୁକର ବୁଝିବା ପାଇଁ ! ସାଧୁଆ ! ସାଧୁଆ ! କିରେ ଭିତରକୁ ଆସୁନୁ ! ହଜୁର, ଯେତେହେଲେ ମା ବାପ-!’’

 

ପୂର୍ବକଳ୍ପିତ ବ୍ୟବସ୍ଥା ଅନୁସାରେ, ସାଧୁଆ ବୈଠକଖାନା ବାହାରେ ଠିଆ ହୋଇଥିଲା । ‘ହଜୁର’ ‘ମା ବାପ’ ପ୍ରଭୃତି ସମ୍ୱୋଧନ ଶୁଣିବା ବେଳେ ତା ମୁହଁରେ ଫୁଟି ଉଠୁଥିଲା ଭ୍ରୁକୁଟି ! ନିଜ ବାପ ପ୍ରତି ତା ମନରେ ଆସୁଥିଲା ଘୃଣା ଆଉ ଦର୍ପନାରାୟଣଙ୍କ ପ୍ରତି ବିଦ୍ୱେଷ ! ତଥାପି ସେ ସତୀଆ ଡାକରେ, ବୈଠକଖାନା ଭିତରକୁ ଆସି, ମୁଣ୍ଡ ଅଳ୍ପ ଝୁଙ୍କାଇ, ଗୋଟାଏ ଦଣ୍ଡବତ ପକାଇ, ଯଥାସମ୍ଭବ ସନ୍ତର୍ପଣରେ ଠିଆ ହେଲା ପର୍ଦ୍ଦା ପାଖରେ !

 

‘‘ଇଏ କୋଉ ନାଚ ଦଳରେ ଅଛିକିରେ ?’’ —ରୁଦ୍ରମାଧବ ପଚାରିଲେ, ସାଧୁର ହିପୀ ବାଳକୁ ଲକ୍ଷ୍ୟ କରି !

‘‘ନାଇଁ ହଜୁର, ଆଜିକାଲି ଟୋକାଏ ତ ସେମିତି ବାଳ ରଖୁଛନ୍ତି !’’

ରୁଦ୍ରମାଧବ କିଛିଟା ଆଶ୍ୱସ୍ତ ହେଲେ, ସାଧୁ ପାଦରେ ଜୋତା କିମ୍ୱା ଚଟୀ ନ ଥିଲା । ତା ହେଲେ ଲମ୍ୱାବାଳ ସତ୍ତ୍ୱେ ଚଳିବ ! ଦିନକାଳ ଅବଶ୍ୟ ବଦଳି ଗଲାଣି ! ନୋହିଲେ ଦିନ ଥିଲା, ଏଇ ସହରର ବଡ଼ ବଡ଼ ବାବୁ ଭାୟାମାନେ ସୁଦ୍ଧା ଜୋତା ମାଡ଼ି ହଜୁରଙ୍କ ସାମନାକୁ ଆସିବା ପାଇଁ ସଙ୍କୋଚ ବୋଧ କରୁଥିଲେ । ଏବେ ସୁଦ୍ଧା, ରୁଦ୍ରମାଧବ ତାଙ୍କ ବୈଠକଖାନା ଭିତରକୁ କେହି ମଚ ମଚ ଶଦ୍ଦ କରି ଜୋତା ପିନ୍ଧି ଆସିବା ସମ୍ପର୍କରେ ବଡ଼ ସ୍ପର୍ଶ କାତର । ମୁହଁ ଖୋଲି ପ୍ରତିବାଦ କରି ପାରନ୍ତି ନାହିଁ । କିନ୍ତୁ ମନେ ମନେ ବଡ଼ ଅପ୍ରସନ୍ନ ହୋଇ ଉଠନ୍ତି । ସତୀଆ ସେ ବିଷୟରେ ସତର୍କ କରି ଦେଇଥିଲା ସାଧୁଆକୁ...ହଜୁରଙ୍କ ସାମ୍‌ନାରେ ଯେପରି ବେହେଡ଼ାପଣ କିଛି ନ କରୁ !

ରୁଦ୍ରମାଧବ ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁ ଦେଖୁଥିଲେ, ସାଧୁଆର ପୋଷାକ । ଏଇ ପୋଷାକରେ, ଇଏ ରାଜବାଟୀ ଖବର ଅନ୍ତର ବୁଝିବ ?

ସାଧୁଆ ପିନ୍ଧିଥିଲା,—ଯା ହେଉ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଚିତ–ମଫସଲୀ ଦର୍ଜୀସିଆଁ ଗୋଟାଏ ନେଳୀ ବେଲ୍‌ବଟମ୍ ଆଉ ତା ଉପରେ ଫୁଲପକା ଗୋଟାଏ ନାଲୀ ସାର୍ଟ୍ ! ସତୀଆ ପରି ସେ ଆଣ୍ଠୁ ପର୍ଯ୍ୟନ୍ତ ଧୋତି ପିନ୍ଧି, କୁଞ୍ଚ ଭାଙ୍ଗି ନାହି ତଳେ ଖୋଷି ନ ଥିଲା । କିମ୍ୱା ତା କାନ୍ଧରେ ଚଉତା ଗାମୁଛା ନ ଥିଲା ।

ରୁଦ୍ରମାଧବ ପରିହାସବ୍ୟଞ୍ଚିତ କଣ୍ଠରେ ପଚାରିଲେ...‘‘କୋଉଠୁ ଆସିଲେ ଏ ବାବୁ ?’’ ତାଙ୍କର ଦୃଷ୍ଟି ଅପ୍ରସନ୍ନ ଧୋତି ପିନ୍ଧାତ ଉଠିଗଲାଣି ! ସତୀଆ ବୁଝି ପାରୁଥିଲା, ରୁଦ୍ରମାଧବଙ୍କ ଅପ୍ରସନ୍ନତାର ମର୍ମ ! ସାଧୁଆ ଲୁଙ୍ଗୀ ପିନ୍ଧି ସେ ଆସିନାହିଁ, ସେଇ ରକ୍ଷା !

 

‘‘ଗାଁରେ ବସିଚି ଆଜ୍ଞା’’ ସତୀଆ ଉତ୍ତର ଦେଲା ! ‘‘ହଜୁରଙ୍କ ଗଡ଼ ହାଇସ୍କୁଲରେ ଦଶମ ଯାଏ ଟାଣି ଓଟାରି ପଢ଼ିଲା । ସେଉଠୁ ବସିଚି !’’

 

ସୁବିଧା ମିଳିଲେ, ସହରରେ କୌଣସି ସରକାରୀ ଦପ୍ତରରେ ତାକୁ ଚାକିରୀରେ ଢୁକାଇ ଦେବା ସତୀଆର ମତଲପ୍ ! ସେ କଥା କିନ୍ତୁ ସତୀଆ ପ୍ରକାଶ କଲା ନାହିଁ !

 

ଏମ୍: ଏଲ୍ : ଏ: ବାବୁଙ୍କ ପାଖକୁ ସେ ନେଇ ଯାଇଥିଲା, ଚାରି କିଲୋ ଭଳି ଗୋଟାଏ ବଡ଼ ଭାକୁର—ହଜୁରଙ୍କ ପୋଖରୀରୁ ହରଣଚାଳ ହୋଇଥିଲା ସେ ମାଛଟା—କାନ୍ଦିଏ କାଠିଆ କଦଳୀ, ଠେକିଏ ଘିଅ, ସୁପାରିସ୍ ପାଇଁ !

 

ଏମ୍: ଏଲ: ଏ: ବାବୁ ନାକ ସିଟକେଇଲେ ! ମାଛ ତ ପଚୁଛି ! କଦଳୀ କଣ ବିକ୍ରୀ କରିବେ ? ଘିଅ ଖାଇବା ସେ କମାଇଛନ୍ତି, ଡାକ୍ତରୀ ପରାମର୍ଶରେ ! ଏ ଗୁଡ଼ାର କି ମୂଲ୍ୟ ଅଛି ତାଙ୍କ ପାଖରେ ? ତାଙ୍କର ଦରକାର ନଗଦନାରାୟଣ ! ଦର ମଧ୍ୟ ବାନ୍ଧି ଦେଇଚନ୍ତି ସେ । ଫେଆର୍‌–ପ୍ରାଇସ୍‌–ସପ୍‌ରେ ଜିନିଷର ଦର ପରି...ଚପରାଶୀ ଚାକିରୀ ପାଇଁ ପାଞ୍ଚଶହ ଟଙ୍କା ! ପଡ଼ୁ ପାଞ୍ଚ ଶହ ! ମାସକୁ ଦରମା ମିଳିବ ତିନିଶହ ଭଳି ! ସାଧୁଆ ଦୁଇଶହ ପଠାଇଲେ, ବର୍ଷକୁ ଧର ଅଢ଼େଇ ହଜାର–ମାଣେ ଜମି ! ବର୍ଷ ପାଞ୍ଚୁଟାରେ ସତୀଆ ଦାଣ୍ଡରେ ଦୁଇ ହଳ ବଳଦ ବାନ୍ଧିବ !

 

ସତୀଆ ତାର ଏକପଟିଆ ବଳଦଟା ବିକି ତିନିଶହ ଟଙ୍କା ଏମ୍: ଏଲ: ଏ: ବାବୁଙ୍କୁ ନଜରାନା ଦେଇଥିଲା, ପୁଅର ଚାକିରୀ ପାଇଁ ! ସିଏ ଛ’ମାସ ତଳର କଥା ! ସବୁଥର ଏମ: ଏଲ: ଏ: ବାବୁ ଫୋନ୍ ଉଠାନ୍ତି...‘‘ହୋଇଯିବ ! ଚାକିରୀଟା ଖୋଲିଲେ ସିନା ! ଯେବେ ହେଉ ପଛେ ଚାକିରୀ ଖୋଲିବ ତ ! ସତୀଆ ଏ ଛ ମାସ କାଳ ଦଉଡ଼ି ଦଉଡ଼ି ଆଶା ହରାଇ ନାହିଁ !

 

ସତୀଆ ନାପିତ । ତେଣୁ ଓ: ବି: ସି:–ଅଦର ବାକ୍‌ଓ୍ୱାର୍ଡ଼ କ୍ଲାସ–ସରକାରୀ ଚାକିରୀରେ ତାର ଅଗ୍ରାଧିକାର ! ଗାଁ ସରପଞ୍ଚଙ୍କ ଠାରୁ ସତୀଆ ସଂଗ୍ରହ କରିଛି ମଧ୍ୟ ଏ ତଥ୍ୟ ! ହରି ଦାସ, ମାହାନ୍ତି ହୋଇ ପରା କଚେରୀରେ, ମାଳୀ ହୋଇଗଲା; ଓ: ବି: ସି: ହେବା ପାଇଁ । ଗାଁରେ ସେ ଖବର କିଏ ରଖୁଛି ତା ପୁଅକୁ ଚାକିରୀ ମଧ୍ୟ ମିଳିଲା ! ସତୀଆ ତ ଖାଣ୍ଟି ଓ: ବି: ସି: । ସୁନାରେ ସୋହାଗା ।

 

ଏଥର ସତୀଆ କିନ୍ତୁ ଶପଥ କରିଚି–ସାଧୁଆକୁ ଚାକିରୀରେ ନ ଢୁକାଇ, ସିଏ ତାକୁ ଗାଁକୁ ଫେରାଇବ ନାହିଁ । ସାଧୁଆକୁ ବୁଝେଇ ଦେଇଚି–‘‘ ହଜୁରଙ୍କ ଖନ୍ଦାରେ ଦୁଇ ବେଳା ତ ଖାଇବୁ । ଟହଲ ଟୁଲର ଟିକିଏ ବୁଝିଦେଇ, ସବୁବେଳେ ବସି ରହିବୁ ଏମ: ଏଲ: ଏ: ବାବୁଙ୍କ ପିଣ୍ଡାରେ । ଉପରେ ପଡ଼ି ଦୁଇଟା କାମ ବୁଝିଦେବୁ ! ଆଉ ସବୁଦିନେ ମନେ ପକାଇ ଦେଉଥିବୁ ଚାକିରୀ କଥା ! କାର୍ତ୍ତିକ ବେଳକୁ ମୁଁ ଫେରି ଆସିଲେ ଯୋଉ କଥା !’’

 

‘‘ଗଡ଼ରେ ସ୍କୁଲ ବସାଇଥିଲି କଣ, ରାଜବାଟୀରେ ହୁକାନଳୀ ସଜାଇବା ପାଇଁ ?’’ —ରୁଦ୍ରମାଧବ ହୁଙ୍କାର କରି ଉଠିଲେ । ଇଏ ତ ଶିକ୍ଷା ପ୍ରତି ଅପମାନ ନୁହେଁ—ଏ ଅପମାନ ତାଙ୍କ ଉଦ୍ୟମ ପ୍ରତି ! କଞ୍ଚନଗଡ଼ରେ ମିଡ଼ିଲ—ଇଂଲିଶ ସ୍କୁଲଟିଏ ସ୍ଥାପନ କଲାବେଳେ, ଜମିଦାରୀ ଇଲାକାରେ ଶିକ୍ଷାର ବିସ୍ତାର ଥିଲା ତାଙ୍କର ଲକ୍ଷ୍ୟ । ଏଥିପାଇଁ ତାଙ୍କୁ ମିଳିଥିଲା, ସରକାରୀ ଖେତାବ, ରାଜା ବାହାଦୁର । ମିଡ଼ିଲ–ଇଂଲିଶ ସ୍କୁଲ କ୍ରମେ ଆର: ଏମ: ଏସ: ହାଇସ୍କୁଲ, ରାଣୀ ସୁବର୍ଣ୍ଣମଞ୍ଜରୀ ହାଇସ୍କୁଲରେ ପରିଣତ ହେଲା । ଏ ଉଦ୍ୟମକୁ ମଧ୍ୟ ସ୍ୱାଗତ କରିଥିଲେ ରୁଦ୍ରମାଧବ-। ଏଷ୍ଟେଟ୍ ତହବିଲରୁ ମୁକ୍ତ ହସ୍ତରେ ଦାନ କରିଥିଲେ ସ୍କୁଲ ପାଣ୍ଠିକୁ । ସେ ପୁଣି, ମାନେଜିଂ କମିଟୀର ଆଜୀବନ ପ୍ରେସିଡ଼େଣ୍ଟ । କିନ୍ତୁ ଶିକ୍ଷା ବିସ୍ତାର ନାମରେ, ଗଣଶିକ୍ଷାର ଏ ଦୁର୍ଗତି ଘଟିବ–ଏହା ଥିଲା ତାଙ୍କ କଳ୍ପନାର ବାହାରେ !

 

ତା ପରଦିନ ସକାଳ ବସ୍‌ରେ, ତା ଗାଁକୁ ବାଟ କାଟିଥିଲା ସତୀଆ !

 

‘ହାରାମ୍‌ଯାଦା’’...ଦାନ୍ତ ଚୋବାଇଲେ ରୁଦ୍ରମାଧବ । ନିଷ୍ଫଳ ସ୍ୱଗତ ବିସ୍ଫୋରଣ ! ସତୀଆ ଗାଁକୁ ଚାଲି ଯାଇଛି—ମନେ ପଡ଼ିଗଲା । ତା ପରେ ସାଧୁଆର ଅନଭ୍ୟସ୍ତ ନାଁଟା ମନେ ପଡ଼ିବା ମାତ୍ରେ, ରୁଦ୍ରମାଧବ ଡାକିଲେ, ‘‘ସାଧୁ...ସାଧୁଆ’’ ।

 

ଭିତରୁ କିନ୍ତୁ ‘‘ହଜୁର୍’’ ପ୍ରତ୍ୟୁତ୍ତରର ପ୍ରତିଧ୍ୱନି ନଥିଲା । ନିର୍ବେଦ, ନିଷ୍ପ୍ରାଣ, ଗୋଟାଏ ମନୁମେଣ୍ଟ୍ !

 

କେତେ ଡାକ ପରେ କୁଣ୍ଠିତ ପାଦରେ ଆସିଲା ସାଧୁ । ପିନ୍ଧାରେ ସେଇ ବେଲ୍‌ ବଟମ୍ ଆଉ ହାଓ୍ୱାଇନ୍, କିନ୍ତୁ ଏପରି ପୋଷାକ ମଡ଼ାଇ କଣ ହୁକା ସଜାଡ଼ି ହୁଏ ? ...ଏଥିପାଇଁ ପ୍ରୟୋଜନ ଆଣ୍ଠୁ ଉପରକୁ ନାହି ତଳେ ଖୋଷା ଧୋତି, ବେକରେ କାଠମାଳୀ, କାନ୍ଧରେ ଚଉତା ଗାମୁଛା–ହୁକାରେ ଫୁଙ୍କ ଦେବା ଅବକାଶରେ, ଛାମୁକରଣଙ୍କ ନାଁରେ ଚୁଗୁଲୀ, ଅଳି, ଅନୁରୋଧ...‘‘ଦହିମାଛ ଚକ ଧାନ, ଏସନ ସଦର ଖମାରରେ ପଇଠ ଦେଇନାହାନ୍ତି ଛାମୁକରଣ; ଦଧିଆ ବଜାର—ସରକାରୀରୁ ପଇସା ବଞ୍ଚେଇ ବଞ୍ଚେଇ ଡାକ ଘରେ ଟଙ୍କା ସଞ୍ଚିଲାଣି ।’’ ମଝିଆଁ ସାନ୍ତ ସୁଦ୍ଧା ବାଦ ପଡ଼ନ୍ତି ନାହିଁ ଚୁଗୁଲୀରୁ ! ...‘‘ମଝିଆ ସାଆନ୍ତଙ୍କୁ ଆକଟ କରିଦିଅନ୍ତୁ ହଜୁର୍ ! ସିଏତ ଭୋଳାନାଥ ! ଅଧେ ଦିନ ବାହାରେ ! ସେ ଲମ୍ୱାବାଳିଆ ଟୋକା ଗୁଡ଼ାକ ତାଙ୍କ ସାହାଲା ବୈଠକଖାନାକୁ ଆସି ସିଗ୍ରେଟ୍‌ରେ ଗଞ୍ଜେଇ କଲୀ ପୁରାଇ ନିର୍ଦ୍ଧୁମ୍ ଶୋଷୁଛନ୍ତି ! କେତେ ସମ୍ଭାଳିବି ମୁଁ ?’’ ରୁଦ୍ରନାରାୟଣଙ୍କ କାନରେ ଏସବୁ ପଡ଼ି ସୁଦ୍ଧା ପଡ଼େ ନାହିଁ । ସେ ସବୁ କଥା ଶୁଣି କେବଳ ଉତ୍ତର ଦିଅନ୍ତି...‘‘ହୁଁ’’ କିନ୍ତୁ ଏପରି ଚୁଗୁଲୀ ନଥିଲେ, ହୁକା ଟଣାଟା ଜମେ ନାହିଁ !

 

କିନ୍ତୁ ହୁକା ପ୍ରସ୍ତୁତିର ସେ କଳା କୌଶଳ ସହିତ, ସାଧୁର ପରିଚୟ ନ ଥିଲା । ସେ ନିର୍ବୋଧ ପରି ଆକ୍ଷି ମିଟ୍‌ମିଟ୍ କରି ଚାହିଁଲା ରୁଦ୍ରମାଧବଙ୍କ ଆଡ଼େ :

 

ରୁଦ୍ରମାଧବ ଅବସ୍ଥା ବୁଝି, ନିଷ୍ଫଳ ବିସ୍ଫୋରଣ ଚାପି ଶାନ୍ତ କଣ୍ଠରେ କହିଲେ...‘‘ହୁକା ଏଣିକି ବୋଧହୁଏ ଅଚଳ ! ଦେଖ ତ ସେଇ ଗୋଲ ଟେବୁଲ ଉପରେ, ଚୁରୁଟ୍ ବାକ୍‌ସଟା କେଉଁଠି ଅଛି ।’’

 

ମେହୋଗାନି କାଠର ଗୋଟାଏ ଗୋଲଟେବୁଲ୍ ଉପରେ, ସ୍ତୁପୀକୃତ ନାନା ଜଞ୍ଜାଳ ଭିତରେ ଏନ୍‌ସାଇକ୍ଳୋପେଡ଼ିଆ ବ୍ରିଟାନିକାର ଗୋଟାଏ ପୁରୁଣା କୀଟଦଂଷ୍ଟ ସେଟ୍ ପଛଆଡ଼େ ପଡ଼ିଥିଲା, ରୁଦ୍ରମାଧବଙ୍କ ମନୋଗ୍ରାମ୍ ଅଙ୍କିତ ରୂପା ଚୁରୁଟ୍ ବାକସ ଆଉ ଲାଇଟ୍‌ର, ଅନେକ ଖୋଜା ଖୋଜି ପରେ, ସାଧୁ ଚୁରୁଟ୍‌ବାକ୍‌ସ ଆଉ ଲାଇଟରଟା ରୁଦ୍ରମାଧବଙ୍କ ପାଖରେ ରଖିଦେଇ ଅନ୍ୟ ଆଦେଶ ପାଇଁ ଅପେକ୍ଷା ନରଖି, ଚାଲିଗଲା ସେଠାରୁ ।

 

ରୁଦ୍ରମାଧବ ଗୋଟାଏ ଛୋଟ କତୁରୀରେ ଚୁରୁଟ୍ ମୁଣ୍ଡି କାଟି, ନିଆଁ ଲଗାଇଲେ । ତା’ପରେ ଡିଭାନ୍ ଉପରେ ଆଉଜି ପଡ଼ି ଧୂଆଁ କୁଣ୍ଡଳୀ ଭିତରେ ଚାହିଁଲେ ଉପରୁ ଝୁଲୁଥିବା ଗୋଟାଏ ପୁରୁଣା ସାଣ୍ଡେଲିଆରର୍‍ ଆଲୁଅଦାନ୍‌କୁ । ମନ୍ଦ ମନ୍ଦ ପବନରେ ସାଣ୍ଡେଲିଆର୍‌ର କାଚ ଝୁମୁକା ଗୁଡ଼ାକ ମୃଦୁ ଝଙ୍କାର ସୃଷ୍ଟି କରିଥିଲା । ଭାରୀ ପ୍ରୀତିପଦ ଏଇ ଝଙ୍କାର । ଏହାରି ମଧ୍ୟରେ ସେ ଯେପରି ଶୁଣିପାରନ୍ତି ଗୋଟାଏ ବିସ୍ମୃତ ଅତୀତର ନାନା ବାୟା ଗୀତ ! ଆଜି କିନ୍ତୁ ଚୁରୁଟ୍ ଧୂଆଁ, କିମ୍ୱା ଚାଣ୍ଡେଲିଆର୍‌ର ମୃଦୁ ସମୀରସଙ୍ଗୀତରେ ରୁଦ୍ରମାଧବଙ୍କ ଆଶ୍ୱସ୍ତି ନଥିଲା । ଚୁରୁଟ୍ ଧୂଆଁ ମଧ୍ୟ ଲାଗୁଥିଲା ବିସ୍ୱାଦ ।

 

ନାନା କାରଣରୁ ରୁଦ୍ରମାଧବ, ଆଜି ବଡ଼ ଆହତ, ଉଦ୍‌ବେଳିତ !

 

ଆଜି ଦ୍ୱିପହରରେ ଆସିଥିଲେ ରୁଦ୍ରମାଧବଙ୍କ ବନ୍ଧୁ ସେଇ ଭୂତପୂର୍ବ ମନ୍ତ୍ରୀଜୀ...ଯିଏ ଗତ ନିର୍ବାଚନରେ ପରାଜୟ ପରେ, ପୁଣି ଅନାଇଁ ବସିଛନ୍ତି ଆସନ୍ତା ନିର୍ବାଚନ ପାଇଁ । ତାଙ୍କର ମଧ୍ୟ ଚେସ ଖେଳରେ ଝୁଙ୍କ । ସ୍ୱାଧୀନତା ଆନ୍ଦୋଳନ ବେଳେ, କୋଉ ଜେଲରେ ଥିବା ବେଳେ ଜଣେ ସହବନ୍ଦୀଠାରୁ ସେ ଶିଖିଥିଲେ ଏଇ ଖେଳଟା ! ସେଇଦିନୁ ଏ ଖେଳ ପ୍ରତି ତାଙ୍କର ଝୁଙ୍କୁ ପ୍ରବଳ । ସ୍ୱାଧୀନତା ପରେ ରାଜନୀତିଟାତ ହୋଇଛି ଏଇ ଚେସ୍ ଖେଳ...ମରଣ, ତାରଣ ! ନଥିଲା ବା କେଉଁଦିନ କେଉଁ ଯୁଗରେ ? କେଉଁ କାଳରେ ?

 

ଅବିନାଶ ଆସିଲେ, ଚେସ୍ ଖେଳରେ କଟିଯାଏ ଅନ୍ତତଃ କେତେ ଘଣ୍ଟା । ସେଥିପାଇଁ ଅବିନାଶଙ୍କ ଆସିବାକୁ, ରୁଦ୍ରମାଧବ ଅପେକ୍ଷା କରି ରହିଥାନ୍ତି, ବ୍ୟଗ୍ର ଉତ୍କଣ୍ଠାରେ । କିନ୍ତୁ ସବୁଦିନେ ଏଥିପାଇଁ ଅବିନାଶଙ୍କ ପରି ଜଣେ ବ୍ୟସ୍ତବିବ୍ରତ ଭୂତପୂର୍ବ ମନ୍ତ୍ରୀଜୀଙ୍କୁ ସମୟ ବା ମିଳେ କେଉଁଠି ? ଆଜି କିନ୍ତୁ ଖବର ପଠାଇଥିଲେ ଅବିନାଶ ଆସିବେ ବୋଲି ! ଅବିନାଶଙ୍କ ଅପେକ୍ଷାରେ ସେଣ୍ଟର–ପିସ୍ ଉପରେ ଖୋଲା ହୋଇ ପଡ଼ିଥିଲା, ଚେସ୍—ପାଲୀ !

 

ଅବିନାଶ ଆସିବା ମାତ୍ରେ, ରୁଦ୍ରମାଧବ ଡିଭାନ୍ ଉପରେ, ସିଧା ହୋଇ ବସି ପଡ଼ି କହିଲେ, ‘‘ଆସ, ଆସ ଅବିନାଶ ! ଅନେକ ବେଳୁ ଅପେକ୍ଷା କରି ରହିଛି ତମକୁ ! ପଡ଼ିଯାଉ ବାଜିଏ !’’

 

ଅବିନାଶ ତ ଆସିଥିଲେ, ସେଇ ଉଦ୍ଦେଶ୍ୟରେ ! ରୁଦ୍ରମାଧବ ଟଙ୍କା କାଢ଼ି ଟସ୍ କଲେ; କିଏ ଖେଳ ଆରମ୍ଭ କରିବ ଆଗେ ! ଅବିନାଶ କହିଲେ...‘‘ହେଡ଼୍’’ !

 

ଟଙ୍କାର ମୁଣ୍ଡ ପାଖଟା ପଡ଼ିଲା ।

 

ଅବିନାଶ ବୋଡ଼ିଆ ଚଳାଇ, ଖେଳ ଆରମ୍ଭ କଲେ ।

 

କିନ୍ତୁ ଝିମିଟି ଖେଳରୁ ମହାଭାରତ ପରି, ଆଜି ଚେସ୍ ଖେଳରୁ ଏପରି ଗୋଟାଏ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ଏ ଧାରଣା ନଥିଲା ରୁଦ୍ରମାଧବଙ୍କର !

 

ଖେଳ ଶେଷ ଆଡ଼କୁ ରୁଦ୍ରମାଧବ ଗୋଟାଏ ବୋଡ଼ିଆ ଚଳାଇ, ଚିତ୍କାର କରି ଉଠିଲେ...‘‘କିସ୍ତୀ ମାତ୍’’ ! ରୁଦ୍ରମାଧବଙ୍କ ଚାଲ ସବୁ ଅତି ସାଂଘାତିକ । ଏହା ପରେ ଅବିନାଶଙ୍କ ରାଣୀସାରାକୁ ବଞ୍ଚାଇବା କଠିନ । ସେଇ ଆଶଙ୍କାରେ ଅବିନାଶ ରାଜା ସାରଟା ଚଳାଇ, ବୋଡ଼ିଆ ଚାଳକୁ ଆଗୁଳେଇ ନେଲେ ।

 

ରୁଦ୍ରମାଧବ ଚିତ୍କାର କରି ଉଠିଲେ...‘‘ବୋଡ଼ିଆଟାକୁ ଆଗୋଳିବା ପାଇଁ ତମେ ଏକାଥରେ ରାଜ୍ୟ ଚଳାଇବ ?’’

 

ବାଘୁଆ ନିଶ ଦୁଇପଟ ଉତ୍ତେଜନାରେ ଫୁଲି ଉଠିଲା । ରକ୍ତଚାପଟା ବୋଧହୁଏ ବଢ଼ିଗଲା କେତେ ମିଲିମିଟର !

 

‘‘କିନ୍ତୁ କେଉଁ ଶାସ୍ତ୍ରରେ ଲେଖା ଅଛି ବୋଡ଼ିଆକୁ ଆଗୋଳିବା ପାଇଁ ରାଜ୍ୟ ସାରା ଚଳି ପାରିବ ନାହିଁ ?’’ —ପରିହାସ ମିଶ୍ରିତ କଣ୍ଠରେ ପ୍ରଶ୍ନ କଲେ ଅବିନାଶ !

 

‘‘ଶାସ୍ତ୍ରରେ ଲେଖା ହୋଇପାରି ନଥାଏ । କିନ୍ତୁ ଅନ୍–ସ୍ପେର୍ଟସ୍‌ମାନ୍ ଲାଇକ୍ ! ଅନ୍‌ପ୍ରିନିସ୍‌ପିଲଡ଼୍‌ ! କୌଣସି ବୁନିଆଦ୍ ଚେସ ଖେଳାଳୀ କେବେ ଏପରି ଚାଲ୍ ଚଳାଏ ନାହି ।’’

 

ଏ ଆକ୍ଷେପ କଣ ଅବିନାଶଙ୍କ ବଂଶଦୈନ୍ୟ ପ୍ରତି ?

 

ଅବିନାଶ ହୋଇ ପାରିଥାନ୍ତି ଭୂତପୂର୍ବ ମନ୍ତ୍ରୀଜୀ, ଜନନେତା; ପାଇ ପାରିଥାନ୍ତି ସମାଜରେ କାଞ୍ଚନ–କୌଳୀନ୍ୟର ପ୍ରତିଷ୍ଠା...ମାତ୍ର ସେ—ଯେ ଓ. ବି. ସି. ତାଲିକାଭୁକ୍ତ ! ଓ. ବି. ସି., ହୋଇପାରେ ଭୋଟରେ ଟିକେଟ, ମନ୍ତ୍ରୀମଣ୍ଡଳରେ ବ୍ୟର୍ଥ, ନୋହିଲେ ସରକାରୀ ଚାକିରୀରେ ଭର୍ତ୍ତି ହେବାପାଇଁ ଏକ ସ୍ୱାଧିକାର, କିନ୍ତୁ ସମାଜରେ ବର୍ଣ ଦୈନ୍ୟର ଗୌଣ ମନୋବୃତ୍ତି ତଥାପି ଅବଚେତନରେ ଚେର ମାଡ଼ି ରହିଛି ! ...‘‘ବୁନିଆଦ୍ ! ଆପଣ ମୋର ବୁନିଆଦ୍‌କୁ ଚାଲେଂଜ୍ କରୁଛନ୍ତି ରାଜା ସାହେବ ?’’ –କ୍ରୋଧରେ ଅବିନାଶଙ୍କ କଣ୍ଠସ୍ୱର କମ୍ପି ଉଠିଲା ।

 

‘‘ତମର ବୁନିଆଦ୍‌କୁ ନୁହେଁ; କିନ୍ତୁ ତୁମର ଖେଳର ବୁନିଆଦ୍‌କୁ । ଥରେ ନୁହେଁ, ଶହେ ଥର ମୁଁ କହିବି, ତମର ଏ ଚାଲ୍ ବେ–ବୁନିଆଦ୍ ! ବୋଡ଼ିଆଟାକୁ ଆଗୋଳିବା ପାଇଁ କେହି ବୁନିଆଦ୍ ଖେଳାଳୀ କେବେ ରାଜା ସାର ଚଳାଏ ନାହିଁ !’’

 

ଅବିନାଶ ଶାନ୍ତ କଣ୍ଠରେ ଉତ୍ତର ଦେଲେ...‘‘ସାର ଚଳାଇବା ଦୃଷ୍ଟିରୁ ବୋଡ଼ିଆ ଆଉ ରାଜା ଭିତରେ ତଫାତ୍ କଣ ? ଖେଳର ଅବସ୍ଥା ଯାହା, ଆପଣଙ୍କ ବୋଡ଼ିଆ ନ ଆଗୋଳିଲେ, ମୋର ରାଣୀ ମାତ୍ ହୋଇ ଯାଉଥିଲା ଯେ ! ତା’ପରେ ଚେକ୍‌ମେଟ୍ ! ମୋ ଖେଳକୁ ମୁଁ ପ୍ରୋଟେକ୍ଟ କରିବି ନାହିଁ ?’’ କି ଅଦ୍‌ଭୂତ ଯୁକ୍ତି ରୁଦ୍ରମାଧବଙ୍କର !

 

‘‘ମାତ୍ ହେଲେ ବି’’ ଯୁକ୍ତି କଲେ ରୁଦ୍ରମାଧବ, ‘‘ଏପରି ଚାଲ୍ କିନ୍ତୁ ଅନ୍‌ଏଥିକାଲ୍ ! ମୋ ଜୀବନରେ ପରାଜୟ ନିଶ୍ଚିତ ଜାଣି ସୁଦ୍ଧା, ମୁଁ କେବେ ଏପରି ଚାଲ୍ ଚଳାଇ ନାହିଁ ଅବିନାଶ ! କିଙ୍ଗ୍ ଇଜ୍ ଆଫ୍‌ଟର୍ ଅଲ୍ ଦି କିଙ୍ଗ୍ ! ହାତୀ, ଘୋଡ଼ା ଚାଲକୁ ଆଗୋଳିବା ପାଇଁ ବରଂ ରାଜା ସାର ଚଳାଯାଇପାରେ !’’

 

କୋଉ ଯୁଗରେ ଅଛନ୍ତି ରୁଦ୍ରମାଧବ ? କିଙ୍ଗ୍ ! ରାଜା ! ଅଟ୍ଟହାସ କରି ଉଠିଲେ ଅବିନାଶ । ‘‘କିଙ୍ଗ୍ ବର୍ତ୍ତମାନ ମ୍ୟୁଜିୟମ୍‌ର ବସ୍ତୁ, ରାଜା ସାହେବ ! ଆଜିର ଖେଳରେ ଖେଳିବାକୁ ହେଲେ, ବୋଡ଼ିଆ ସ୍ତରରେ ସମାନ ହୋଇ ରାଜାକୁ ଖେଳିବା ପାଇଁ ପଡ଼ିବ !’’

 

ଇଏ ଡିମୋକ୍ରସୀ; ଏ ଯୁଗର ଜୀବନ–ବେଦ ! ରାମା ଆଉ ରାଜା ରାମଚନ୍ଦ୍ରଙ୍କ ମଧ୍ୟରେ ପ୍ରଭେଦ ନାହିଁ । ମାନବିକତା, ରାଷ୍ଟ୍ରଧିକାର ଦୃଷ୍ଟିରୁ ତ ନିଶ୍ଚୟ ! କିନ୍ତୁ ମୂଲ୍ୟବୋଧ, କୌଳୀନ୍ୟ ଦୃଷ୍ଟିରୁ ? ପରିବର୍ତ୍ତିତ ପରିସ୍ଥିତି ସହିତ ରୁଦ୍ରମାଧବ ସାଲିସ୍ କରି ପାରୁ ନଥିଲେ । ଦେଶରେ ଯେ ଏତେବଡ଼ ଗୋଟାଏ ନୀରବ–ବିପ୍ଳବ ଘଟିଗଲା, ରାମା ଆଉ ରାମଚନ୍ଦ୍ର ଏକ ଆସନରେ ବସିଲେ, ତାର ତାତ୍ପର୍ଯ୍ୟ ରୁଦ୍ରମାଧବ ବୁଝିପାରୁ ନଥିଲେ । ରାମଚନ୍ଦ୍ର ସିଂହାସନରୁ ଓହ୍ଲାଇ ରାମାକୁ କୋଳାଗ୍ରତ କଲେ, ତାଙ୍କର ଆପତ୍ତି ନାହିଁ । ରାମଚନ୍ଦ୍ରଙ୍କ ପରିବର୍ତ୍ତେ ରାମା ସିଂହାସନରେ ବସିଲେ, ସେ ମଧ୍ୟ ଦୁଃଖିତ ହେବେ ନାହିଁ । କିନ୍ତୁ ରାମଚନ୍ଦ୍ରଙ୍କ ମୂଲ୍ୟବୋଧ, କୌଳୀନ୍ୟ ରାମାକୁ ଆହରଣ କରିବା ପାଇଁ ପଡ଼ିବ । ରାମାକୁ ରାମଚନ୍ଦ୍ରରେ କେବଳ ରୂପାନ୍ତରିତ ନୁହେଁ; ଗୁଣାନ୍ତରିତ ହେବା ପାଇଁ ମଧ୍ୟ ପଡ଼ିବ । ତା ନହେଲେ ଏ ବିପ୍ଳବର କୌଣସି ଅର୍ଥ ନାହିଁ ! ...କିନ୍ତୁ ଆଜି ରାମଚନ୍ଦ୍ରଙ୍କ ମୂଲ୍ୟବୋଧ ନାହିଁ ! ସବୁଆଡ଼େ କେବଳ ରାମା ଆଉ ରାମା ! ଡିମୋକ୍ରାସୀ ଦେଇଛି ତାକୁ ନୂତନ ସାମ୍ଭ୍ରାନ୍ତ୍ୟ !

 

‘‘ଆଇ ରିଜାଇନ୍’’—ଖେଳ ଛାଡ଼ିଦେଲି—ରୁଦ୍ରମାଧବ ଚେସ ପାଲୀଟାକୁ ଓଲଟାଇ ଦେଲେ ।

 

ଅବିନାଶ ରାଜା ସାରା ଚଳାଇବା ପରେ, ରୁଦ୍ରମାଧବଙ୍କର ଅବଶ୍ୟ ଆଉ ଅନ୍ୟ ଚାଲ୍ ନଥିଲା । କେଇଟା ଅନ୍ୟ ଚାଲ୍ ପରେ, ରୁଦ୍ରମାଧବଙ୍କ ରାଜା, ଅବିନାଶଙ୍କ ଘୋଡ଼ା ଚାଲ୍‌ରେ ମାତ୍ ହେବା ଥିଲା ଅବଧାରିତ !

 

‘‘ତାହେଲେ ନିଜ ଖେଳ ବଞ୍ଚାଇବା ପାଇଁ, ପ୍ରିନ୍‌ସିପଲ୍, ଏଥିକସ୍ ବୁନିଆଦ୍ ପରି ବଡ଼ ବଡ଼ କଥା ଆଉଡ଼ାଉ ଥିଲେ ରାଜାସାହେବ ?’’ ...ଅବିନାଶଙ୍କ କଣ୍ଠରେ ଶାଣିତ ବିଦ୍ରୂପ : ‘‘ଆଚ୍ଛା, ତାହେଲେ ଉଠେ ଏଥର ।’’

 

ଅବିନାଶ ବିଜୟ ଦର୍ପରେ, ଦୁଇ ଜଂଘ ଉପରେ ଚାପୁଡ଼ା ପିଟି ଉଠି ଯାଉଥିଲେ...

 

‘‘ମିଷ୍ଟର୍ ଚୌଧୁରୀ’’—ବଜ୍ରଗମ୍ଭୀର କଣ୍ଠରେ ଡାକିଲେ, ରୁଦ୍ରମାଧବ । ଗୋଟାଏ ଉଚିତ ସିଦ୍ଧାନ୍ତ ନହେବା ପର୍ଯ୍ୟନ୍ତ, ଆପଣ ଏତେ ସହଜରେ ଏଠାରୁ ଯାଇ ପାରିବେ ନାହିଁ, ମିଷ୍ଟର୍ ଚୌଧୁରୀ !’’

 

‘‘ସିଦ୍ଧାନ୍ତ କୋଉ ବିଷୟରେ ? ...ଇଏ କଣ ରାଜା ସାହେବଙ୍କ ହୁକୁମ ?’’ ଅବିନାଶଙ୍କ କଣ୍ଠରେ ବିଦ୍ରୂପର କ୍ଷୁରଧାର ଶାଣିତ ହୋଇ ଉଠିଲା ।

 

‘‘ଆଦେଶ ଦେବାର ଶକ୍ତି ତ ନାହିଁ । ଏହାକୁ ତେଣୁ ଆପଣ ଗ୍ରହଣ କରିପାରନ୍ତି, ଅନୁରୋଧ ରୂପେ !

 

ସୌଜନ୍ୟ ଦୃଷ୍ଟିରୁ ଏ ଅନୁରୋଧକୁ ଉପେକ୍ଷା କରିବା ଅବିନାଶଙ୍କ ପକ୍ଷରେ ସମ୍ଭବ ନଥିଲା । ସେ ଫେରି ଆସି, ତାଙ୍କ ପୂର୍ବ ସ୍ଥାନରେ ବସି, ଖଣ୍ଡେ ଚୁରୁଟ୍‌ରେ ନିଆଁ ଧରାଇ କହିଲେ...‘‘ସତ୍ୟକୁ ଗ୍ରହଣ କରାଯାଇଥାଏ ଆଘାତ ମଧ୍ୟରେ । ଯାହା ଆପାତ ମିଥ୍ୟା, ତାହା ସବୁବେଳେ ପ୍ରୀତିପଦ । ଆପଣଙ୍କ ମନରେ ଯଦି ଆଘାତ ଦେଇଥାଏ, ତାହେଲେ ବନ୍ଧୁତ୍ୱ ଦୃଷ୍ଟିରୁ କ୍ଷମା କରିବେ ରାଜା ସାହେବ !’’

 

‘‘କିନ୍ତୁ କେଉଁଟା ସତ୍ୟ ? ସବୁ ସତ୍ୟ ଆପେକ୍ଷିକ ! କାହାକୁ ବା ମୁଁ ଗ୍ରହଣ କରିବି ଆଘାତ ମଧ୍ୟରେ ?’’

 

‘‘ବୋଡ଼ିଆ ଆଉ ରାଜା ସାର ସମ୍ପର୍କରେ ଆପଣଙ୍କ ଯୁକ୍ତି !’’

 

ରୁଦ୍ରମାଧବ ଉତ୍ତର ଦେଲେ–‘‘କୌଣସି ପରିସ୍ଥିତିରେ ରାଜା ସାର ଚଳାଇବା ନିଷିଦ୍ଧ—ଏପରି ଅବଶ୍ୟ କେହି କେବେ କହି ନାହାନ୍ତି । କିନ୍ତୁ କୌଣସି ନାମ୍‌ଯାଦା, ସତରଞ୍ଜ ଖେଳାଳୀ ବୋଡ଼ିଆ ଚାଲ୍‌କୁ ରୋକିବା ପାଇଁ, କେବେ ରାଜା ସାର ଚଳାଇ ନାହାନ୍ତି ! ଏକଥା ଅସ୍ୱୀକାର କରିପାରିବ ନାହିଁ ଅବିନାଶ !’’

 

ରୁଦ୍ରମାଧବ ଉଠି ଯାଉଥିଲେ, ତାଙ୍କ ବହି ସେଲ୍‌ଫର ଜଞ୍ଜାଳ ଭିତରୁ କୌଣସି ପ୍ରସିଦ୍ଧ ଚେସ–ଖେଳାଳୀଙ୍କ ଖେଳ ବହି କାଢ଼ି, ଚାଲ୍‌ର ବିଶ୍ଲେଷଣ ଦେଖାଇ, ନିଜ ଯୁକ୍ତିକୁ ପ୍ରତିଷ୍ଠିତ କରିବା ପାଇଁ !

 

ଅବିନାଶ କହିଲେ...‘‘ମତେ ଅଥରିଟୀ ଦେଖାଇବାର କଷ୍ଟ ସ୍ୱୀକାର କରନ୍ତୁ ନାହିଁ ରାଜା ସାହେବ ! କ୍ଷେତ୍ର ବିଶେଷରେ ସେପରି ହୋଇ ପାରିଥାଏ; କିନ୍ତୁ ଖେଳରେ ବୋଡ଼ିଆ ଆଉ ରାଜା ସାର ମଧ୍ୟରେ ତଫାତ ନାହିଁ !’’

 

ଡିଭାନ୍‌ ଉପରେ ବସି ପଡ଼ି, ଉତ୍ତେଜିତ କଣ୍ଠରେ ରୁଦ୍ରମାଧବ କହିଲେ...‘‘ଅଛି, ଅଛି, ମିଷ୍ଟର ଚୌଧୁରୀ । ବୋଡ଼ିଆ କେବଳ ପନ୍ ମାତ୍ର ! ଆପଣମାନଙ୍କ କ୍ଷମତା ରାଜନୀତିରେ ବିଚାରା କର୍ମୀମାନଙ୍କ ପରି; ଯାହାକୁ ଆପଣ ନିର୍ବିଚାରରେ ବଳି ପକାଇ ପାରନ୍ତି ! ତାର ଗତି ଶଙ୍କିତ, ସଙ୍କୁଚିତ ! ସେ କେବଳ ଗୋଟାଏ ଦିଗରେ, ଗୋଟାଏ ମାତ୍ର ପାଦ ଚଳିପାରେ । କିନ୍ତୁ ରାଜାର ଗତି ଅବାରିତ, ନିଃଶଙ୍କ ! ଯେ କୌଣସି ଦିଗକୁ ଯନ୍ତ୍ରତନ୍ତ୍ର ରାଜା ଗତି କରିପାରେ ! ଏପରି ଶକ୍ତିଶାଳୀ ରାଜା ସହିତ, ଗୋଟାଏ ପନ୍ ସମାନ ହୋଇ ପାରିବ କିପରି ? ଏଇ ପନ୍‌କୁ ପୁଣି ରୋକିବା ପାଇଁ ରାଜା ଚଳିବ ଅନ୍ୟ ଘର ଛାଡ଼ି ?’’

 

‘‘ନହେଲେ ମୋର ଘୋଡ଼ା ସାରଟା ମରୁଥିଲା ଯେ ।’’

 

‘‘ମରୁ ! ତା ବୋଲି ଗୋଟାଏ ପ୍ରିନ୍‌ସିପଲ, ଗୋଟାଏ ପ୍ରତିଷ୍ଠିତ ମୂଲ୍ୟବୋଧକୁ ବଳି ଦେବ ତମେ ?’’

 

ଅବିନାଶଙ୍କ ଦୃଷ୍ଟିରେ ଏସବୁ ମୂଲ୍ୟବୋଧର କୌଣସି ଅର୍ଥ ନଥିଲା । କ୍ଷମତା ରାଜନୀତିର ସଂଘର୍ଷ ମଧ୍ୟରେ ସେ ବୁଝିଛନ୍ତି, ସବୁ କଥାର ମୂଲ୍ୟ ଅଛି ! କିନ୍ତୁ ମୂଲ୍ୟବୋଧ କେବଳ ଗୋଟାଏ ସ୍ଲୋଗାନ୍, ଗୋଟାଏ ପହଳି ! ସେଥିପାଇଁ ତ ଆପ୍ତବାକ୍ୟ ରହିଛି, ଏଭ୍ରୀଥିଙ୍ଗ୍ ଇଜ୍ ଫେଆର୍ ଇନ୍ ଲଭ୍ ଆଣ୍ଡ୍ ଓ୍ୱାର୍ ! ମୂଲ୍ୟବୋଧ ପାଇଁ ମୂଲ୍ୟକୁ ଫିଙ୍ଗିଦେବା, ଚୋରକୁ ମାନ କରି ଖପରାରେ ଖାଇବା ସଙ୍ଗେ ସମାନ ! ମୂଲ୍ୟବୋଧ ପ୍ରତି ସମ୍ମାନ ଦେଇଥିଲେ, ସେ ସେଇ ଫତେଇ ପିନ୍ଧି, କାନ୍ଧରେ ମୁଣାଝୁଲା କର୍ମୀ ସ୍ତରରେ ରହିଯାଇଥାନ୍ତେ ! ମନ୍ତ୍ରୀ ହୋଇ ପାରି ନଥାନ୍ତେ । ରାଧାଚରଣଙ୍କ ପ୍ରତି ସେ ବିଶ୍ୱାସଘାତକତା କରି ନଥିଲେ, ପଛଆଡ଼ୁ ଛୁରୀ ଭୂଷି ନଥିଲେ, କଣ ଏତେ ସହଜରେ ମନ୍ତ୍ରୀ ହୋଇ ପାରୁଥିଲେ ? ରାଧାଚରଣଙ୍କ ବିଶ୍ୱସ୍ତ ସହକର୍ମୀ ଥିଲେ, ଅବିନାଶ ! ସେ ନେଇଥିଲେ ଦଳରେ ତାଙ୍କ ସଭ୍ୟମାନଙ୍କୁ ସମ୍ଭାଳିବାର ଦାୟିତ୍ୱ ! ଆଶାସ୍ୱନା ଦେଇଥିଲେ,—ଆପଣ କାହିଁକି ଚିହ୍ନା ପଡ଼ି, ନିଜ ସମ୍ମାନ ହରାଇବେ ? ଦଳରେ, ଆପଣଙ୍କର ନାମ ଇ ପ୍ରସ୍ତାବିତ ହେବ ଦଳପତି ରୂପେ । ଏ ପ୍ରତିଶ୍ରୁତିକୁ ରକ୍ଷା କରିବା ମୂଲ୍ୟବୋଧ ଦୃଷ୍ଟିରୁ ଅବିନାଶଙ୍କର କଣ କର୍ତ୍ତବ୍ୟ ନଥିଲା ? କିନ୍ତୁ ରାଧାଚରଣ ଦଳପତି ହୋଇଥିଲେ, ଅବିନାଶଙ୍କ ପ୍ରତିପକ୍ଷମାନେ ଇ ମନ୍ତ୍ରି ମଣ୍ଡଳରେ ବଡ଼ ପାହିଆ, ଦୁଧିଆଳୀ ପୋର୍ଟଫୋଲିଓ ପାଇଥାନ୍ତେ ! ରାଧାଚରଣ ପ୍ରଥମେ ଚାହିଁଥାନ୍ତେ, ତାଙ୍କ ପ୍ରତିସ୍ୱର୍ଦ୍ଧୀ ମାନଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ! ସେଥିପାଇଁ ଦଳବୈଠକରେ ସ୍ୱୟଂ ଅବିନାଶ, ସେଦିନ ହଠାତ୍ ପ୍ରସ୍ତାବ କରିଥିଲେ ବିଭୁଦତ୍ତ ଦାସଙ୍କ ନାମ ଦଳପତି ରୁପେ ! —ସେତେବେଳେ ଅବିନାଶ, ରାଧାଚରଣଙ୍କ ଆକ୍ଷିରେ ଲକ୍ଷ୍ୟ କରିଥିଲେ, ରୁଦ୍ରମାଧବଙ୍କ ଦୃଷ୍ଟି ପରି ଏଇ ନିର୍ବୋଧ ଦୃଷ୍ଟି । ସେଇ ଅସ୍ତ୍ରରେ ଅବିନାଶ ଆଜି କେବଳ ମନ୍ତ୍ରିତ୍ୱ ନୁହେଁ, ସାଧାରଣ ସଭ୍ୟ ପଦରୁ ସୁଦ୍ଧା ନିର୍ବାସିତ । ତଥାପି ଏହା ତାଙ୍କ ଜୀବନ ଦର୍ଶନକୁ ପ୍ରଭାବିତ କରିନାହିଁ । ମୂଲ୍ୟବୋଧ ଅପେକ୍ଷା ମୂଲ୍ୟକୁ ଇ ସେ ଦେଇ ଆସିଛନ୍ତି ସମ୍ମାନ ।

 

ଅବିନାଶ କହିହିଲେ...‘‘କାଳର ପରିବର୍ତ୍ତିତ ସ୍ୱରୂପ ଚିହ୍ନି ନ ପାରିଲେ ଅନେକ ଦୁଃଖ ପାଇବେ ରାଜାସାହେବ । ଆପଣଙ୍କ ସାଆନ୍ତିଆ ଯୁଗ ଯାଇଛି । ଏ ଯୁଗ ଯନ୍ତ୍ରର । ଯନ୍ତ୍ର ବୁଝେ ଉତ୍ପାଦନ, ଉତ୍ପାଦନରେ ପ୍ରତିଯୋଗିତା, ପ୍ରତିଯୋଗିତାରେ ପ୍ରତିପକ୍ଷର ପରାଜୟ । ଏଠି ମୂଲ୍ୟର ସ୍ଥାନ ଅଛି, କିନ୍ତୁ ମୂଲ୍ୟବୋଧର ନୁହେଁ !’’

 

ରୁଦ୍ରମାଧବ ବୁଝିଲେ, ସେ ଆଜି ପରାଜିତ—ସବୁ ଦିଗରୁ ପ୍ରକୃତରେ ତାଙ୍କ ଯୁଗ ବିଦାୟ ନେଇଛି । ସେ କେବଳ ପଡ଼ି ରହିଛନ୍ତି; ଖଣ୍ଡେ ଅଚଳାୟତନ ପରି, ଗୋଟିଏ ବେଗବତୀ ସ୍ରୋତ ମଝିରେ । ତଥାପି ସେ ସାଲିସ୍ କରି ନିଜକୁ ଅପମାନିତ କରିବେ କାହିଁକି ? ଅବିନାଶ କହିଲେ ‘‘ମୂଲ୍ୟବୋଧର ପରିବର୍ତ୍ତନ ନାହିଁ ! ସେଇ ଅପରିବର୍ତ୍ତିତ, ଚିରନ୍ତନ ମୂଲ୍ୟବୋଧ ହିଁ ସବୁ ଯୁଗର ଆଶ୍ରୟ ! ତାକୁ ଛାଡ଼ି, ଇତିହାସରେ କୌଣସି ଯୁଗ, କୌଣସି ବ୍ୟକ୍ତି ତିଷ୍ଠି ରହି ପାରି ନାହିଁ-!’’

 

ରୁଦ୍ରମାଧବଙ୍କ ପ୍ରତି କୃପାପୂର୍ଣ୍ଣ ଦୃଷ୍ଟିରେ ଚାହିଁ, ତାଙ୍କ ସହିତ ଯୁକ୍ତି କରିବା ଯେ ବୃଥା ଅବିନାଶ ତାହା ସ୍ପଷ୍ଟ ବୁଝି ପାରୁଥିଲେ । ମାନସିକ ସ୍ତରରେ, ରୁଦ୍ରମାଧବ ଯେଉଁଠି ଥିଲେ, ସେଠାରୁ ତାଙ୍କୁ ଉଦ୍ଧାର କରିବାର ଉଦ୍ୟମ ବୃଥା–ସେଥିରେ ଅବିନାଶଙ୍କର ସନ୍ଦେହ ନଥିଲା । ଗୋଟାଏ ଅଲଟ୍ରା–ମଡ଼ର୍ଣ–ଡ୍ରଇଙ୍ଗ୍–ରୁମ୍ ଭିତରେ, ହରପ୍‌ପା ଯୁଗର ଗୋଟାଏ ପ୍ରତ୍ନତତ୍ତ୍ୱିକ ମୂର୍ତ୍ତିକୁ ସଛାଇ ରଖିଲେ, ଯେପରି ବେଖପ୍‌ପା ଦେଖାଯାନ୍ତା—ସାଂପ୍ରତିକ କାଳର ପୃଷ୍ଠଭୂମିରେ, ଅବିନାଶଙ୍କ ଦୃଷ୍ଟିରେ, ରୁଦ୍ରମାଧବ ଦେଖାଯାଉଥିଲେ, ସେଇପରି କିମ୍ଭୂତ !

 

ଅବିନାଶ ଡିଭାନ୍ ଉପରୁ ଉଠି କହିଲେ...‘‘ଆମ ଦୁହିଁଙ୍କ ଓ୍ୱେଭ୍ ଲେଙ୍ଗ୍‍ଥ୍‍ ଅଲଗା । ଆପଣଙ୍କ ଦୃଷ୍ଟିରେ ଯାହା ପ୍ରିନ୍‌ସିପ୍‍ଲ୍‍, ମୋ ବିଚାରରେ ତାହା କେବଳ ଏକ ଷ୍ଟ୍ରାଟେଜୀ, ଜିଣିବାର ଏକ କୌଶଳ । ଆଜିର ସଫଳତାବାଦୀ ଯୁଗରେ ଜୟଲାଭ ଟା ଇ ବଡ଼ କଥା ! ସେଥିପାଇଁ କୌଣସି ଗୋଟାଏ ପ୍ରିନ୍‌ସିପଲ୍‌କୁ ଜାବୋଡ଼ି ଧରିବାର ଅର୍ଥ ହୁଏ ନାହିଁ ।’’

 

ଅବିନାଶ ଉଠି ଚାଲିଗଲେ ।

 

ଅଧିକାଂଶ ଦିନ ଦୁହିଁଙ୍କ ମଧ୍ୟରେ, ଝିମାଣି ଖେଳରୁ ମହାଭାରତ ପରି, ଚେସ୍ ଖେଳରୁ ସମାଜନୀତି, ରାଜନୀତି, ପର୍ଯ୍ୟନ୍ତ ନାନା କଥାରେ ବିତର୍କ ଉଠି; ଏହା ହିଁ ହୋଇଥାଏ ପରିଣତି । ଆଜି ମଧ୍ୟ ତାହାର ପୁନରାବୃତ୍ତି ଘଟିଥିଲା । କିନ୍ତୁ କୌଣସି ଦିନ ସେ ଏପରି ଆହତ ହୋଇ ନଥିଲେ-। ରୁଦ୍ରମାଧବଙ୍କ କାନରେ ବାଜି ଉଠୁଥିଲା, ଅବିନାଶଙ୍କ ବକ୍ରୋକ୍ତି...‘‘ଓଃ ! ତା ହେଲେ ନିଜର ଖେଳ ବଞ୍ଚାଇବା ପାଇଁ, ଆପଣ ଏତେ ସମୟ, ପ୍ରିନସିପଲ୍, ଏଥିକସ୍, ବୁନିଆଦ୍ ପରି ବଡ଼ ବଡ଼ ଶଦ୍ଦ ଆଉଡ଼ାଉ ଥିଲେ ?’’

 

ମାଣ୍ଟଲ୍‌ ପିସ୍ ଉପରେ ଘଣ୍ଟାରେ ପାଞ୍ଚଟା ବଜିଲା । କାଳ ବଦଳୁଛି । ସମୟ ବଦଳୁଛି । ଆଗେଇ ଚାଲିଛି । କିନ୍ତୁ ଏଇ ତାର ସଙ୍ଗୀତ ତ ଅପରିବର୍ତ୍ତନୀୟ । ଗୋଟାଏ କୁକୁ–କ୍ଲକ୍ । ତାଙ୍କ ଯୌବନରେ କେବେ ଇଟାଲୀରୁ ରୁଦ୍ରମାଧବ କିଣିଆଣିଥିଲେ ଏଇ କ୍ଲକ୍‌ଟା । ଏହାର ସଙ୍ଗୀତ ଭାରୀ ଭଲଲାଗେ ରୁଦ୍ରମାଧବଙ୍କୁ । ଆଶ୍ୱସ୍ତ ଲାଗେ । ଲାଗେ ଯେପରି ସବୁ ଠିକ୍ ଅଛି, କିଛି ବଦଳି ନାହିଁ, ବଦଳିବ ନାହିଁ !

 

ଘଣ୍ଟାଧ୍ୱନି ନୀରବ ହୋଇଗଲା । ନିଥର ଜଳରାଶିରେ, ଗୋଟାଏ କ୍ଷୁଦ୍ର ଲହରୀ–ସ୍ପନ୍ଦନ କୋଉଠି ଯେପରି ହଜିଗଲା । ହଜିଗଲା ତାର ଶିହରିତ କଳଧ୍ୱନି !

 

ନିଃସଙ୍ଗତା କଣ୍ଟକିତ ଶୂନ୍ୟଗର୍ଭ ଅପରାହ୍ନ !

 

ହୁକା ! ଆ...ହୁକା ! କିନ୍ତୁ ହୁକା କାହିଁ ? ଅଧାପୋଡ଼ା ଚୁରୁଟ୍‌ରୁ ପାଉଁଶ ଝାଡ଼ି, ରୁଦ୍ରମାଧବ ଆସ୍‌ଟ୍ରେ ଉପରୁ ଉଠାଇ ନେଉଥିଲେ; ଛାମୁଁକରଣ ଦୟାନିଧି ପଟ୍ଟନାୟକ ତ୍ରସ୍ତବ୍ୟସ୍ତ ପାଦରେ ରୁଦ୍ରମାଧବଙ୍କ ପାଖକୁ ଆସି, ଫିସ୍ ଫସ୍ ଗଳାରେ, କାନ ପାଖରେ କହିବା ଭଳି ଅନୁଚ୍ଚ କଣ୍ଠରେ କହିଲେ ...‘‘ସଲିସିଟର୍ ମହାପାତ୍ର ବାବୁ ପୁଣି ଆସିଛି ହଜୁର୍ ! ମୁଁ ତାକୁ ଯେତେ ଫେରାଇବାକୁ ଚେଷ୍ଟା କଲେ ସୁଦ୍ଧା ହେଲା ନାହିଁ । ସେ ବହୁଛି, ଛାମୁଁଙ୍କ ସହିତ ସାକ୍ଷାତ ନିହାତ ଜରୁର୍ ?’’

 

ସଲିସିଟର୍ ମହାପାତ୍ର...ଟିକୀ ସାହେବଙ୍କ ଓକୀଲ ! ସେ ପୁଣି ଏ ଅବେଳରେ କାହିଁକି ?

 

ରୁଦ୍ରମାଧବ ନିଭା ଚୁରୁଟ୍‌ରେ ନିଆଁ ଧରାଉ ଧରାଉ, କମିଶା କଣ୍ଠରେ, ପଚାରିଲେ...‘‘ରାଜବାଟୀରେ ହୁକା ସଜାଇବା ପାଇଁ କଣ କେହି ଲୋକ ନାହାନ୍ତି ?’’

 

ଛାମୁଁ କରଣଙ୍କ ନାକ ଅଗକୁ ଚଷମାଟା ଖସିଆସିଥିଲା । ନାକ ଉପରକୁ ଚଷମାଟା ଉଠାଇ, କାନ୍ଧରେ ଚଉଣ ଚାଦରକୁ ସଜାଡ଼ି ଛାମୁଁ କରଣ ଉତ୍ତର ଦେଲେ...‘‘କାଇଁକି ? ସଦରବେହେରା ସତୀଆ ରହିଛି ହଜୁର !’’ କିନ୍ତୁ ଛାମୁଁ କରଣ କଣ ଆସିଛନ୍ତି, ହୁକା ଖବର ବୁଝିବା ପାଇଁ ? ସଲିସିଟର୍ ମହାପାତ୍ରଙ୍କ ଆକସ୍ମିକ ଆର୍ବିଭାବ, ତାଙ୍କୁ ବିଚଳିତ କରି ଦେଇଥିଲା !

 

‘‘ମହାପାତ୍ର ବାବୁଙ୍କୁ କଣ କହିବି ?’’

 

‘‘କିନ୍ତୁ ସତୀଆ ନଥିଲେ କଣ ହୁକା ଖବର ବୁଝିବା ପାଇଁ ଆଉ କେହି ନାହାନ୍ତି ? ...ଓ ! ତା ହେଲେ ରାଜବାଟୀ ଖବର, ତମେ ଏଇପରି ବୁଝୁଚ ଦୟାନିଧି ? ସତୀଆ ଗାଁକୁ ପଳାଇଛି । ତା ପୁଅଟା ଇଡ଼ିଅଟ୍ । ହୁକା ତିଆରି ସେ ଜାଣେ ନାଁ !’’

 

‘‘ସତୀଆ ଗାଁକୁ ପଳାଇଛି ! କେବେ ?? ମୋଠୁ ଛୁଟୀ ନେଇ ନାହିଁତ !’’

 

‘‘ଛୁଟି ମାଗି, ଗାଁକୁ ଯିବା ଦିନ ଯାଇଛି ! ସେ ଖବର ତମର ରଖିବା ଉଚିତ ଥିଲା !’’

 

ଦୟାନିଧି କାନମୁଣ୍ଡା କୁଣ୍ଡାଇ କୁଣ୍ଡାଇ ଉତ୍ତର ଦେଲେ...‘‘ଏଷ୍ଟେଟ୍ ଜମିବାଡ଼ୀ ଉପରେ ତହସିଲ୍‌ଦାରର ଯେପରି ଘନ ଘନ ଚଢ଼ାଉ ଫର୍ମ ରିଟର୍ଣ୍ଣ ଦେବାର ତନାଘନା ସେଥିରେ ସତୀଆ ଖବର ଆଉ ରଖିପାରି ନାହିଁ ହଜୁର୍ ! ହୁକା ବ୍ୟବସ୍ଥା ମୁଁ କରୁଛି । ଆମ ଦରଓ୍ୱାନ୍ ରାମଶରଣ ଜାଣେ ତାର କାୟଦା ! ଏବେ ମହାପାତ୍ରକୁ କ’ଣ କହିବି ହଜୁର୍ ?’’

 

ରୁଦ୍ରମାଧବ ଚୁରୁଟ୍ ଧୂଆଁର କୁଣ୍ଡଳୀ ଭିତରେ ଉତ୍ତର ଦେଲେ...‘‘ଇନ୍ଦ୍ରମାଧବ କାନାଡ଼ାରୁ କାବଲ୍ ପଠାଇଚି । ସେ ନିଜେ ଆସୁଛି, ସମ୍ପତ୍ତିରେ ତାର ସ୍ୱତ୍ୱର ମୀମାଂସା ପାଇଁ । ଏହା ଭିତରେ ପୁଣି ସଲିସିଟର୍‌ କାହିଁକି ?’’

 

‘‘ସିଏ ତ କହୁଛନ୍ତି, ହଜୁରଙ୍କ ସହିତ କଥାବାର୍ତ୍ତା ନିହାତି ଜରୁରୀ । ଟିକୀ ସାହେବଙ୍କ କଥାରେ ଆସିଛନ୍ତି ସିଏ !’’

 

ହଜୁର୍‌ଙ୍କ ଅନୁମତି ପାଇଁ ଅପେକ୍ଷା ନରଖି, ସଲିସିଟର୍‌ କିନ୍ତୁ ସେତେବେଳେ ପହଞ୍ଚି ସାରିଥିଲେ ବୈଠକଖାନାର ବଡ଼ଦରଜା ପାଖରେ । ...‘‘ମେ ଆଇ କମ୍ ଇନ୍’’—ପର୍ଦ୍ଦା ଉହାଡ଼ରୁ ଉଦ୍ଧତ ପ୍ରଶ୍ନ । ସେଥିରେ ଅବଶ୍ୟ ଅଛି ବ୍ୟବସାୟିକ ସୌଜନ୍ୟ, ମାତ୍ର ସେ ସୌଜନ୍ୟରେ ସୁଦ୍ଧା ଔଦ୍ଧତ୍ୟର ଇଙ୍ଗିତ !

 

‘‘ଆସନ୍ତୁ ଆସନ୍ତୁ ଆଜ୍ଞା’’...ଦୟାନିଧିଟା ଏତେ କାକୁସ୍ଥ କାହିଁକି, ରୁଦ୍ରମାଧବ ବୁଝି ପାରିଲେ ନାହିଁ ।

 

ସଲିସିଟର୍ ନବୀନ ମହାପାତ୍ର ସହିତ ରୁଦ୍ରମାଧବଙ୍କ ଅତୀତ ସମ୍ପର୍କ ପାରିବାରିକ, କହିଲେ ଚଳେ । ଟିକୀ ଆଉ ଟିକା ପରି ଏଇ ରାଜବାଟୀରେ ସିଏ ମଧ୍ୟ ବଢ଼ିଥିଲା ଦିନେ । ଟିକୀର ସହପାଠୀ, ବନ୍ଧୁ । ତାଙ୍କ ବାପା ଗୋବିନ୍ଦ ମହାପାତ୍ର, ଲକ୍ଷ୍ମୀନାରାୟଣ ଏଷ୍ଟେଟ୍‌ର ଲ’ ଏଜେଣ୍ଟ୍ ଥିଲେ-। ବେକରେ ତିନିସାରୀ ତୁଳସୀମାଳି । କପାଳରେ ରାମାନନ୍ଦୀ ଚିତା । ବେକଚିପା କୋଟ ଉପଲେ କୁଞ୍ଚ ଚଦର । ଧୂର୍ତ୍ତ ଆକ୍ଷି । ନିଜେ ଗୋଟିଏ ଛୋଟିଆ ତଉଜୀ କିଣିପାରିଥିଲେ, ଏଷ୍ଟେଟ୍‌ର ଲ’ ଏଜେଣ୍ଟ୍ ହୋଇ । ଚାକିରୀ ଛାଡ଼ିବା ପରେ ମାଲି ମକଦ୍ଦମା ସମ୍ପର୍କରେ ସହରକୁ ଆସିଲେ ଏବେସୁଦ୍ଧା ରାଜବାଟୀକୁ ଆସିଥାନ୍ତି ରୁଦ୍ରମାଧବଙ୍କ ‘ଦର୍ଶନ’ ପାଇଁ ! ‘‘ଏଇ ରାଜବାଟୀ ଅନ୍ନରେ ବଢ଼ିଛି ଆଜ୍ଞା ।’’ ସେହି ସୂତ୍ରରେ, ନବୀନକୁ ପୁତ୍ରବତ୍ ଦୃଷ୍ଟିରେ ଦେଖିଥାନ୍ତି, ରୁଦ୍ରମାଧବ । କିନ୍ତୁ ଟିକୀର ସଲିସିଟର ରୂପେ ତାର ଉପସ୍ଥିତି, ଅଶ୍ୱସ୍ତିକର ଲାଗୁଥିଲା ରୁଦ୍ରମାଧବଙ୍କୁ ।

 

‘‘କି ନବୀନ, କି ଖବର ? ତୁମକୁ ଡକାଇଥିବା ପରି ତ ମୋର ମନେ ହେଉ ନାହିଁ । ସିଟୀ–ଇମ୍ପ୍ରଭ୍‌ମେଣ୍ଟ –ଟ୍ରଷ୍ଟ୍ କେସ୍‌ରେ ତମେ ତ ନାହଁ ବୋଧହୁଏ’’—ରୁଦ୍ରମାଧବଙ୍କ କଣ୍ଠ ଶ୍ଳେଷପୂର୍ଣ୍ଣ-

 

ନବୀନ ଉତ୍ତର ଦେଲେ—‘‘ସିଟୀ ଇମ୍ପ୍ରୁଭ୍‌ମେଣ୍ଟ୍ ଟ୍ରଷ୍ଟ୍ କେସ୍ ଆପଣ ମୋ ସାଙ୍ଗରେ ପରାମର୍ଶ କରିଥିଲେ, ମୁଁ ଆପଣଙ୍କୁ ପରାମର୍ଶ ଦେଇଥାନ୍ତି, ଏ କେସ୍ ଅଯଥା ନଚଳାଇବା ପାଇଁ । ଆକ୍ଟ୍ ଅନୁସାରେ ସାଧାରଣ ସ୍ୱାର୍ଥ ଦୃଷ୍ଟିରୁ, ସହରର ଉନ୍ନତି ପାଇଁ ଯେ କୌଣସି ସମ୍ପତ୍ତି ସରକାର ଆକ୍ୱାୟାର୍ କରି ପାରନ୍ତି—ଅବଶ୍ୟ କ୍ଷତିପୂରଣ ଦେଇ !’’

 

‘‘ମନ୍ତ୍ରୀକୋଠୀ ଆଗରେ ରାସ୍ତା ଚଉଡ଼ା ହୋଇ, ରିଙ୍ଗ୍ ରୋଡ଼ ନେବା, ସାଧାରଣ ସ୍ୱାର୍ଥ ନାଁ କ’ଣ ?’’

 

‘‘ସେମାନେ ଯେ ଜନସାଧାରଣଙ୍କ ପ୍ରତିନିଧି !’’

 

‘‘ତା ବୋଲି ନିଜର ସ୍ୱାର୍ଥ ପାଇଁ, ସେମାନେ ଏ ରାଜବାଟୀକୁ ଭାଙ୍ଗି ମାଟିରେ ମିଶାଇ ଦେବେ ?’’ —ରୁଦ୍ରମାଧବ ଏ ପରିସ୍ଥିତି ସ୍ୱୀକାର କରି ପାରୁ ନଥିଲେ ।

 

‘‘ପୁରୁଣା ରାଜବାଟୀ ନ ଭାଙ୍ଗିଲେ, ନୂଆ ମନ୍ତ୍ରୀକୋଠି ମୁଣ୍ଡ ଟେକିବ କିପରି ? ଏ ଭଙ୍ଗା ଗଢ଼ାର ଇତିହାସ ଅତି ପୁରୁଣା !’’

 

ରୁଦ୍ରମାଧବ କିନ୍ତୁ ଏପରି ଏକତରଫା ବ୍ୟବସ୍ଥା ମାନି ନେବା ପାଇଁ ପ୍ରସ୍ତୁତ ନଥିଲେ । ସେ କହିଲେ...‘‘ଶେଷ ପର୍ଯ୍ୟନ୍ତ ସୁଦ୍ଧା, ଏପରି ଏକତରଫା ଆଇନ ବିରୁଦ୍ଧରେ ଲଢ଼ିବା ପାଇଁ ମୁଁ ତିଆର୍ ଅଛି ! ଏ ରାଜବାଟୀର ଗୋଟାଏ ଇତିହାସ ଅଛି । ଟ୍ରଷ୍ଟ ତାକୁ ସମ୍ମାନ ଦେବ ନାହିଁ ?’’

 

ନବୀନ କପାଳ ଉପରୁ କେଇ କେରା ଅଲରା ବାଳ, ପଛକୁ ଛାଟି ଦେଇ କହିଲା...‘‘ଛାଡ଼ନ୍ତୁ ମୁଁ ସେଥିରେ ଇଣ୍ଟରେଷ୍ଟେଡ଼୍ ନୁହେଁ । ସେଇଟା ପୁରାପୁରି ଆପଣଙ୍କ ବ୍ୟକ୍ତିଗତ ବ୍ୟାପାର । କିନ୍ତୁ ଟିକୀ ସାହେବ କାବଲ୍ ପଠାଇଛନ୍ତି, ଏଷ୍ଟେଟ୍‌ରେ ତାଙ୍କ ଅଂଶ ସମ୍ପର୍କରେ ଗୋଟାଏ ଶେଷ ନିଷ୍ପତ୍ତି ପାଇଁ । ଟ୍ରଷ୍ଟ୍ କେସ୍ ସମ୍ପର୍କରେ ଆପଣଙ୍କ ସହିତ ମୋର ଆଲୋଚନା ଅପ୍ରାସଙ୍ଗିକ !’’

 

‘‘ଇନ୍ଦ୍ର ମାଧବ ମୋ ପାଖକୁ ମଧ୍ୟ କାବଲ୍ ପଠାଇଚି; କାନାଡ଼ାରୁ ଆସୁଚି ବୋଲି । ଯଦିଓ କେବେ ପହଞ୍ଚୁଛି ଜଣାଇନାହିଁ । ତମ ପାଖକୁ ପୁଣି କାବଲ୍ ପଠାଇବାର କି ପ୍ରୟୋଜନ ଥିଲା-?’’

 

‘‘ଏ ପ୍ରଶ୍ନର ଉତ୍ତର ତ ଦେଇ ପାରିବି ନାହିଁ । କିନ୍ତୁ ତାଙ୍କର ଗୋଟାଏ ଚିଠିରୁ ବୁଝୁଛି, ସେ ସସ୍ତ୍ରୀକ ଆସୁଛନ୍ତି, ମାତ୍ର ଦିନ କେତେଟା ପାଇଁ ! ତାଙ୍କର ଅଭିପ୍ରାୟ–ସେ ପହଞ୍ଚିବା ବେଳକୁ ସମ୍ପତ୍ତିବାଣ୍ଟ ସମ୍ପର୍କରେ ଯେପରି ଗୋଟାଏ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ସାମ୍ଭଥାଏ ।’’

 

‘‘ଓ !’’ ...ନୀରବରେ ଚୁରୁଟ୍‌ରୁ ଧୂଆଁ ଛାଡ଼ିବାରେ ଲାଗିଲେ ରୁଦ୍ରମାଧବ ।

 

ଟିକୀ ସସ୍ତ୍ରୀକ ଆସୁଛି, ଇଏ ତାଙ୍କ ପକ୍ଷରେ ନିଶ୍ଚୟ ଗୋଟାଏ ନୂଆ ସମ୍ୱାଦ । ଟିକୀ କେଉଁଦିନ କାନାଡ଼ାରେ କାହାକୁ ବିବାହ କଲା, ସେ ଖବର ତ ପଠାଇ ନାହିଁ ! ଟିକୀ ତାହେଲେ ଆଜି ଖ୍ରୀଷ୍ଟିଆନ୍ ! ଏ ବଂଶର ଜ୍ୟେଷ୍ଠ ସନ୍ତାନ ପୁଣି ବିବାହ କଲା ରୁଦ୍ରମାଧବଙ୍କ ଅଜଣାରେ ! ରୁଦ୍ରମାଧବ ଯେପରି ଏକ ଅବାନ୍ତର ବ୍ୟାପାର ! ମନେ ମନେ ଘୋର ଆହତ ହେଲେ ରୁଦ୍ରମାଧବ-!

 

ନବୀନ କହିଲେ...‘‘ତାଙ୍କ ଅଂଶଟା ଆପଣ ଯେପରି ସ୍ଥିର କରିବେ, ସେଥିରେ ତାଙ୍କର ଆପତ୍ତି ନାହିଁ । ଆପଣଙ୍କ ସହିତ ମୋର ସାକ୍ଷାତର ଅଭିପ୍ରାୟ—ଏ ବ୍ୟାପାର ଘେନ ଯେପରି କୌଣସି ଅଯଥା ମିସ୍ଅଣ୍ଡରଷ୍ଟାଣ୍ଡିଙ୍ଗ୍ କିମ୍ୱା ବିଳମ୍ୱ ନହୁଏ !’’

 

ଗୋଟାଏ ସ୍ପର୍ଶକାତର ପାରିବାରିକ ବ୍ୟାପାରରେ ଅଯଥା ନାସିକା ପ୍ରବେଶ କରାଉଥିଲେ, ଏଇ ଅବାଞ୍ଚିତ ସଲିସିଟର୍ !

 

ଫିତାବନ୍ଧା ଲେନସ୍ ଚଷମାଟା ଦକ୍ଷିଣ ଆକ୍ଷିରେ ଲଗାଇ, ଦୁଇ ଗହଳିଆ, ପାଚି ଧଳା ପଡ଼ିଥିବା ଭ୍ରୂଲତା ତଳୁ ରୁଦ୍ରମାଧବ ନବୀନ ଆଡ଼େ ତୀକ୍ଷ୍ଣ ଦୃଷ୍ଟି ହାଣି ଶ୍ଳେଷପୂର୍ଣ୍ଣ କଣ୍ଠରେ ଉତ୍ତର ଦେଲେ...‘‘ଯେଉଁଠି ଅଣ୍ଡର୍‌ଷ୍ଟାଣ୍ଡିଙ୍ଗ୍ ନାହିଁ, ସେଠି ମିସ୍‌ଅଣ୍ଡର୍‌ ଷ୍ଟାଣ୍ଡିଙ୍ଗ୍ ହେବ କୁଆଡ଼ୁ ? କିନ୍ତୁ ତମ ଟିକୀ ସାହେବଙ୍କର ଶୁଭଗମନ ହେଉଛି କେବେ ?’’

 

‘‘ଅଣ୍ଡର୍‌ଷ୍ଟାଣ୍ଡିଙ୍ଗ୍ ନାହିଁର ଅର୍ଥ ?’’

 

‘‘ଅତି ସୁସ୍ପଷ୍ଟ’’...ଉତ୍ତର ଦେଲେ ରୁଦ୍ରମାଧବ...‘‘ଲକ୍ଷ୍ମୀନାରାୟଣ ଏଷ୍ଟେଟ୍ ଇମ୍ପାର୍ଟିବଲ୍ । ଏଷ୍ଟେଟ୍‌ର ପ୍ରତିଷ୍ଠାତା ଦର୍ପନାରାୟଣ ତାଙ୍କ ଉଇଲ୍‌ରେ ସେଇପରି ବ୍ୟବସ୍ଥା କରି ଯାଇଛନ୍ତି । ଏଷ୍ଟେଟ୍‌ର ପୂର୍ଣ୍ଣ ସ୍ୱତ୍ୱାଧିକାରୀ, ଇଷ୍ଟଦେବତା ଲକ୍ଷ୍ମୀ ନାରାୟଣ । ଏ ବଂଶର ଉତ୍ତରାଧିକାରୀମାନେ କେବଳ ହେରିଡ଼ିଟାରୀ ଟ୍ରଷ୍ଟି ! ନିଜ ନିଜର ସ୍ୱତ୍ୱ ସେମାନେ ଭୋଗ କରିପାରିବେ କେବଳ ପ୍ରୟୋଜନ ଅନୁସାରେ । କିନ୍ତୁ ଏଷ୍ଟେଟ୍ ଭାଗବାଣ୍ଟ ହୋଇ ପାରିବ ନାହିଁ, କିମ୍ୱା ଏହାର କୌଣସି ଅଂଶ ବିକ୍ରୀ ଅଥବା ଦାନ ସୂତ୍ରରେ କାହାକୁ ହସ୍ତାନ୍ତରିତ ହେବ ନାହିଁ !’’

 

‘‘ସମ୍ପତ୍ତିକୁ ହାତମୁଠାରେ ରଖିବାର ଗୋଟାଏ ଚମତ୍କାର ବ୍ୟବସ୍ଥା !’’ —ଟିପ୍‍ପଣୀ କଲେ ନବୀନ ।

 

ରୁଦ୍ରମାଧବଙ୍କ ଆକ୍ଷି ଦୁଇଟା, ଦୁଇମୁଣ୍ଡା ରଡ଼ନିଆଁ ପରି ଦପ୍ ଦପ୍ ହୋଇ ଉଠିଲା । ନବୀନକୁ ସେ କହିବେ କି–ଗେଟ୍ ଆଉଟ୍ ୟୁ ଅପ୍‌ଷ୍ଟାର୍ଟ ? ନାଃ—ନିଜର ଦୁର୍ବଳତାକୁ ସେ ଏତେ ସହଜରେ, ଏପରି ପ୍ରକାଶ କରି ଦେବେ ନାହିଁ !

 

ରୁଦ୍ରମାଧବ, ଚୁରୁଟ୍‌ରୁ ପାଉଁଶ ଗୋଟାଏ ଆସ–ଟ୍ରେରେ ଧୀରେ ଧୀରେ ଝାଡ଼ି ଉତ୍ତର ଦେଲେ...‘‘ତୁମେ ଆବସ୍‌ଲ୍ୟୁଟ୍‌ଲୀ ରାଇଟ୍ ବୋଲି ମୁଁ କହିପାରିବି ନାହିଁ । ସମ୍ପତ୍ତିକୁ ହାତମୁଠାରେ ଅକ୍ଷୁର୍ଣ୍ଣ ରଖିବା ତ ଉଦ୍ଦେଶ୍ୟ ! କିନ୍ତୁ କେଉଁଥିପାଇଁ ? ତୁମେ ଜାଣିନାହଁ ୟଙ୍ଗ୍ ମାନ୍ ଶଦ୍ଦଟାକୁ ସେ ରେଖାଙ୍କିତ କଲେ ତୀକ୍ଷ୍ଣ ଶାଣିତ କଣ୍ଠରେ । ଜିଭରେ ଅଟକି ଗଲା, ତମ ବାପାଙ୍କୁ ପଚାରିବ—ଆମ ଏଷ୍ଠଟ୍‌ରେ କୌଣସି ପ୍ରଜା କେବେ ବଢ଼ୀ ମରୁଡ଼ୀର ଦାଉ ଜାଣି ନାହିଁ ! ବଢ଼ୀ ମରୁଡ଼ୀ ବେଳେ, ଅବାରିତ ହୋଇ ଯାଇଛି–ଖମାର ପରେ ଖମାର ! ସେମାନଙ୍କ ପାଖରୁ ଦେଢ଼ୀ ଆଦାୟ ମଧ୍ୟ ହୋଇ ନାହିଁ । ଅବିକା ତମମାନଙ୍କର ଅଭାବର ବେଳ, ନିଅ, ସେମାନେ ମଧ୍ୟ ବିନା ତାଗଦାରେ ମୂଳେ ମୂଳେ ଧାନ ଫେରାଇ ଦେଇଛନ୍ତି । ଏଷ୍ଟେଟ୍‌ରେ ଶିକ୍ଷାର ବିସ୍ତାର ହୋଇଛି ଏଇ ଆୟରୁ । ସବୁ ସମ୍ପତ୍ତି ଲକ୍ଷ୍ମୀନାରାୟଣଙ୍କର ! ନରନାରାୟଣଙ୍କ ସେବାରେ କେବଳ ଏହା ଉଦ୍ଦିଷ୍ଟ !’’

 

‘‘ନରନାରାୟଣ ?’’ ...ନବୀନଙ୍କ କଣ୍ଠରେ ଉପହାସ...‘‘ସାମନ୍ତବାଦୀ ଶୋଷଣ ଉପରେ ଚନ୍ଦନ ଛିଟା !

 

‘‘ଆଉ ଜନତା ଜନାର୍ଦ୍ଦନ ?’’ ...ରୁଦ୍ରମାଧବଙ୍କ ଅଟ୍ଟହାସରେ ମୂର୍ଚ୍ଛିତ ବୈଠକଖାନାଟା ଯେପରି ଚମକି ଉଠିଲା...‘‘ଭୋଟ ବେଳେ, ତମ ପରି ସାମ୍ୟବାଦୀ–ନାଁ କଣ ତୁମେ ? –ମାନଙ୍କର ତ ଗୋଟାଏ ପହଳି । ଜନତା ଜନାର୍ଦ୍ଦନ କହି, ତମେ ସେମାନଙ୍କୁ ଲୁଣ୍ଠିତ କର, କିନ୍ତୁ ନରନାରାୟଣ କହି, ଆମେ ସେମାନଙ୍କର ସେବା କରୁ !’’

 

ନବୀନ ଏହାର ଉତ୍ତର ଦେଇ ପାରିଲେ ନାହିଁ । ସେ କହିଲେ—‘‘ଥାଉ ଏସବୁ ବିତର୍କ ! କିନ୍ତୁ ପୂର୍ବପୁରୁଷଙ୍କ ସମ୍ପତ୍ତିରେ ଯେ ଟିକୀ ସାହେବଙ୍କର ଭାଗ ନାହିଁ, ଆଇନ ଦୃଷ୍ଟିରୁ ଦର୍ପନାରାୟଣଙ୍କ ଉଇଲ୍ ତାହାକୁ ଅସ୍ୱୀକାର କରିପାରିବ କିପରି ?’’

 

ରୁଦ୍ରମାଧବ ଉତ୍ତର ଦେଲେ...‘‘ଏଷ୍ଟେଟ୍‌ ଇମ୍ପାର୍ଟିବଲ୍ । ସେଥିପାଇଁ ଆମର ବହୁ ଜମି ଚାଲିଗଲା । ଆମେ ଇଚ୍ଛା କରିଥିଲେ, ପ୍ରତ୍ୟେକେ ନିଜ ନିଜ ନାଁରେ, ଭାଗବାଣ୍ଟ ହୋଇଛି ଦେଖାଇ, ଜମି ରଖି ପାରିଥାନ୍ତୁ । ଭାଗଚାଷୀମାନେ ନେଲେ ତାର ପୁରା ସୁବିଧା । ଟିବୀର ସ୍ୱତ୍ୱ ମୁଁ ତ ଅସ୍ୱୀକାର କରି ନାହିଁ । ତା ଭାଗରେ ରାଜବାଟୀ ପଶ୍ଚିମ ସାହାଲର ଯେଉଁ ଘର ଗୁଡ଼ାକ ପଡ଼ିଛି; ତାକୁ ଭଡ଼ା ନେଇଛି ପୋଲ୍‌ ଟ୍ରୀ ଡେଭଲପ୍‌ମେଣ୍ଟ୍ କରପୋରେସନ୍ । ସେଥିରୁ ଭଡ଼ା ଟିକୀ ନାଁରେ ବ୍ୟାଙ୍କ୍ ରେ ନିୟମିତ ଡିପୋଜିଟ ହେଉଛି । ମଫସଲ ସମ୍ପତ୍ତିରୁ ଆୟ ମଧ୍ୟ ।’’

 

ନବୀନ ବେଆଦବ୍ ।

 

ହଜୁରଙ୍କ ସାମନାରେ ପୁଣି ସିଗ୍ରେଟ୍ ଲଗାଉଛି !

 

ତା ଉପରେ ପୁଣି କିସ୍ତୀମାତ୍ କରିବା ପରି କଣ୍ଠରେ...‘‘ତାହେଲେ ଆପଣ ତ ପାର୍ଟିସନକୁ ସ୍ୱୀକାର କରି ନେଇ ସାରିଛନ୍ତି । ପାର୍ଟିସନ୍‌ର ସେଇ ବ୍ୟବସ୍ଥା ଅନୁସାରେ, ଟିକୀସାହେବ ଯଦି ତାଙ୍କ ଅଂଶ ବିକ୍ରୀ ଅଥବା ହସ୍ତାନ୍ତର କରି ଦେବାକୁ ବସନ୍ତି, ତାହେଲେ ଆପଣ ତାହା ଅସ୍ୱୀକାର କରି ପାରିବେ କିପରି ?’’

 

‘‘ବେଆଦବ !’’ ମନେ ମନେ ବିସ୍ଫୋରଣ କରି ଉଠୁଥିଲେ ରୁଦ୍ରମାଧବ ।

 

‘‘ତୁମ ସହିତ ତର୍କ କରିବା ପାଇଁ ମୋର ସମୟ ନାହିଁ । ଟିକୀ ଆସିଲେ, ସବୁକଥା ନିଜେ ବୁଝାଇ ଦେବି ମୁଁ । ଆଇନ ଯାହା ହେଉପଛେ, ଦର୍ପନାରାୟଣଙ୍କ ଉଇଲକୁ ମୁଁ ଅସ୍ୱୀକାର କରିପାରିବି ନାହିଁ; କିମ୍ୱା ମୋ ଆକ୍ଷି ଆଗରେ ଲକ୍ଷ୍ମୀନାରାୟଣ ଏଷ୍ଟେଟ୍‌କୁ ଖଣ୍ଡବିଖଣ୍ଡ ହେବାକୁ ଦେବି ନାହିଁ । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଲକ୍ଷ୍ମୀନାରାୟଣ ଏଷ୍ଟେଟ୍ ରହିଥିବ ଅନ୍‌ଡ଼ିଭାଇଡ଼େଡ଼୍, ଅବିଭାଜ୍ୟ !’’

 

ସଲିସିଟ୍‌ର ନବୀନ ମହାପାତ୍ର ବୁଝନ୍ତି ଆଇନର ବ୍ୟାଖ୍ୟା–ଭାବପ୍ରବଣତା, ସେଣ୍ଟିମେଣ୍ଟ୍‍ର କୌଣସି ଅର୍ଥ ତାଙ୍କ ପାଖରେ ନାହିଁ । ସେ ଅସହିଷ୍ଣୁ କଣ୍ଠରେ କହିଲେ...‘‘କାଳ ବଦଳି ଗଲାଣି, ମିଷ୍ଟର୍ ଦେଓ ! ପରିବର୍ତ୍ତିତ କାଳର ସ୍ୱରୂପକୁ ଟିକୀ ସାହେବ ଚିହ୍ନିଛନ୍ତି । ଆପଣ ମଧ୍ୟ ଚିହ୍ନି ପାରିଲେ ଶାନ୍ତି ପାନ୍ତେ । ଅନେକ ସମସ୍ୟାର ସମାଧାନ ସହଜ ହୋଇ ପାରନ୍ତା ! ଆଚ୍ଛା ଉଠେ ଏଥର...’’

 

ନବୀନ ଗୋଟାଏ ଠାଣୀରେ ଉଠି ଚାଲିଗଲେ ।

 

ନବୀନ ଚାଲିଯିବା ପରେ, ରୁଦ୍ରମାଧବ ଛାମୁକରଣଙ୍କୁ କହିଲେ...‘‘ଦେଖୁଚ ଦୟାନିଧି, ଲୋକଟା କି ଅପ୍‌ଷ୍ଟାର୍ଟ ! ରାଜାସାହେବ ସୁଦ୍ଧା କହିଲା ନାହିଁ ! କହିଲା ମିଷ୍ଟର ଦେଓ !’’

 

ହୋଇପାରେ ରାଜାସାହେବ ବ୍ରିଟିଶ ଅମଳର ଗୋଟାଏ ଅର୍ଥହୀନ ଖେତାବ୍ । ହୋଇପାରେ ଆଜି କାଞ୍ଚନଗଡ଼ ଜମିଦାରୀ ନାହିଁ ହାତରେ, ତଥାପି ସେ ତ ଲୋକସ୍ୱୀକୃତିରେ ରାଜାସାହେବ !

 

ରୁଦ୍ରମାଧବ ବିସ୍ଫୋରଣ କରି ଉଠିଲେ...‘‘ଅଥଚ ଏଇ ରାଜବାଟୀର ଅନ୍ନରେ ସେ ପ୍ରତିପାଳିତ । ଆଉ ଦିନେ ଏ ଲୋକଟାର ମୁହଁ ମୁଁ ଦେଖିବା ପାଇଁ ଚାହେଁ ନାହିଁ ଏଠି ।’’

 

ଦୟାନିଧିଙ୍କ ମୁଣ୍ଡରେ କିନ୍ତୁ ମୋକଦ୍ଦମାର ତେନ୍ତୁଳିଆ ବିଚ୍ଛା ! ହଜୁର ସିନା, ରାଜବାଟୀ ଆଉ ଖେତାବ୍‌କୁ ଧରି, ଏଠି ନିଶ୍ଚିନ୍ତରେ ହୁକା ଟାଣୁଛନ୍ତି, ନୋହିଲେ ମୋକଦ୍ଦମାର ଅସଲ ଝିଞ୍ଜଟ୍ ତ ତାଙ୍କରି ମୁଣ୍ଡରେ ! ନବୀନ ଠିକ୍ କଥା କହୁଥିଲେ । ରାଜାସାହେବ ଏଇ ସରଳ କଥାଟା କିପରି ବୁଝିପାରୁ ନାହାନ୍ତି, ଆଶ୍ଚର୍ଯ୍ୟ ! ସେ ମୁଣ୍ଡ କୁଣ୍ଡାଇ କହିଲେ...‘‘ଟିକୀ ସାହେବ ଓକୀଲ ଲଗାଇଲେଣି-। ଆମ ଓକିଲ ସୌରିନ୍ଦ୍ର ବାବୁ ବି ସେଇ କଥା କହୁଛନ୍ତି–ଆଇନରେ ବୁଢ଼ାରାଜାଙ୍କ ଉଇଲ୍‌ର ସେପରି କୌଣସି ଜୋର୍ ନାହିଁ ! ପୂର୍ବପୁରୁଷାର୍ଜିତ ସମ୍ପତ୍ତିରେ କୌଣସି ଉତ୍ତରାଧିକାରୀକୁ ତାର ଅଂଶରୁ ବଞ୍ଚିତ କରାଯାଇ ନପାରେ ! ହଜୁର, ମଝିଆଁ ସାଅନ୍ତଙ୍କ ମତାମତ ଲୋଡ଼ିଲେ, ଭଲ ହୁଅନ୍ତା-!’’

 

ରୁଦ୍ରମାଧବଙ୍କ ଦୁଇ ଓଠ ତାତ୍ସଲ୍ୟମିଶ୍ରିତ ହସର ଗୋଟାଏ କ୍ଷୀଣ ରେଖାରେ କୁଞ୍ଚିତ ହୋଇଉଠିଲା । ବାୟା ଚଢ଼େଇର କି ଯାଏ, ବାଆ କଲେ ବସା ଦୋହଲୁଥାଏ । ବ୍ରିଟିଶ ଅମଳରେ ଜମିଦାରୀ ଉଚ୍ଛେଦ ଆନ୍ଦୋଳନରେ, ଏଇ ମଝିଆଁ ସାଆନ୍ତ ନେଇଥିଲେ ନେତୃତ୍ୱ ! ନୋହିଲେ ପ୍ରଜାମେଳିଟା ଏପରି ଆକାର ଧରିଥାନ୍ତା ? ଏବେ ସିଏ ଭୂଦାନୀ । ଉପରେ ଗାନ୍ଧୀ ମହାରାଜାଙ୍କ ଚିତା ତିଳକ । କିନ୍ତୁ ଦଳେ ନକସାଲାଇଟ୍‌ଙ୍କୁ ଚଣ୍ଡୀଚାମୁଣ୍ଡା ପରି ସାଙ୍ଗରେ ଧରି ବୁଲୁଛନ୍ତି । ମଝିଆଁ ସାଆନ୍ତଙ୍କ ସାହାଲାରେ ସେମାନଙ୍କର ଖଟୀ ! ମଝିଆଁ ସାଆନ୍ତଙ୍କ ପହଳି–‘‘ସବ୍ ଭୂମି ଗୋପାଳ୍‌କା’ ସିଏ କ’ଣ ବୁଝିବେ ସମ୍ପତ୍ତି କଥା ?

 

‘‘ମଝିଆଁ ସାଆନ୍ତ କାହାନ୍ତି ?’’

 

‘‘ଦଳେ କର୍ମୀ ନେଇ ଯାଇଛନ୍ତି ବନ୍ୟାଞ୍ଚଳକୁ । ଫେରିବେ ଦିନେ ଦୁଇ ଦିନ ପରେ ।’’

 

ରୁଦ୍ରମାଧବଙ୍କ କଣ୍ଠରେ ପରିହାସର ସ୍ୱର–‘‘ବନ୍ୟା ହୋଇଛି, ସରକାର ବାଣ୍ଟୁଛନ୍ତି ରିଲିଫ୍-। ତଦାରଖ କରୁଛନ୍ତି ସରକାରୀ କର୍ମଚାରୀ ଆଉ ଏମ୍. ଏଲ. ଏ. ଙ୍କ ଠାରୁ ସରପଞ୍ଚ-! ମଝିଆଁ ସାଆନ୍ତ ଆଣ୍ଠୁ ତଳକୁ ଲୁଗା ପିନ୍ଧି, କାନ୍ଧରେ ମୁଣା ଝୁଲାଇ ବଢ଼ୀ ଇଲାକାରେ କରିବେ କଣ-? କରୁଛନ୍ତି କଣ ? ଏବେ ତ ଧାନ ବିକ୍ରୀ ଠାରୁ ବଢ଼ୀ ମରୁଡ଼ୀ ପର୍ଯ୍ୟନ୍ତ ସବୁଠି ସରକାର !’’

 

ତଥାପି ଇଏ ମଝିଆଁ ସାଆନ୍ତଙ୍କ ପୁରୁଣା ଦିନର ଅଭ୍ୟାସ । ଯୌବନରେ ସେ ମିଶିଥିଲେ ଗାନ୍ଧୀ ମହାରାଜଙ୍କ ଦଳରେ–ବୁଢ଼ାରାଜାଙ୍କ ସବୁ ଆପତ୍ତି ପ୍ରତିବାଦ ସତ୍ତ୍ୱେ ! ଦୟାନିଧି ବା କଣ ଦେବେ ହଜୁରଙ୍କ ପ୍ରଶ୍ନର ଉତ୍ତର ? ସେ ଉତ୍ତର ସିନା ଦେଇ ପାରିବେ ମଝିଆଁ ସାଆନ୍ତ । ଦୟାନିଧି ନୀରବ ରହିଲେ । ବାପ ପୁଅ ହୁଅନ୍ତୁ ବୁଝାବୁଝି ! ହଜୁର୍ ଯେ ଗୋଟାଏ ଅକାରଣ ଯିଦ୍ ଧରି ବସିଛନ୍ତି, ସେଥିରେ ଦୟାନିଧିଙ୍କର ସନ୍ଦେହ ନଥିଲା ।

 

‘‘ଜେମା କାହିଁ ? ତାର ସ୍ୱର ଶଦ୍ଦ ତ ଶୁଭୁ ନାହିଁ !’’

 

...ଏକମାତ୍ର କନ୍ୟା ଋତୁପର୍ଣା ବ୍ୟତୀତ, ସେଇ ଧ୍ୱଂସସ୍ତୂପ ମଧ୍ୟରେ ରୁଦ୍ରମାଧବଙ୍କର ଆଉ କେହି ସ୍ୱଜନ ନଥିଲେ । ଦୁଇ ପୁଅ ତ ବିଦେଶରେ । ସେମାନଙ୍କ ସହିତ ଆଉ ସମ୍ପର୍କ ନାହିଁ । ରୁଦ୍ରମାଧବ କେବଳ ଯଖ ପରି ଆଗୋଳି ବସିଛନ୍ତି ଗୋଟାଏ ଧ୍ୱଂସାବଶେଷ !

 

ଜେମାଙ୍କ ଖବର କଣ ବା ରଖିବେ ଛାମୁଁ କରଣ ?

 

ଋତୁପର୍ଣାର ଧାରଣା ଛାମୁଁ କରଣ ଇଂରାଜୀ ବୁଝନ୍ତି ନାହିଁ । ତା ମଧ୍ୟ ଦୟାନିଧି ସତା ଇଂରାଜୀର ଧାର ଧାରି ନାହାନ୍ତି । କିନ୍ତୁ ରାଜବାଟୀରେ ଛାମୁଁ କରଣ ରହି, କିଛି କିଛି ଇଂରାଜୀ ସିଏ ଯେ ବୁଝି ପାରନ୍ତି ନାହିଁ, ନୁହେଁ । ଦିନେ ଜେମା ସେଇ ଲମ୍ୱାକଲୀବାଲା ସ୍କୁଟର୍ ପଛରେ ତା ଅଣ୍ଟାକୁ ଜାବୋଡ଼ି ବସି ସଦର ଫାଟକରୁ ବାହାରି ଯିବା ବେଳେ, ହଠାତ ହାବୁଡ଼ରେ ପଡ଼ିଗଲେ, ଛାମୁଁ କରଣ । ଋତୁପର୍ଣା ଚପଳା ପରି, ତାର ଲମ୍ୱା ଆଙ୍ଗୁଳି କେତେଟା ସାପ ଫେଣା ପରି ହଲାଇ, କୌତୁକିନୀ କଣ୍ଠରେ କହିଲା...ଟା–ଟା !

 

ଛାମୁଁ କରଣଙ୍କ ସହିତ ଲମ୍ୱାକଲୀବାଲାର ସେଇ ପ୍ରଥମ ସାକ୍ଷାତ ! ଦିନ ଦିପହରଟାରେ, ଗୋଟା, ଟୋକାର ଅଣ୍ଟାକୁ ଜାବୋଡ଼ି, ଏମିତି କୋଉ ଭଦ୍ର ବୁନିଆଦ୍ ଘର ଝିଅ ସ୍କୁଟର୍ ପଛରେ ବସେ ନାଁ କଣ ? ନହେଲେ, ବସିବାର ଆଉ ଅନ୍ୟ କି ଉପାୟ ଅଛି ? ସ୍କୁଟର୍ ପିଲିଆନ୍‌ରେ ବସିଲେ ଇ ଅଣ୍ଟାକୁ ଆଶ୍ରୟ କରିବା ପାଇଁ ପଡ଼ିବ । କିନ୍ତୁ ଦୃଶ୍ୟଟା ଦୟାନିଧିଙ୍କର ବଡ଼ ଦୃଷ୍ଟି କଟୂ ହୋଇଥିଲା ।

 

ଲମ୍ୱାକଲୀବାଲା ପଚାରିଲା...‘‘କିଏ ସେ ?’’

 

ଦୟାନିଧିଙ୍କ କାନରେ ବାଜିଲା, ଋତୁପର୍ଣାର ଖିଲ୍ ଖିଲ୍ କଣ୍ଠରେ ଇଂରାଜୀରେ ଉତ୍ତର...‘‘ହି ଇଜ୍ ଏ ଡିଅର୍ ଓଲ୍‌ଡ଼ ଫୁଲ !’’

 

ଦୟାନିଧି ବୁଝିଲେ ଓଲଡ଼୍ ଫୁଲ୍‌ର ଅର୍ଥ । ହଜୁର୍ ଥରେ ଥରେ କାହାକୁ କାହାକୁ ଗାଳି ଦେଇଥାନ୍ତି–‘ଓଲଡ଼୍ ଫୁଲ’ ରାଗିଥିଲେ ! ତାହେଲେ, ବିନା କାରଣରେ ତାଙ୍କ ଝିଅ ବୟସରେ ଜେମା, ଯାହାକୁ ମଧ୍ୟ ସିଏ ଝିଅ ଜ୍ଞାନରେ ଦେଖନ୍ତି, ଯାହାକୁ କୋଳରେ କାଖେଇ, ପିଲା ଦିନେ ସେ କେତେ ପ୍ରଜାପତି ଧରି ଦେଇଛନ୍ତି, ତାଙ୍କୁ ଗାଳି ଦେଲା ଓଲ୍‌ଡ଼ ଫୁଲ୍ ବୋଲି ! ଜେମା ଅବଶ୍ୟ ‘ଓଲ୍‌ଡ଼୍‌ ଫୁଲ୍’ କହିଥିଲେ ଶ୍ରଦ୍ଧାରେ ! କିନ୍ତୁ ଦୟାନିଧି ବୁଝିଲେ ବିପରୀତ ! ସେହି ଦିନୁ ଜେମାଙ୍କ ଗତିବିଧି ସମ୍ପର୍କରେ ସେ ସ୍ପୃହାହୀନ !

 

ତଥାପି ଜେମାଙ୍କୁ ଘେନି, ଥରେ ଥରେ ତାଙ୍କୁ ନାନା ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ପଡ଼ିଥାଏ ।

 

ସେଦିନ ପଲାଶପୁର ରାଜବାଟୀରୁ ହଠାତ୍ ଡକାଇ ପଠାଇଥିଲେ, ଅହୀନ୍ଦ୍ର ଚୌଧୁରୀ । ତାଙ୍କ ପୁଅ ମଣୀନ୍ଦ୍ର ସହିତ ଋତୁପର୍ଣ୍ଣାର ବିବାହ ସମ୍ପର୍କରେ ଘଟକତା କରୁଥିଲେ ଦୟାନିଧି । ସେହି ସୂତ୍ରରେ ଅହୀନ୍ଦ୍ରଙ୍କ ସହିତ ଦୟାନିଧିଙ୍କ ପରିଚୟ ଥିଲା ଘନିଷ୍ଠ–ସହଜେ ସେ ତ ରୁଦ୍ରମାଧବଙ୍କ ରାଜବାଟୀରେ ଛାମୁଁ କରଣ !

 

ବିବାହ ପ୍ରସ୍ତାବତ ଋତୁପର୍ଣା ଜିଦ୍‌ରେ ଭାଙ୍ଗିଗଲା । ମଣୀନ୍ଦ୍ରର ମଙ୍ଗଳକୃତ୍ୟ ଇତିମଧ୍ୟରେ ବଢ଼ିଗଲାଣି, ଆସାମରେ ଜଣେ ଚା’ ବାଗାନ୍ ମାଲିକଙ୍କ ଏକମାତ୍ର କନ୍ୟା ସହିତ । ଯୌତୁକ ହିସାବରେ ମଣୀନ୍ଦ୍ର ମଧ୍ୟ ପାଇଛନ୍ତି ବିପୁଳ ସମ୍ପତ୍ତି ! ବରଂ ଏ ପ୍ରସ୍ତାବ ଭାଙ୍ଗିବା ଫଳରେ ଲାଭ ହୋଇଛି ଅହୀନ୍ଦ୍ରଙ୍କର ।

 

ତା’ ହେଲେ ହଠାତ୍ ଦୟାନିଧିଙ୍କୁ ଡକାଇ ପଠାଇବାର ମତଲବ୍ କଣ ?

 

‘‘ତୁମର ରାଜା ସାହେବ କିପରି ଅଛନ୍ତି ?’’ ‘‘ଆଉ ସବୁ ଖବର କଣ ?’’ ...ଇତ୍ୟାଦି କେତେକ ଲୌକିକ ଜିଜ୍ଞାସା ପରେ ଅହୀନ୍ଦ୍ର ଚୌଧୁରୀ ହୁକାଧୂଆଁର କୁଣ୍ଡଳୀ ଭିତରେ ଗୋଟାଏ ଅଦ୍‌ଭୁତ ଟିପ୍ପଣୀ କଲେ, ଯାହାର କୌଣସି ପୂର୍ବାପର ସଙ୍ଗତି ନଥିଲା– । ଅହୀନ୍ଦ୍ର କହିଲେ...‘‘ଶୁଣିଥିଲି ନୀଳମାଧବଙ୍କ କାଳରୁ କାଞ୍ଚନଗଡ଼ ଉଆସରେ ବନାରସୀ ଖେମ୍‌ଟାବାଲୀ ମାନଙ୍କର ଖୁବ୍ କଦର୍ ଥିଲା । କିନ୍ତୁ ଏବେ କଞ୍ଚନଗଡ଼ର ଜେମାମାନେ ସୁଦ୍ଧା ବିଚ୍ ବଜାରରେ ଖେମ୍‌ଟା ନାଚୁଛନ୍ତି, ଏ ଧାରଣା ତ ମୋର ନଥିଲା !’’

 

କାଞ୍ଚନଗଡ଼ ପ୍ରତି ଏ ପ୍ରକାର ଇତର ଆକ୍ଷେପରେ ଦୟାନିଧିଙ୍କ ଦେହ ଯେପରି ଜଳି ଉଠିଲା । ସେ କ୍ଷୁର୍ଣ୍ଣ କଣ୍ଠରେ ଉତ୍ତର ଦେଲେ...‘‘ଆପଣ ପାଗଳ ପରି କଣ ବକି ଯାଉଛନ୍ତି ହଜୁର-?’’

 

‘‘ଋତୁପର୍ଣା ଯେପରି ମଣୀନ୍ଦ୍ରକୁ ପ୍ରତ୍ୟାଖାନ କଲେ, ତାର ଜ୍ୱାଳା ଭୁଲିନଥିଲେ ଅହୀନ୍ଦ୍ର କିମ୍ୱା ମଣୀନ୍ଦ୍ର । ଅହୀନ୍ଦ୍ରଙ୍କ ଧାରଣା ଥିଲା–ଏ ମଧ୍ୟ ତାଙ୍କର କୌଳୀନ୍ୟ ପ୍ରତି ଗୋଟାଏ ଆକ୍ଷେପ ! ମଣୀନ୍ଦ୍ର ଋତୁପର୍ଣା ପ୍ରତି ଥିଲେ ଇର୍ଷାଜର୍ଜରିତ । ଋତୁପର୍ଣାକୁ ଦଂଶନ କରିବା ପାଇଁ ସେମାନେ ଉତ୍‌ଫେଣ ହୋଇ ରହିଥିଲେ । ଦୟାନିଧି ମଧ୍ୟ କମ୍ ଆହତ ହୋଇ ନଥିଲେ ଋତୁପର୍ଣା ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରେ । କିନ୍ତୁ ଦୟାନିଧି ଜାଣନ୍ତି, ରୁଦ୍ରମାଧବ ଏଥିରେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ-। ରୁଦ୍ରମାଧବଙ୍କର ଏ ବିବାହରେ ଆପତ୍ତି ନଥିଲା । କିନ୍ତୁ ପ୍ରସ୍ତାବ ଭାଙ୍ଗିଲା, ଋତୁପର୍ଣାର ଖିଆଲ୍‌ ରେ । ପ୍ରସ୍ତାବ ପଡ଼େ ଭାଙ୍ଗେ । ଇଏ ଗୋଟାଏ ସଚରାଚର ନିୟମ । ତା ବୋଲି ଅହୀନ୍ଦ୍ର ଚୌଧୁରୀ, ଏପରି ଗୋଟାଏ ଇତର ଆକ୍ଷେପ କରିବେ, ତାଙ୍କର ଅନ୍ନଦାତା କାଞ୍ଚନଗଡ଼ ରାଜବଂଶ ପ୍ରତି–ପୁଣି ଦୟାନିଧିଙ୍କ ମୁହଁ ଉପରେ ?

 

‘‘ମୁଁ ତଥାପି ପାଗଳ ହୋଇନାହିଁ ଦୟାନିଧି ! କିନ୍ତୁ ତୁମର ଜେମା ଆମ ମାନଙ୍କର ମୁଣ୍ଡ ଲଜ୍ଜାରେ ତଳକୁ ନୁଆଇଁ ଦେଇଛନ୍ତି !’’ –ଅହୀନ୍ଦ୍ରଙ୍କ କଣ୍ଠରେ କଠୋରତା । ସେଥିରେ ଅଳ୍ପପୂର୍ବର ଦଂଶନ–ତୀବ୍ର ଚପଳତା ନଥିଲା ।

 

‘‘ମାନେ ?’’

 

ଅହୀନ୍ଦ୍ର ଦରାଜରୁ ଖଣ୍ଡେ ଫଟୋଗ୍ରାଫ୍ କାଢି, ବଢ଼ାଇଦେଲେ ଦୟାନିଧିଙ୍କ ଆଡ଼େ–‘‘ଦେଖ ଏଇ ଫଟୋଗ୍ରାଫ୍‌ଟା ! ତମର ରାଜାସାହେବଙ୍କୁ ଦେଇ ଦେବ ଏଟା–ଉଇଥ୍ ମାଇ କମ୍‌ପ୍ଲିମେଣ୍ଟସ୍ ! କିନ୍ତୁ ସାବଧାନ ରହନ୍ତୁ ତମର ରାଜାସାହେବ ! ସହରରେ କ୍ରମେ ଇଏ ଗୋଟାଏ ସ୍ପାଣ୍ଡାଲ ହୋଇ ଉଠିଲାଣି !’’

 

ଫଟୋଟାକୁ ଦେଖି ଦୟାନିଧି ପ୍ରଥମେ ନିଜ ଆକ୍ଷିକୁ ବିଶ୍ୱାସ କରି ପାରିଲେ ନାହିଁ । ଗୋଟାଏ ହୋଟେଲ୍‌ରେ ଡାନ୍‌ସ୍‌–ଫ୍ଳୋର୍‌ରେ ଋତୁପର୍ଣାଙ୍କୁ ଆଲିଙ୍ଗନ କରି ନାଚୁଛି, ସେଇ ଲମ୍ୱାକଲୀବାଲା ! ଆଲିଙ୍ଗନର ଭଙ୍ଗୀରେ ଆବ୍ରୁହୀନ ଅଶ୍ଳୀଳତା...ଦୟାନିଧିଙ୍କ ଆକ୍ଷିରୁ ସୁଦ୍ଧା ବାଦ୍‌ ପଡ଼ୁନଥିଲା ।

 

ଦୟାନିଧି କହିଲେ...‘‘ଦି’ଜଣ ଲମ୍ୱାବାଳିଆ ଟୋକା ନାଚୁଛନ୍ତି ହଜୁର !’’ ଜେମା ବେଲବଟମ୍ ଆଉ ଗୋଟାଏ ଟି’ସାର୍ଟ୍ ପିନ୍ଧି ପ୍ରକୃତରେ ଦେଖାଯାଉଥିଲେ, ଗୋଟାଏ ଲମ୍ୱାବାଳିଆ ଟୋକା ପରି ! ଯଦ୍ୟପି ଋତୁପର୍ଣାକୁ ଚିହ୍ନିବାରେ ଅସୁବିଧା ନଥିଲା ।

 

ଅହୀନ୍ଦ୍ର କହିଲେ...‘‘ତମର ଦୃଷ୍ଟ ଶକ୍ତି କ୍ଷୀଣ ହେଲାଣି ଦୟାନିଧି, ଭଲ କରି ଦେଖିଲେ ଚିହ୍ନି ପାରିବ ତମର ଜେମାଙ୍କୁ !’’

 

ଦୟାନିଧି ଲଜ୍ଜ୍ୟାରେ ମୁଣ୍ଡ ନୁଆଇଁ ଚାଲି ଆସୁଥିଲେ, ଅହୀନ୍ଦ୍ର କହିଲେ–‘‘ଏ ଫଟୋଗ୍ରାଫ୍‌ଟା ଦେଇଦେବ ତମର ରାଜାସାହେବଙ୍କୁ; ନୋହିଲେ ତମ କଥା ସେ ବିଶ୍ୱାସ କରିବେ ନାହିଁ !’’

 

ଦୟାନିଧି ସେ ଫଟୋଟା କିନ୍ତୁ ରୁଦ୍ରମାଧବଙ୍କୁ ଦେଇନଥିଲେ । କିମ୍ୱା ଅହୀନ୍ଦ୍ରଙ୍କ ସହିତ ତାଙ୍କ ସାକ୍ଷାତର କୌଣସି ସମ୍ୱାଦ ତାଙ୍କୁ ଜଣାଇ ନଥିଲେ । ଏ ଫଟୋଗ୍ରାଫ୍ ଦେଖିଲେ, ଅହୀନ୍ଦ୍ରଙ୍କ ଟିପ୍ପଣି ଶୁଣିଲେ, ରୁଦ୍ରମାଧବ ଯେପରି ମର୍ମାହତ ହେବେ, ଦୟାନିଧି ସ୍ପଷ୍ଟ କଳନା କରି ପାରୁଥିଲେ । ଗତବର୍ଷ ହଜୁର୍ ଉଠିଛନ୍ତି ଗୋଟାଏ ଷ୍ଟ୍ରୋକ୍‌ରୁ–ତା ପରେ ଏ ଫଟୋଗ୍ରାଫ୍ ଦେଖିଲେ, ହଜୁରଙ୍କର ଯେ ଆଉ ଥରେ ଷ୍ଟ୍ରୋକ୍ ନ ହେବ, ତାର କେଉଁ ସ୍ଥିରତା ଅଛି ? ରୁଦ୍ରମାଧବଙ୍କ କନ୍ୟା ପୁଣି ଅକୁଣ୍ଠିତା ପରି ଯନ୍ତ୍ର ତନ୍ତ୍ର ଏପରି ନାଚିବ, ଗୋଟାଏ ଅଜ୍ଞାତକୁଳଶୀଳକୁ ଆଲିଙ୍ଗନ କରି ? ହଜୁର୍ ଜେମାକୁ କାହିଁକି ଆକଟ କରୁନାହାନ୍ତି କେଜାଣି ? –ସେଇ ଲମ୍ୱାକଲୀବାଲାଟାର ଉଆସରେ ତ ଅବାଧ ପ୍ରବେଶ । ରୁଦ୍ରମାଧବ ମନେ ମନେ ବିସ୍ଫୋରଣ କରନ୍ତି । କିନ୍ତୁ ଜେମା, ରୁଦ୍ରମାଧବଙ୍କ ଉପରେ ଢଳି ପଡ଼ି, ତାଙ୍କ ମୁଣ୍ଡ ଉପରେ ଆଙ୍ଗୁଳି ବୁଲାଇ ନେଲେ–ସବୁ ଚୁପ୍ ! ଅଲିଅଳୀ ଝିଅ ତ ! ତା ବୋଲି......

 

କିନ୍ତୁ ଦୟାନିଧି ଫଟୋଟା କେଉଁଠି ରଖିବେ, ତାହାହିଁ ତାଙ୍କ ପକ୍ଷରେ ହୋଇଥିଲା ସମସ୍ୟା । ଘରେ ପିଲାମାନେ ବଡ଼ ହେଲେଣି ! ଶେଷକୁ ଠାକୁର ଖଟୁଲୀ ଉପରେ ପତ୍ରକାନମୋଡ଼ା ଏକାଦଶ ସ୍କନ୍ଧ ବହି ଭିତରେ ଦୟାନିଧି ସେ ଫଟୋଟାକୁ ରଖିଦେଇଥିଲେ, ସୁରକ୍ଷିତ ସ୍ଥାନ ଭାବି । ଏକାଦଶ ସ୍କନ୍ଧରେ, ତାଙ୍କ ପରିବାରରେ କାହାର ପ୍ରୟୋଜନ ନଥାଏ । ତେଣୁ ତାରି ଗର୍ଭ ହିଁ ନିରାପଦ–ଏ ବିସ୍ଫୋରକ ବସ୍ତୁକୁ ରଖିବାପାଇଁ । କିନ୍ତୁ ଦୁର୍ଯ୍ୟୋଗକୁ ଦିନେ ଦୟାନିଧିଙ୍କ ସ୍ତ୍ରୀ ରୁକ୍ମିଣୀଙ୍କର ଜାଗିଲା ଭାଗବତ ପାରାୟଣ ପିପାସା ! ଏକାଦଶସ୍କନ୍ଧଟା ଖୋଲିଲା ବେଳକୁ ତା ଭିତରେ ମିଥୁନନୃତ୍ୟର ଫଟୋଗ୍ରାଫ୍ ! ରୁକ୍ମିଣୀତ କ୍ରୋଧରେ କାଣ୍ଡଜ୍ଞାନଶୂନ୍ୟ ! ବୁଢ଼ାଦିନେ, ଚତୁର୍ଥା ବସ୍ଥାରେ, ରଖାଯାଉଛି ପୁଣି ଏପରି ଚିତ୍ର ! ରୁକ୍ମିଣୀଙ୍କ ଆକ୍ଷିରୁ ବାଦ୍ ପଡ଼ୁ ନଥିଲା, ଇଏ ତ ମିଥୁନନୃତ୍ୟ ନୁହେଁ–ଇଏ ନୃତ୍ୟମୈଥୁନ !

 

ଏଇ ଫଟୋଗ୍ରୋଫ୍ ଘେନି ପରିବାରରେ ସେଦିନ କି କଳହ ! ରୁକ୍ମିଣୀଙ୍କର କି ବାକ୍ୟାଘାତ ! ......‘‘ଇଏ ତ ଜେମା !’’

 

‘‘ନା ହେ ସିଏ କାହିଁକି ଜେମା ହେବ ? କିଏ କେଉଁଠି ସେଇଟା ଆଣି ପୋଥି ଭିତରେ ରଖିଦେଇଥିବ !’’

 

ରୁଦ୍ରମାଧବଙ୍କୁ ସେ ଫଟୋଟା ଦୟାନିଧି ଆଉ ଦେଇ ନଥିଲେ । ସେଇ ପାରିବାରିକ କଳହ ପରେ, ଫଟୋଟାକୁ ଟିକି ଟିକି ଚିରି ଦୟାନିଧି ପକାଇଦେଇଥିଲେ ଡଷ୍ଟ୍ ବିନ୍‌ରେ ! ଆଗରୁ ଚିରି ଫିଙ୍ଗିଦେଇ ନଥିଲେ, କାହିଁକି କେଜାଣି ? କିନ୍ତୁ ତା ପରଠାରୁ ଜେମାଙ୍କ ସମ୍ପର୍କରେ ଟିକି ନିଖି ଖବର ରଖିବା, ଦୟାନିଧିଙ୍କର ଏକ ବ୍ୟାଧିତ କୌତୁହଳ !

 

ରୁଦ୍ରମାଧବ ପୁଣି ସ୍ୱଗତୋକ୍ତି କଲେ...‘‘ଜେମା ତ ଆଜି ଲଞ୍ଚ୍ ପାଇଁ ଆସି ନାହିଁ ! ଉପରେ ତାର ସ୍ୱର ଶଦ୍ଦ ନାହିଁ !’’

 

ଦୟାନିଧି ନୀରବ ରହିଲେ......ଜେମା ଏବେ କୋଉ କ୍ଲବର ସୁଇମିଙ୍ଗ୍ ପୁଲ୍‌ରେ କାଛିଆ ପରି ଅଧାଲଙ୍ଗୁଳୀ ପୋଷାକ ପିନ୍ଧି ପହଁରୁ ଥିବେ, ଆଉ ସେଇ ଲମ୍ୱାବାଳିଆ, ଜୁଲ୍‌ଫିବାଲା ଟୋକା ସୁଇମିଙ୍ଗ୍ ପୁଲ୍ ଧାରରେ ସେଇପରି ପୋଷାକ ପିନ୍ଧି, ବିଅର୍ ତେଣ୍ଡୁଥିବ, ସେ ଖବର ରଖିଛନ୍ତି ଦୟାନିଧି–କିନ୍ତୁ ରୁଦ୍ରମାଧବଙ୍କୁ ସେ ଖବର ଦେଇ ଲାଭ କଣ ?

 

ରୁଦ୍ରମାଧବଙ୍କର ମନେ ପଡ଼ିଗଲା, ଆଜି ସକାଳେ ବ୍ରେକ୍‌ଫାଷ୍ଟ୍ ପରେ ଜେମା ବାହାରିଯିବା ବେଳେ କହି ଯାଇଥିଲେ...‘‘ଡାଡ଼ୀ ମୋତେ ଲଞ୍ଚ୍ ପାଇଁ ଅପେକ୍ଷା କରିବ ନାହିଁ । ମୋର ଲଞ୍ଚ୍ ଅଛି ବାହାରେ ।’’

 

ଲମ୍ୱା ଡାଇନିଙ୍ଗ୍ ହଲ୍ । ସଫେଦ ଚାଦର ଢଙ୍କା ଗୋଟାଏ ଲମ୍ୱା ଡାଇନିଙ୍ଗ୍ ଟେବୁଲ ! ଏକୁଟିଆ ଖାଇବା ପାଇଁ ବସିଲେ, ମନେହୁଏ ଯେପରି ବସିଛନ୍ତି ଗୋଟାଏ କଫିନ୍‌କୁ ଜଗି ! ...ଫୁଲଦାନୀରେ ଫୁଲଟାଏ ସୁଦ୍ଧା ନାହିଁ । କଫିନ୍‌ର ସେଇ ସଫେଦ ନୀରବତା । ସତୀଆ ତ ନାହିଁ ! ଆଉ ରଖନ୍ତା କିଏ ? ରୁଦ୍ରମାଧବଙ୍କର ମନେ ପଡ଼ିଗଲା, ଏକଦା ଲଞ୍ଚ ଡିନର୍ ବେଳେ ଡାଇନିଙ୍ଗ୍ ହଲ୍‌ଟା ପୁରି ଉଠୁଥିଲା । ଆଜି କିନ୍ତୁ ସେ ନିତାନ୍ତ ଏକାକୀ ! ଜେମା ତ କିଛିଟା ସିନ୍ନିଧ୍ୟ ଦେଇ ପାରନ୍ତା ।

 

ରୁଦ୍ରମାଧବ ଉତ୍‌କର୍ଣ ହୋଇ ଉଠିଲେ ।

 

ଦକ୍ଷିଣ ସାହାଲା ପୋର୍ଚ୍ଚରେ ଗୋଟାଏ ଫିଆଟ୍ ଗାଡ଼ି ବ୍ରେକ୍ କଷି ରହିବାର ଶଦ୍ଦ ଶୁଣାଯାଉଥିଲା ।

 

ଜେମା ଫେରିଥିଲେ, ନିଜେ ଡ୍ରାଇଭ୍ କରି । ତ ନ ହେଲେ ଏତେ ସ୍ପୀଡ଼ରେ ଏପରି ବେପରୁଆ ଭାବରେ ଗାଡ଼ି ଚଳାଇ ପୋର୍ଚ୍ଚ୍‌ ରେ ବ୍ରେକ୍ କଷନ୍ତା କିଏ ?

 

‘‘ଜେମା ଆସିଲେପରା’’–ଦୟାନିଧି ସ୍ୱଗତୋକ୍ତି କଲା ପରି କହିଲେ ।

 

ପିତା ପୁତ୍ରୀଙ୍କ ସାକ୍ଷାତ ପୂର୍ବରୁ ଏଠାରୁ ବିଦାୟ ନେବା ଭଲ । ...ଦୟାନିଧି ଦୁଇ ପାହୁଣ୍ଡ ପଛେଇ, ଗୋଟାଏ ଦରଜା ବାଟେ ବାହାରିଗଲେ ।

 

ଜେମା ଦେଖି ପକାଇଲେ ପରା ! ‘‘ହହ୍ଳୋ ଓଲ୍‌ଡ଼ ବୟ’’–ଜେମାଙ୍କ ପ୍ରଗଲ୍‌ଭ ଖିଲ୍ ଖିଲ୍ କଣ୍ଠ ! ଜେମା ସେଇପରି ପ୍ରଗଲ୍‌ଭା ।

 

‘‘ଭିତରକୁ ଆସ ଚନ୍ଦ୍ରକାନ୍ତ, ମୁଁ ଟିକିଏ ଚେଞ୍ଚ୍ କରିନିଏ’’... ଜେମା ଗାଡ଼ିରେ ଏକାକୀ ନଥିଲେ । ତାଙ୍କ ସହିତ ଥିଲା, ସେଇ ଲମ୍ୱାଜୁଲ୍ ଫୀବାଲା ଚନ୍ଦ୍ରକାନ୍ତ–ଆର୍ଟିଷ୍ଟ ! କୁଆଡ଼େ ଚମତ୍କାର ଭାୟୋଲିନ୍ ବଜାଏ ! –ଦୟାନିଧି ଠିକ୍ ଚିହ୍ନି ପାରିଲେ, ଫଟୋଗ୍ରାଫ୍‌ରେ ସେ ଦେଖିଥିଲେ, ଜେମାଙ୍କ ଅଣ୍ଟା ଚାରିପଟେ ହାତ ରଖି, ଏଇ ନାଚୁଥିଲା ଶବର ଶବରୁଣୀ ନାଚ ! ଓ ! ତାହେଲେ ଆରି ପାଇଁ ଜେମା ଭାଙ୍ଗି ଦେଲେ ପଲାଶପୁର ପ୍ରସ୍ତାବ ! ଛି ! ଛି !

 

‘‘ଆରେ, ଆସ ନା ! କେତେ ସମୟ ଅପେକ୍ଷା କରିବ ସେଠି ? ଡାଡ଼ୀଙ୍କ ସହିତ ତମର ତ ଏ ପର୍ଯ୍ୟନ୍ତ ପରିଚୟ ହୋଇନାହିଁ ! ଆମ ମିଉଜିଅମ୍‌ରେ ଅପେକ୍ଷା କରିବ, ମୁଁ ଚେଞ୍ଚ କରିବା ପର୍ଯ୍ୟନ୍ତ !’’

 

ରୁଦ୍ରମାଧବଙ୍କ ବୈଠକଖାନାକୁ ମ୍ୟୁଜିୟମ୍ କହିବାର ରସିକତାରେ ଋତୁପର୍ଣା ମନକୁ ମନ ହସିଉଠିଲେ—‘‘ଡାଡ଼ୀ ଭାରୀ ଇଣ୍ଟରେଷ୍ଟିଙ୍ଗ୍ ! ଗୋଟାଏ ମିନିଟ୍ ସୁଦ୍ଧା ତୁମକୁ ବୋରଡ଼୍ ଲାଗିବ ନାହିଁ ।’’

 

ଚନ୍ଦ୍ରକାନ୍ତ ସାମନା ସିଟ୍‌ରେ ବସି ଡ୍ରାଇଭିଙ୍ଗ୍ ମିରରରେ କପାଳ ଉପରୁ ଅଲରା ବାଳ ସବୁ ସଜାଡ଼ୁ ସଜାଡ଼ୁ ଉତ୍ତର ଦେଲା...‘‘ମୁଁ ଏଇଠି ବସି ବାହାରୁ ତମ ମ୍ୟୁଜିଅମ୍‌ର ଚେହେରା ଦେଖୁଛି । ତମେ ବରଂ ଶୀଘ୍ର ଆସ !’’

 

ବୈଠକଖାନାର ପୂର୍ବକୋଣରୁ, ଟିକ୍‌କାଠର ଗୋଟାଏ ଚଉଡ଼ା ଶିଡ଼ୀ ଉଠିଯାଇଛି ଉପରର ଦୋମହଲାକୁ । ସ୍ଥାନେ ସ୍ଥାନେ ତାର କାର୍ମେଟ୍ ଛିଣ୍ଡା । ତଳେ ଶିଡ଼ୀର ଦୁଇ ପାଖରେ, ଦୁଇ ଖିଲାଣ ଦେହରେ ଥିଲା ମାର୍ବଲ୍‌ର ଦୁଇଟି ସ୍ତନବତୀ ଭେସନ୍ । ଲୀଳାୟିତ ଭଙ୍ଗୀରେ, ମୃଣାଳ ବାହୁରେ ତୋଳି ଧରିଛନ୍ତି, ଦୁଇଟି କାଚ ପିଲିସଜ । ପୂର୍ବେ କିନ୍ତୁ ଇଲେକଟ୍ରିକ୍ ବଲ୍‌ବ ନଥିଲା । କାଚ ପିଲିସଜ ଭିତରେ ଜଳୁଥିବା ମହମବତୀ ।

 

ଋତୁପର୍ଣ୍ଣା ସେଇ ଶିଡ଼ୀ ଉପରେ କ୍ଷିପ୍ର ପାଦରେ ଉପରକୁ ଉଠି ଯାଉଁ ଯାଉଁ, ତାଙ୍କ ଆକ୍ଷିରେ ପଡ଼ିଗଲା; ରୁଦ୍ରମାଧବଙ୍କ ଚନ୍ଦା ମୁଣ୍ଡର ଗୋଟାଏ ଅଂଶ । ସଫେଦ୍ ସମୁଦ୍ର ଭିତରେ ଅରାଏ ଟାପୁ । ଚନ୍ଦା କପାଳ ଚାରିପଟେ ତଳକୁ ଲମ୍ୱି ଆସିଛି, କେରା କେରା ଧଳା ବାଳ ।

 

ସେଇ ଚନ୍ଦା ମୁଣ୍ଡରେ ମୁଦ୍ରିତ ଥିଲା ଯେପରି, ରୁଦ୍ରମାଧବଙ୍କ ନିଃସଙ୍ଗ ଅସହାୟତା । ପ୍ରକୃତରେ କେଡ଼େ ନିଃସଙ୍ଗ, କେଡ଼େ ଅସହାୟ ଏଇ ବୃଦ୍ଧ ! ସେ ସବୁବେଳେ ଚାହାନ୍ତି ଋତୁପର୍ଣାର ସାନ୍ନିଧ୍ୟ—ଋତୁପର୍ଣା ଦିନରାତି ତାଙ୍କ ପାଖରେ ବସି ରହିଥାନ୍ତା ! କିନ୍ତୁ ବୋରିଂ, ବଡ଼ ବୋରିଂ ! କେତେ ଶୁଣିବ ସେ, ସେଇ ରତ୍ନମାଳୀ, କାଞ୍ଚନମାଳୀ, କନକମଞ୍ଜରୀ ମାନଙ୍କ କଥା ! ରତ୍ନମାଳୀ ବୋଲୁଥିଲେ ବୈଦେହୀଶ ବିଳାସ ଛାନ୍ଦ । କାଞ୍ଚନମାଳୀଙ୍କ ଆଖୁବଡ଼ୀକୁ ସାହେବମାନେ ସୁଦ୍ଧା ତାରିଫ୍ କରୁଥିଲେ ! ...ଗୋଟାଏ ଅତୀତର କଙ୍କାଳକୁ ଧରି, ବର୍ତ୍ତମାନର ସବୁ ଔଜ୍ଜଲ୍ୟ ଆଉ ଗତିକୁ ଅସ୍ୱୀକାର କରି କାହିଁକି ନିଃସଙ୍ଗ ପ୍ରେତ ପରି, ଏଠାରେ ପଡ଼ି ରହିଛନ୍ତି ରୁଦ୍ରମାଧବ ? ତାଙ୍କ ପାଇଁ ଋତୁପର୍ଣା କାହିଁକି ବା ହତ୍ୟା କରିବ, ପ୍ରଜାପତି ପରି ତାର ଏଇ ରଙ୍ଗୀନ, ଚପଳ ମୁହୂର୍ତ୍ତ ଗୁଡ଼ିକୁ ? କିନ୍ତୁ ରୁଦ୍ରମାଧବ ରାଜବାଟୀ ଛାଡ଼ି ଚାଲିଗଲେ ଇଷ୍ଟଦେବତା ରାଧାମାଧବଙ୍କ ସେବାପୂଜାର ବ୍ୟବସ୍ଥା କିଏ କରିବ ? ହାଃ ! ରାଧାମାଧବ ! ସହରର କୋଣେ କୋଣେ, କେତେ ରାଧାମାଧବଙ୍କ ପାଖରେ, ଗଛ ମୂଳେ, ଦୁଇ ହାତ ଉଚ୍ଚର ଦେଉଳମାନଙ୍କରେ ସନ୍ଧ୍ୟାବତୀ ଜଳୁଛି । ରାଧାମାଧବ କଣ ଆଉ ଅପୂଜା ରହିଯିବେ ? ...ନାଃ ! ରୁଦ୍ରାମାଧବଙ୍କ ପ୍ରତି ଋତୁପର୍ଣାର ସହାନୁଭୂତିର ଅଭାବ ନାହିଁ ! କିନ୍ତୁ ସିଏ ଏକ ‘ଲଷ୍ଟକେସ୍’ ! ଶିଡ଼ୀ ଉପରେ, ଋତୁପର୍ଣାର ପାଦ ମନ୍ଥର ହୋଇ ଯାଇଥିଲା । ଏବେ ସେ ଦି’ଟା ଦି’ଟା ପାହାଚ ଗୋଟା ଗୋଟା କ୍ଷେପାରେ ଡେଇଁ ଉପରକୁ ଉଠିଗଲେ ।

 

ଡିଭାନ୍ ଉପରେ ପଡ଼ି ଝରକା ବାଟେ ବାହାରକୁ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଥିଲେ, ରୁଦ୍ରମାଧବ । ବାହାରେ ଗୁଳ୍ମାକୀର୍ଣ ଲନ୍ ଧାରେ ଧାରେ, ଗତ ମାସର ଝଡ଼ ବତାସରେ କେତେଟା ବୁଢ଼ା ପାମ୍ ଗଛ, ମଝିରୁ ଭାଙ୍ଗି ତଳେ ନୋଇଁ ପଡ଼ିଥିଲା । ଏ ପର୍ଯ୍ୟନ୍ତ ସେ ଅଣ୍ଟାଭଙ୍ଗା ପାମ୍ ଗଛ ସବୁ, କଟାଯାଇଁ ତଥାପି ସଫା ହୋଇନାହିଁ । ଭଙ୍ଗା ପାମ୍ ଗଛ ଗୁଡ଼ାକର ବିକୃତ, ବିଧ୍ୱସ୍ତ ଚେହେରା, ନିର୍ମେଘ ନୀଳ ଆକାଶର ପୃଷ୍ଠଭୂମିରେ ବିସଦୃଶ ଦେଖା ଯାଉଥିଲା । ଅନେକ ପୁରୁଣା ଦିନର ଏଇ ପାମ୍ ଗଛ ଗୁଡ଼ାକ । ରୁଦ୍ରମାଧବଙ୍କର ଏବେ ବି ମନେ ପଡ଼େ, ଏଇ ପାମ୍‌ଶୋଭିତ ଲନ୍‌ରେ, ଅନେକ ଟି ପାର୍ଟି, ଗାର୍ଡ଼ନ ପାର୍ଟି, ଆଟ୍‌ହୋମ୍‌ର ସ୍ମୃତି ! ଧାଡ଼ି ଧାଡ଼ି ଲଣ୍ଡୋ ଗାଡ଼ି । ସେ ଗାଡ଼ି ସବୁ ଏବେ ଅଚଳ ! ସେଇ ଥୁଣ୍ଟା ସପ୍ତପର୍ଣା ଗଛଟାକୁ, ଏବେ କାଟି ଦେବା ପାଇଁ ପଡ଼ିବ ! ଝଡ଼, ଦିନେ ତାର ନିଷ୍ଠୁର ଆଘାତରେ ସବୁ ପ୍ରାଚୀନ, ଜରାଜୀର୍ଣକୁ ଭାଙ୍ଗି ଦେଇଯାଏ—କିନ୍ତୁ ନିମୂଳ କରି ଉଡ଼ାଇ ନିଏ ନାହିଁ କାହିଁକି ? କାହିଁକି ସେଇ ଧ୍ୱଂସାବଶେଷର କଙ୍କାଳ ସବୁ ଫିଙ୍ଗି ଦେଇଯାଏ, ତାର ଗତିପଥର ଧାରେ ଧାରେ, ବିକୃତ, ଦୟନୀୟ ଭାବରେ ।

 

ବାହାର ଦରଜାରେ ଟକ୍ ଟକ୍ ଶଦ୍ଦ...‘‘ମେ ଆଈ କମ୍ ଇନ୍ ?’’

 

ଓ ! ଇଏ କୈଳାଶ ରାୟର କଣ୍ଠସ୍ୱର ! ଦୟାନିଧି, ଖବର ପଠାଇଥିଲା, ବୋଧହୁଏ ଆସିବା ପାଇଁ !

 

‘ଇୟେସ୍’ ! ...ଇଏ ଡାକ୍ତର କୈଳାସ ରାୟ !

 

ଡାକ୍ତର ନବୀନ ଦାସ, ଭଲଥିଲା କିନ୍ତୁ । ଲୋକଟି ପ୍ରୌଢ଼ । କୈଳାଶ ରାୟ ଡାକ୍ତରର ଗୋଟିଏ ଛୋଟିଆ ବ୍ରିଫ୍ କେସ୍–ତା ଭିତରେ ଷ୍ଟେଥୋ ଆଉ ବ୍ଲଡ଼ପ୍ରେସର ମାପିବା ଯନ୍ତ୍ରଟିଏ । ଆସିବା ମାତ୍ରେ ପଟି ବାନ୍ଧି କାନରେ ଷ୍ଟେଥୋ ଲଗାଇଦିଏ ! ନବୀନ ଦାସ କିନ୍ତୁ ସୋଫା ଉପରେ ଦଣ୍ଡେ ବସି ଦମ୍ ମାରିବା ପରେ, ପ୍ରକାଣ୍ଡ ପେଟଫୁଲା ଆଟାଚୀ ଭିତରୁ କାଢ଼ୁଥିଲା, ଗୋଟାଏ ଚଉଖୁଣ୍ଟିଆ ବ୍ଲଡ଼ପ୍ରେସର ମପାଯନ୍ତ୍ର । ସେଥିରେ ସ୍ଥାନେ ସ୍ଥାନେ ହରଫ ସବୁ ନିଭିଯାଇଛି । ଯନ୍ତ୍ରଟି ମଧ୍ୟ ଯେ ଖୁବ୍ ନିର୍ଭରଯୋଗ୍ୟ ତା କୁହାଯାଇ ନପାରେ–ଇଏ ରୁଦ୍ରମାଧବଙ୍କ ପ୍ରତ୍ୟକ୍ଷ ଅଭିଜ୍ଞତା ! ଡାଇଓଷ୍ଟିଲିକ୍ ଯଦି ଏଇ ଘଡ଼ିକି ଉଠିଲା ୧୩୦, ଆଉ ଥରେ ଦେଖିବା ବେଳକୁ ତାହା ହୁଏତ ୧୧୦ ! ଇଏ ନବୀନ ଦାସ ଡାକ୍ତରଙ୍କ କାନର ତ୍ରୂଟି ମଧ୍ୟ ହୋଇପାରେ ! ତଥାପି ସେଇ ଡାକ୍ତର ନବୀନ ଦାସ ନହେଲେ ରୁଦ୍ରମାଧବଙ୍କର ଅନ୍ୟ କୌଣସି ଡାକ୍ତର ଚଳେ ନାହିଁ । ନବୀନ ଦାସ, ଆସିବା ମାତ୍ରେ କୈଳାଶ ରାୟ ପରି ମୁହଁଟାକୁ ହାଣ୍ଡି କରି ବ୍ରିଫ୍‌କେସ୍‌ରୁ ବ୍ଲଡ଼ପ୍ରେସର୍ ଯନ୍ତ୍ର କାଢ଼େ ନାହିଁ । ଧୀରେ ସୁସ୍ଥେ, ରୁଦ୍ରମାଧବଙ୍କ ବାହୁରେ ବାନ୍ଧେ ବ୍ଲଡ଼ପ୍ରେସର ଯନ୍ତ୍ରର ରବରପଟି ! ...‘‘ଆପଣଙ୍କ ପ୍ରେସର ଢେର କମ୍ ଆଜି ! ଚେହେରା ଦେଖି ଠିକ୍ ବୁଝି ପାରୁଛି । ସଲ୍‌ଟ–ପ୍ରିଂ ଚଲେଇଛନ୍ତି ତ !’’ ରବରପଟି ବାନ୍ଧିବା ପରେ, ହାତଟାକୁ ଦଣ୍ଡେ ଆଉଁସେ, ବନ୍ଧା ଠିକ୍ ହେଲା କି ନାହିଁ ବୋଧହୁଏ ପରୀକ୍ଷା କରି ଦେଖିବା ପାଇଁ ! ନବୀନ ଦାସ ଆଉଁସାରେ ରୁଦ୍ରମାଧବଙ୍କ ଆକ୍ଷି ଦୁଇଟା ମୁଦି ହୋଇ ଆସେ ! ସେଥିରେ ସହାନୁଭୂତିର ଉଷ୍ଣ ସ୍ପର୍ଶ !

 

‘‘ଆଜି ଠିକ୍ ଅଛି ଡାଇଓଷ୍ଟିଲିକ୍’’ !

 

‘‘ଉପରଟା ?’’

 

‘‘ସେଟା ବି !’’

 

ସତୀଆ ଆଣେ କଫି । କଫି ପିଉ ପିଉ ନବୀନ ଦାସ ଗପିଯାଏ ଅନେକ ଦିନର, ଅନେକ ଗପ !

 

କୈଳାଶ ରାୟ ସେତେବେଳେକୁ ରୁଦ୍ରମାଧବଙ୍କ ବାହୁରେ ରବର ପଟି ବାନ୍ଧି କାନରେ ଷ୍ଟେଥୋ ଲଗାଇ ସାରିଥିଲେ...ନବୀନ ଦାସ୍ ହାର୍ଟ–ଟ୍ରବଲ୍ ଯୋଗୁ ପ୍ରାକ୍‌ଟିସ୍ ଛାଡ଼ି ନଥିଲେ, ସେ କ’ଣ ପଶିଥାନ୍ତେ, ଏଇ କୈଳାଶ ରାୟ ଡାକ୍ତର ପାଖରେ ? ସତେ ଯେପରି ରୁଦ୍ରମାଧବ କୈଳାଶ ରାୟ ଡାକ୍ତରର ଶଏ, ଷାଠିଏ ଧାରିଛନ୍ତି ! ...‘‘ଲାସିକ୍‌ସ୍ କେତେଟା ନେଇଛନ୍ତି ଗତ ସପ୍ତାହରେ ?’’

 

ଲାସିକ୍‌ସ୍ ଗୋଟାଏ ସୁଦ୍ଧା ଖାଇବାକୁ ପ୍ରକୃତରେ ଭୁଲି ଯାଇଛନ୍ତି, ରୁଦ୍ରମାଧବ ! ସତୀଆ ଥିଲେ, ସେ ଆଜି ସକାଳେ ଦେଇଥାନ୍ତା ଲସିକ୍‌ସ୍ ! କିନ୍ତୁ ସେ ହାରାମ୍‌ଯାଦା ନାହିଁ ! ...ରୁଦ୍ରମାଧବ ଆଶଙ୍କିତ କଣ୍ଠରେ ପଚାରିଲେ...‘‘ଆଜି କେତେ ?’’

 

ନବୀନ ଦାସ ପରି, କୈଳାଶ ରାୟ ଡାକ୍ତର ହିସାବ କିତାବ ମୁହଁରେ ଦିଏ ନାହିଁ । ଭିଜିଟିଙ୍ଗ୍ ନେବ ତ ! ସେଥିପାଇଁ ବ୍ରିଫ୍‌କେସ୍‌ରୁ ପ୍ୟାଡ଼୍ ଉପରେ ଡା କୈଳାସ ରାୟ ଲେଖିଦେଲା ୧୮୦/୧୨୦–ବେଶ୍ ହାଇ ! ‘‘ସେମ୍‌ଟ୍ରିଟ୍‌ମେଣ୍ଟ୍ ! କାଲି ଚେକ୍ କରିବାକୁ ପଡ଼ିବ !’’...ରୋକ୍‌ଠୋକ୍‌ କଥା !

 

ଆଜି କେଜାଣି କିପରି କୈଳାଶ ରାୟ ଡାକ୍ତରର ମିଜାଜ୍‌ଟା ଭଲ ଥିଲା ପରା ! ସେ ନିଜ ଆଡ଼ୁ ପରାମର୍ଶ ଦେଲା–‘‘କାମ୍ପୋଜ୍ ଦୁଇଟା କରି ଖାଆନ୍ତୁ । ଟେନସନ୍ ଯେତେ କମିବ, ବ୍ଲଡ଼ ପ୍ରେସ୍‌ର ପକ୍ଷରେ ସେତେ ଭଲ ! ଟେନ୍‌ସନ୍...ଟେନ୍‌ସନ୍‌ !’’

 

କୈଳାଶ ରାୟ । ଚାଲିଗଲା...ଦଣ୍ଡେ ବସିଲା ସୁଦ୍ଧା ନାହିଁ; ଗପ ସପ ହେବା ପାଇଁ, ନବୀନ ଦାସ ଡାକ୍ତର ପରି ! ଏମାନେ ଏବେ ସବୁ ଏପରି ରୋକ୍‌ଠୋକ୍ କାହିଁକି କେଜାଣି ? ସବୁବେଳେ ବ୍ୟସ୍ତ, ବିବ୍ରତ, ଯେପରି ବିରୁଡ଼ି ଗୋଡ଼େଇଛି ! ରୁଦ୍ରମାଧବ ଗୋଟାଏ ଦୀର୍ଘଶ୍ୱାସ ପକାଇଲେ ।

 

ପ୍ରକୃତରେ ଏଇ ଟେନ୍‌ସନ୍, ଉଦ୍‌ବେଗରୁ ରୁଦ୍ରମାଧବ ଯଦି ମୁକ୍ତି ପାଇ ପାରନ୍ତେ ! କିନ୍ତୁ ସବୁ ଟେନ୍‌ସନ୍‌ର ମୂଳ ତ ଏଇ ଯକ୍ଷପୁରୀ । ଋତୁପର୍ଣାର ଏ ପର୍ଯ୍ୟନ୍ତ ମଙ୍ଗଳକୃତ୍ୟ ବଢ଼ିଲା ନାହିଁ ! ...ପଲାଶପୁର କୁମାର ପରି କଣ ଆଉ ପାତ୍ର ମିଳିବେ ? ହେଲେ ବି ଇଷ୍ଟଦେବତା ରାଧାମାଧବଙ୍କୁ ଛାଡ଼ି ସେ ଯାଇ ପାରିବେ କୁଆଡ଼େ ? ନୋହିଲେ ଦେଓଘର ତ ଭଲ ଲାଗେ ତାଙ୍କୁ ! ସେଠି ବସବାସ କରି, ଅବସରପ୍ରାପ୍ତ ଜୀବନ ବିତାଉଛନ୍ତି, ତାଙ୍କର କେତେକ ପରିଚିତ ବନ୍ଧୁ ! ହରେନ୍ଦ୍ର–ରିଟାୟାର୍ଡ଼ ଜଜ୍, କେତେଥର ଲେଖିଲାଣି ଦେଓଘର ଚାଲିଆସିବା ପାଇଁ । ବଙ୍ଗଳାଟା ସେଠି ପଡ଼ିଛି ଭୂତକୋଠୀ ପରି !

 

କାନ୍ଥରେ କେତେଟା ବାଘମୁଣ୍ଡ ହାଇ ମାରୁଛନ୍ତି ।

 

ଶିଡ଼ୀରେ ଓହ୍ଲାଇ ଆସୁଥିଲେ ଋତୁପର୍ଣା—ଶିଡ଼ୀରେ ହାଇହିଲ୍ ଜୋତାର ଘୋଡ଼ା ଟାପୁ ପରି ଶଦ୍ଦ ! ...ଋତୁପର୍ଣା ବେଶ ପରିବର୍ତ୍ତନ କରି ପୁଣି ତଳକୁ ଓହ୍ଲାଇ ଆସିଥିଲେ ।

 

‘‘ଋତା’’...

 

ଋତୁପର୍ଣା ଦମକାଏ ଚଇତାଳୀ ପରି, ପଶି ଆସିଲେ ରୁଦ୍ରମାଧବଙ୍କ ରୁଦ୍ଧ ବୈଠକଖାନା ଭିତରକୁ ।

 

‘‘ପୁଣି ସେଇ ଅସଭ୍ୟ ପୋଷାକ ପିନ୍ଧି ବାହାରିଲୁ ଋତା ? ...ଟେଷ୍ଟ୍ ଲେସ୍ ।’’

 

ଡାହାଣ ଆକ୍ଷିରେ ଫିତାବନ୍ଧା ଚଷମା–ଲେନସ୍ ଲଗାଇ, ରୁଦ୍ରମାଧବ ଋତୁପର୍ଣାର ବେଶ ନିରୀକ୍ଷଣ କରୁଥିଲେ । ଦର୍ପନାରାୟଣଙ୍କ ବଂଶର କୌଣସି ଜେମା ଏପରି ଅଶ୍ଲୀଳ ପୋଷାକ ପିନ୍ଧି ବାହାରେ ଟୋ—ଟୋ ହୋଇ ବୁଲିବ; ଏହା ଥିଲା ରୁଦ୍ରମାଧବଙ୍କ କଳ୍ପନାର ବାହାରେ ।

 

ଋତୁପର୍ଣା ପିନ୍ଧିଥିଲା, ଗୋଟାଏ ବେଲ୍–ବଟମ୍ ଫ୍ଲେଆର୍ ଆଉ ଛିଟ ବୁସ୍‌ସାର୍ଟ । ସାର୍ଟ୍ ତଳୁ ତାର, ଉଦ୍ଧତ ସ୍ତନ ଦୁଇଟା, ଯେପରି ଆକ୍ରମଣ ପାଇଁ ଉନ୍ମୁଖ ହୋଇ ରହିଥିଲା । ସାର୍ଟ ତଳେ ‘ବ୍ରା’ ନଥିଲା । ପାଦରେ ରଣପା ପରି ହଳେ ପ୍ଲାଟ୍‌ଫର୍ମ ଜୋତା । ପୋଷାକର ସୀବନକଳା, ତୀକ୍ଷ୍ମ ଭାବରେ ଫୁଟାଇ ଦେଇଥିଲା ଯେପରି ଋତୁପର୍ଣାର ନିମ୍ନାଙ୍ଗର ରେଖାବଳୀ ! ଉଲ୍ଲଙ୍ଗତାକୁ ଢାଙ୍କିବା ପାଇଁ ଯେତେ ନୁହେଁ, ତାହାକୁ ପ୍ରକଟିତ କରିବାପାଇଁ ତ ଏସବୁ ପୋଷାକର ପରିକଳ୍ପନା । ଉଲ୍ଲଙ୍ଗତାର ଏ ଯୁଗ ! ଏମାନେ ସବୁ ନବ୍ୟ–ଆରଣ୍ୟକ ! ଅସ୍ୱାଭାବିକ ଭାବରେ ଡେଙ୍ଗା ଦେଖାଯାଉଥିଲା, ଋତୁପର୍ଣା ! ସଙ୍କୋଚରେ ରୁଦ୍ରମାଧବ ତଳକୁ ଆକ୍ଷି ନୁଆଇଁ ନେଲେ ।

 

ରୁଦ୍ରମାଧବ କହିଲେ...‘‘ଏ ତ ଜୋତା ନୁହେଁରେ ବାବାଃ ! ରଣପା !’’

 

ଋତୁପର୍ଣା ଖିଲ୍ ଖିଲ୍ ହସି କହିଲା...‘‘ଡାଡ଼ୀ, ଇଏ ଇଉନିସେକସ୍ ପୋଷାକ, ପୁଅ ଝିଅ ସମସ୍ତଙ୍କର ପୋଷାକ ଏକ !’’

 

–‘‘ତା ମାନେ ଝିଅମାନେ ପୁଅ ହେବା ପାଇଁ, ପୁଅମାନେ ଝିଅ ହେବାପାଇଁ ଲଗାଇଛନ୍ତି ପ୍ରଚେଷ୍ଟା ?’’ –ହଁ, ସେଇ ତ ଯୁଗ ପ୍ରବୃତ୍ତି; ମନେ ମନେ ଟିପ୍ପଣୀ କଲେ, ରୁଦ୍ରମାଧବ ! ସମସାମୟିକ ଯୁଗପ୍ରବୃତ୍ତିକୁ ବୁଝିପାରୁ ନଥିଲେ ରୁଦ୍ରମାଧବ । ସେ ପଡ଼ିଥିଲେ ଯେପରି ଏକ ପ୍ରହେଳିକା ମଧ୍ୟରେ ।

 

ରୁଦ୍ରମାଧବଙ୍କ ପାଖକୁ ଲାଗି ଆସି, ଋତୁପର୍ଣା ତାଙ୍କର ଚନ୍ଦାମୁଣ୍ଡରେ କେଇ କେରା ବାଳ ହାତରେ ସାଉଁଳାଇ ଦେଇ, ଚପଳ କଣ୍ଠରେ କହିଲା...‘‘ଫ୍ୟାସନ୍ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋର ବର୍ତ୍ତମାନ ସମୟ ନାହିଁ ଡାଡ଼ୀ ! ଟା...ଟା !’’

 

ପୋର୍ଚ୍ଚରେ ଚନ୍ଦ୍ରକାନ୍ତ ଗାଡ଼ୀର ଇଲେକ୍‌ଟ୍ରିକ୍ ହର୍ଣ ବଜାଉଥିଲା; ଋତୁପର୍ଣା ଅଯଥା ବିଳମ୍ୱ କରୁଥିବା ହେତୁ । ରୁଦ୍ରମାଧବଙ୍କ ଠାରୁ ଉତ୍ତରର ଅପେକ୍ଷା ନରଖି, ଋତୁପର୍ଣା କ୍ଷିପ୍ର ପାଦରେ ବାହାରକୁ ଚାଲିଆସିଲା ।

 

ହୁକା ଏ ପର୍ଯ୍ୟନ୍ତ ଆସିଲା ନାହିଁ । ଦୟାନିଧି ଦରଓ୍ୱାନ୍ ରାମଶରଣକୁ ଫାଟକ କଡ଼ରେ, ତାର ବଖୁରିକିଆ ଘରୁ, ତୁଳସୀଦାସ ରାମାୟଣ ଉପରୁ ଉଠାଇ ଆଣିଥିଲେ, ହୁକା ସଜାଡ଼ିବା ପାଇଁ-। ରାମଶରଣର ଦ୍ୱିପ୍ରହରଟା ବିତିଯାଏ ଅନୁନାସିକ କଣ୍ଠରେ ତୁଳସୀ ଦାସ ରାମାୟଣ ବୋଲି ସାମ୍‌ନା ପଟ ପାଚେରୀ ବହୁ ଜାଗାରେ ଭୂଷୁଡ଼ି ପଡ଼ିଛି । ଏ ପର୍ଯ୍ୟନ୍ତ ମରାମତ୍ ସୁଦ୍ଧା ହେଲା ନାହିଁ-। ବୁଲା ଗାଈ, ଗୋରୁ, ଛେଳୀଙ୍କର ଅବାଧ ପ୍ରବେଶ, ସାରା ସକାଳଟା ସେମାନଙ୍କୁ ତଡ଼ି ତଡ଼ି ଦ୍ୱିପହର ବେଳକୁ ସେ ଉଦ୍ୟମ ଯେ ଛାଡ଼ିଦିଏ । ତା ପରେ ଫିଟାଇ ବସେ ତୁଳସୀଦାସ ରାମାୟଣ । ଉତ୍ତର ବିହାରର କେଉଁ ବନ୍ୟାପୀଡ଼ିତ ଗାଁରେ ଘର । ସଂସାରରେ କେହି ନାହାନ୍ତି । ଏକୁଟିଆ ମଣିଷଟିଏ-। ରାଜବାଟୀର ମୋହ ଛାଡ଼ି ସେ ମଧ୍ୟ ଯାଇପାରି ନାହିଁ । ଏଇଠି ମୁହଁ ମାଡ଼ି ପଡ଼ି ରହିଛି । କିନ୍ତୁ ପାଚେରୀ ମରାମତ୍ ନକଲେ, ବୁଲା ଗାଇ, ଗୋରୁ ମାନଙ୍କୁ ସେ ସମ୍ଭାଳିବ କିପରି ? ଆଶ୍ଚର୍ଯ୍ୟ ହଜୁର୍ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି !

 

‘‘ମୁଁ ଆଉ ଏ ଗାଈ, ଗୋରୁଙ୍କୁ ସମ୍ଭାଳି ପାରିବି ନାହିଁ ପଟ୍ଟନାୟକ ବାବୁ । ସକାଳେ ବାଇଗଣ କିଆରୀଟାକୁ ସାଫ୍ କରି ଦେଇଛନ୍ତି । କେତେଥର କହିଲାଣି ପାଚେରୀ ମରାମତ୍ କରିବା ପାଇଁ !’’

ଅଚଳାୟତନ

 

‘‘ମରାମତ୍ ପରେ ହେବ ବାବା । ଆଗେ ହଜୁରଙ୍କ ମିଜାଜ୍ ମରାମତ୍ କରିବା ପାଇଁ ପଡ଼ିବ । ହୁକା ସଜାଡ଼ିବା ପାଇଁ ସତୀଆ ନାହିଁ !’’

 

କିନ୍ତୁ ଏ ପର୍ଯ୍ୟନ୍ତ ରାମଶରଣ ବା ଗଲା କୁଆଡ଼େ ? ପୁଣି ଢୁଳାଇ ପଡ଼ିଲା ନାଁ କଣ ?

 

ରାମଶରଣ ସନ୍ଧାନରେ ଦୟାନିଧି ଅନ୍ଦର ଭିତରକୁ ତରତର ପାଦରେ ଯାଉଁ ଯାଉଁ, ରୁଦ୍ରମାଧବ ପଚାରିଲେ...‘‘ପୋର୍ଚ୍ଚ୍ ରେ ଗାଡ଼ୀ ହର୍ଣ ବଜାଉଥିଲା କିଏ ଦୟାନିଧି ?’’

 

ଦୟାନିଧି କୁଣ୍ଠିତ କଣ୍ଠରେ ଉତ୍ତର ଦେଲେ...‘‘ଜଣେ ଲମ୍ୱା କଲୀଆ ବାବୁ । ଜେମାଙ୍କ ସାଙ୍ଗରେ ଆସିଥିଲେ ।’’

 

ରୁଦ୍ରମାଧବଙ୍କ ଠାରୁ ଆଉ କେତେଦିନ ସେ ଲୁଚାଇ ରଖିବେ ସେ କଥା ?

 

ରାମଶରଣ ସନ୍ଧାନରେ ତରତର ପାଦରେ ଭିତରକୁ ଚାଲିଗଲେ ଦୟାନିଧି ! ହଜୁର୍ ଯେପରି ଜୀରାରୁ ଶିରା କାଢିବା ଲୋକ ! ଅବିକା ଯଦି ପଚାରି ଦେବେ, ସେଇ ଲମ୍ୱାକଲୀବାଲାର ବୃତ୍ତାନ୍ତ, ତା ହେଲେ ଲଜ୍ଜ୍ୟାରେ ଦୟାନିଧିଙ୍କ ମୁଣ୍ଡ ନୋଇଁ ଯିବ । ତା ସମ୍ପର୍କରେ ଦୟାନିଧି ଇତିମଧ୍ୟରେ, ପଲାଶପୁର ସୂତ୍ରରୁ ସଂଗ୍ରହ କରିଛନ୍ତ, କିଛି କିଛି ଖବର ! ଛବି ଆଙ୍କେ ସୀତାର ବଜାଏ । ପିଲ୍ ଗଳେ ! ହଁ, ସେ ନିଶା ମୋଦକ ଜାଣନ୍ତି ! ହଜୁରଙ୍କ ଏକଦା ଥିଲା, ମୋଦକନିଶା ! ବୈଦ୍ୟରାଜ କୁଳମଣି ମିଶ୍ର, ଉଆସରେ ଦୁଇ ମାସ ରହି, ମୋଦକ ତିଆରି କରୁଥିଲେ । କାଶ୍ମୀରରୁ ଆସୁଥିଲା କେଶରଳ ବନାରସରୁ ଆସୁଥିଲା ଅଁଳା ଜମିଦାରୀ ଇଲାକାରୁ ଆସୁଥିଲା କାକୁଡ଼ି ମଞ୍ଜି ଆଉରି କେତେ କଣ ଉପାଦାନ ! ମୋଦକ ତିଆରି ପାଇଁ ଗୋଟାଏ ଧୂମ୍ ଲାଗି ଯାଉଥିଲା ଉଆସରେ । କିନ୍ତୁ ଏ ବଟିକା ସେ ବୁଝିପାରନ୍ତି ନାହିଁ !

 

ପଲାଶପୁରର ଛାମୁକରଣ କହିଲେ...‘‘ତୁମ ଜେମା ସେଇ ପିଲ୍ ଗିଳୁଛନ୍ତି ହେ !’’

 

ଏସବୁ ବୃତ୍ତାନ୍ତ ଦୟାନିଧି, ଲୁଚାଇ ଲୁଚାଇ ରଖିଛନ୍ତି । ହଠାତ୍ ଯଦି ହଜୁରଙ୍କ ପ୍ରଶ୍ନରେ ପାଟିରୁ ବାହାରି ପଡ଼େ, ମୁଷ୍କିଲ୍ ! ସେଇ ଲମ୍ୱାକଲୀବାଲା ପାଇ ହଜୁର୍‌ଙ୍କ ସାମନରେ ଠିଆ ହୋଇ ଉତ୍ତର ଦେବା ପାଇଁ, ଦୟାନିଧିଙ୍କୁ ଯେପରି ସଙ୍କୋଚ ଲାଗୁଥିଲା ।

 

ରୁଦ୍ରମାଧବ ମନକୁ ମନ କହିଲା...‘‘ଓ ଋତାର ବନ୍ଧୁ ? ତା ହେଲେ ତ ମୋର ପୁଅ ପରି-! କିନ୍ତୁ ଏମାନଙ୍କର କର୍ଟସୀ ବୋଲି କଣ କୌଣସି ଜ୍ଞାନ ନାହିଁ ? ମୋର ଘରକୁ ଆସିଲା-! ଅଥଚ ମୋ ସହିତ ଦେଖା ନକରି ଚାଲିଗଲା ?’’...ରୁଦ୍ରମାଧବ ଗୋଟାଏ ବିସ୍ଫୋରଣ ମନେ ମନେ ଚାପିନେଲେ !

 

କିନ୍ତୁ ଗୋଟାଏ ଦିନ ଭିତରେ, ରୁଦ୍ରମାଧବଙ୍କ ଅଭିମାନ ଓ ମୂଲ୍ୟବୋଧ ଉପରେ, ଗୋଟିକ ପରେ ଗୋଟିଏ, ଏତେ ଗୁଡ଼ାଏ ଆଘାତ ସେ ସହ୍ୟ କରି ପାରୁନଥିଲେ । ଋତୁପର୍ଣାର ଚପଳ ଉପେକ୍ଷା ତାଙ୍କୁ ଆହତ କରିଥିଲା, ସବୁଠାରୁ ବେଶୀ । ସୁବୀର, ସୁଧୀର ରହିଲେ ବିଦେଶରେ । ତିନି ଚାରି ବର୍ଷରେ କେବେ କେବେ, ସେମାନେ ଦିନ କେତେଟା ପାଇଁ ଆସିଥାନ୍ତି ଟୁରିଷ୍ଟ୍‌ ପରି । ଋତୁପର୍ଣା ଇ ତାଙ୍କର ଏକମାତ୍ର ଅବଲମ୍ୱନ, ଏକମାତ୍ର ସାନ୍ତ୍ୱନା । ଅଥଚ ସେଇ ଋତୁପର୍ଣା, କୌଣସି ଦିନ, ମୁହୂର୍ତ୍ତକ ପାଇଁ ରଖେ ନାହିଁ, ରୁଦ୍ରମାଧବଙ୍କ ଖବର ! ରୁଦ୍ରମାଧବଙ୍କର ହାଇବ୍ଲଡ଼ ପ୍ରେସର୍, ସେଥିରେ ପୁଣି ହାର୍ଟଟ୍ରବଲ୍ । କେବଳ ଔଷଧ ଖାଇ ବଞ୍ଚି ରହିଛନ୍ତି, ରୁଦ୍ରମାଧବ-! ସତୀଆ ଦେଉଥିଲା, ପ୍ରେସ୍‌କ୍ରିପ୍‌ସନ୍ ଅନୁସାରେ, ଘଣ୍ଟା କଣ୍ଟା ଜଗି ନିୟମିତ ଔଷଧ । ମାତ୍ର ସେ ଗାଁକୁ ପଳାଇବା ପରଠାରୁ, ସେଥିରେ ବ୍ୟତିକ୍ରମ । ଦିନେ ଦିନେ ଔଷଧ ଖାଇବା ପାଇଁ ଭୁଲିଯାଉଛନ୍ତି ରୁଦ୍ରମାଧବ । ଲାସିକ୍‌ସ୍ ନିୟମିତ ଭାବରେ ନ ଖାଇବାରୁ, ବ୍ଲଡ଼ପ୍ରେସର୍‌ ଟା ତ ବଢ଼ିଯାଇଛି । ଋତୁପର୍ଣା କଣ ଔଷଧ ଦେଇପାରନ୍ତା ନାହିଁ, ପ୍ରେସକ୍ରିପ୍‌ସନ୍ ଦେଖି-? ସେ କଣ ପଚାରି ପାରନ୍ତା ନାହିଁ, ରୁଦ୍ରମାଧବଙ୍କ ସ୍ୱାସ୍ଥ୍ୟର ଅବସ୍ଥା ? ଡାକ୍ତର ଡାକିବା ପ୍ରୟୋଜନ ଅଛି କି ନାହିଁ କ’ଣ ବୁଝିପାରନ୍ତା ନାହିଁ ସେ ? ବଡ଼ ନିଃସଙ୍ଗ ସେ ! ଋତା ଦେଇ ପାରନ୍ତା ନାହିଁ ତାଙ୍କୁ ସାନ୍ନିଧ୍ୟ-? କର୍ତ୍ତବ୍ୟ ଖାତିରରେ ବେଳେ ବେଳେ ଝଡ଼ ପରି ଉଡ଼ିଆସେ, ପୁଣି ଉଡ଼ିଯାଏ !

 

ନିଜ ପ୍ରତି ସହାନୁଭୂତିରେ ରୁଦ୍ରମାଧବଙ୍କ ମନଟା ଆର୍ଦ୍ର ହୋଇ ଉଠିଲା ।

 

‘‘ହଜୁର ! ହୁକା’’...ଯେପରି ଗୋଟାଏ ଗଡ଼ ଜୟ କରି, ରାମଶରଣ ଆଗେ ଆଗେ ଆସୁଥିଲେ, ଛାମୁକରଣ ଦୟାନିଧି ପଟ୍ଟନାୟକ ‘‘ରଖ ବାବା ରାମ ଶରଣ ! ସେଇଠି ହଜୁରଙ୍କ ଛାମୁରେ ।’’

 

ଅମ୍ୱୁରୀ ତମାଖୁର ଖୁସ୍‌ବୁରେ ବୈଠକଖାନା ଆମୋଦିତ ହୋଇ ଉଠିଲା ।

 

କିନ୍ତୁ ହୁକା ଟାଣିବା ପାଇଁ ରୁଦ୍ରମାଧବଙ୍କର ଆଗ୍ରହ ନଥିଲା । ଡିଭାନ୍ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ପଡ଼ି, ଦର୍ପନାରାୟଣଙ୍କ ଗୋଟାଏ ଅଏଲ୍ ପେଣ୍ଟିଙ୍ଗ୍ ଚାହିଁ ଦେଖୁଥିଲେ ନିଷ୍ପଲକ ଦୃଷ୍ଟିରେ । ଅଏଲ୍ ପେଣ୍ଟିଙ୍ଗ୍‍ଟା ସ୍ଥାନେ ସ୍ଥାନେ ଫିକା ପଡ଼ି ଆସିଥିଲା ।

 

ଦୂରରେ ଗୋଟାଏ ବୁଲଡୋଜର୍‌ର ଯାନ୍ତ୍ରିକ ଗର୍ଜନ ବ୍ୟତୀତ ସେଇ ମୂର୍ଚ୍ଛିତ ମଧ୍ୟାହ୍ନରେ ଅନ୍ୟ କୌଣସି ଶଦ୍ଦ ନଥିଲା । ସବୁ ଚୁପ୍ ଚାପ !

 

ଦୁଇ

 

ପୂର୍ବ ସାହାଲାରୁ ବାହାରି, ନିର୍ଲିପ୍ତ ଭାବରେ, ଖଣ୍ଡେ ଭସାମେଘ ପରି, ବୈଠକଖାନା ବାଟେ ପଦାକୁ ବାହାରି ଯାଉଥିଲେ, ମଝିଆଁ ସା’ନ୍ତ । ତାଙ୍କ ଆକ୍ଷିର ଦୃଷ୍ଟିରୁ ମନେ ହେଉଥିଲା, ଯେପରି ଭୁଲ୍ ରେ ସେ ପଶି ଆସିଥିଲେ ବୈଠକଖାନା ଭିତରକୁ । ପାଦ ଦୁଇଟିରେ ଦୁଇ ପଟ ମୋଟର ଟାୟାର୍ ଚଟୀ । ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧା ଖଦଡ଼ ଧୋତି ତଳେ, ପେଣ୍ଡା ଦୁଇଟା ଉପୁଚି ଦିଶୁଥିଲା, ସୁପୁଷ୍ଟ ସ୍ତମ୍ଭ ପରି । ଦିନକୁ ଅକ୍ଲେଶରେ କୋଡ଼ିଏ ପଚିଣ ମାଇଲ ସେ ପାଦରେ ବୁଲି ପାରନ୍ତି, ବିନା କ୍ଲାନ୍ତିରେ ! ଦେହରେ ଖଣ୍ଡେ ଫତେଇ । କାନ୍ଧରେ ଝୁଲୀ । କାଖତଳେ ଗୋଟାଏ ଛୋଟ ସତରଞ୍ଜି ମୋଡ଼ା । ଚିବୁକତଳେ ଗୋଜିଆ ଦାଢ଼ୀ ।

 

‘‘ମଝିଆଁ ସାନ୍ତ’’ !

 

‘‘ମୋତେ ଡାକୁଛନ୍ତି ଦାଦା’’–ଡିଭାନ୍ ଉପରେ ଅର୍ଦ୍ଧଶୟିତ ମେଦସ୍ତୂପ ପରି ପଡ଼ିଥିବା ରୁଦ୍ରମାଧବଙ୍କ ଆଡ଼େ ଚାହିଁ ପଚାରିଲେ, ମଝିଆଁ ସାନ୍ତ ! କଣ୍ଠରେ ତାଙ୍କର ଅପ୍ରସନ୍ନତାର ଝଙ୍କାର ।

 

ଏଇ ମଝିଆଁ ସାନ୍ତଙ୍କୁ ଏଇପରି ଚେହେରାରେ ଦେଖିଲେ, ରୁଦ୍ରମାଧବଙ୍କ ମନଟା ଘୋର ତିକ୍ତ ହୋଇଉଠେ । ଆଜିର ସାମ୍ପ୍ରତିକ ରାଜନୀତିର ପୃଷ୍ଠଭୂମିରେ, ଏମାନେ ସବୁ ଗୋଟିଏ ଗୋଟିଏ ମୁଖା, ନୋହିଲେ ମ୍ୟୁଜିଅମ୍ ପିସ୍ ! ଗାନ୍ଧୀ ଯୁଗରେ ଦାରିଦ୍ର୍ୟ ଥିଲା ଐଶ୍ୱର୍ଯ୍ୟ—ମୁକ୍ତ ଆତ୍ମାର ଐଶର୍ଯ୍ୟ । ଦାରିଦ୍ର୍ୟ ଥିଲା ଅହଙ୍କାର ! ଆମେ ଦରିଦ୍ର ନୋହୁ, ତମେ ଆମକୁ ଦରିଦ୍ର କରିଛ ! ଏ ପରିପାଟୀ ଥିଲା ଏକ ପ୍ରତିବାଦ ! ସେ ଥିଲା ସ୍ୱାଧୀନତା ପାଇଁ ସଂଗ୍ରାମର ଅଗ୍ନି ଗର୍ଭ ଯୁଗ । କିନ୍ତୁ ସ୍ୱାଧୀନତା ପରେ, ଦାରିଦ୍ର୍ୟ ହେଲା ଲଜ୍ଜା, ଅପମାନର ଭୂଷଣ ! ରାତାରାତି ଧନୀଲୋକ ହେବା ପାଇଁ ଚାଲିଲା ପ୍ରତିଯୋଗିତା । ରାଜନୀତି ଓ ବ୍ୟୁରୋକ୍ରାସୀ ହେଲା ତାର ଆୟୁଧ । ପାଶ୍ଚାତ୍ୟର ଭୌତିକତାବାଦ, ଭାରତୀୟ ଆଧ୍ୟାତ୍ମିକ ମୂଲ୍ୟବୋଧର ଗଳା ଚିପି ଦେଲା ! ...ଭୂତପୂର୍ବ ମନ୍ତ୍ରୀ ଅବିନାଶ ତାର ପ୍ରତୀକ ! ବାଥ୍ ରୁମ୍‌ରେ ଇଟାଲିଆନ୍ ମାର୍ବଲ୍ ! ପିନ୍ଧାରେ ପାଦଲୋଟା ବଗପକ୍ଷିଆ ଖଦଡ଼ଧୋତିର କୁଞ୍ଚ, ଦେହରେ ବଗପକ୍ଷିଆ ଖଦଡ଼ ପଞ୍ଜାବୀ ! ମୁହଁରେ ସମାଜବାଦର ବୁଲୀ ! ପକେଟରେ ଉଙ୍କି ମାରୁଛି, ‘ଇଣ୍ଡିଆ କିଙ୍ଗ୍’ ସିଗାରେଟ୍ ପାକେଟ୍ ! ସବୁ କିଙ୍ଗ ସାଇଜ୍ !

 

ଏଇ ପୃଷ୍ଠଭୂମିରେ ମଝି ଆସାନ୍ତ ଏକ କାରିକେଚର୍ !

 

‘‘ଦେଶ ତ ତିରିଶି ବର୍ଷ ହେଲା ସ୍ୱାଧୀନ ହେଲାଣି ! ତମେ ପୁଣି କାନ୍ଧରେ ଝୁଲାମୁଣୀ ପକାଇ ବାହାରିଲେ କୁଆଡ଼େ ?’’...ଷ୍ଟେଟସ୍‌ମାନ୍ କାଗଜ ଉଢ଼ାଳରୁ ମୁଣ୍ଡ ଟେକି ପଚାରିଲେ, ରୁଦ୍ରମାଧବ ! –କଣ୍ଠରେ ବିଦ୍ରୂପ । ସେ ଚାହୁଁଥିଲେ, ମଝିଆଁ ସାନ୍ତଙ୍କ ସହିତ ଟିକୀ ସାହେବଙ୍କ ସମ୍ପତ୍ତି ଭାଗ ବିବାଦ ଆଲୋଚନା କରିବା ପାଇଁ ! ‘‘ଏଥିରେ ତାଙ୍କର ପୁଣି ଗୋଟାଏ ଦାୟିତ୍ୱ ତ ରହିଛି ! ଗୋଟାଏ ବକ୍ତବ୍ୟ ରହିଛି ! ସେ ଏମିତି ଫୁଲାଫାଙ୍କିଆ ହୋଇ ବୁଲିଲେ ଚଳିବ କିପରି ?

 

ରୁଦ୍ରମାଧବଙ୍କ ଆଡ଼େ ମଝିଆଁ ସାନ୍ତ ଚାହିଁଲେ, ସହାନୁଭୂତିପୂର୍ଣ୍ଣ ଦୃଷ୍ଟିରେ ! ଆଃ...ମାନସିକ ଭାବରେ ରୁଦ୍ରମାଧବ ମଧ୍ୟ ରୁଗ୍‌ଣ । ସେ କଣ ବା ବୁଝିବେ, ଆଜିର ରାଜନୈତିକ ସଂଗ୍ରାମ ଓ ସଂକଟ ? ସାମନ୍ତବାଦର ପର୍ଯ୍ୟୁଷିତ ଶବପିଣ୍ଡକୁ ସେ ତଥାପି ଜାବୋଡ଼ି ଧରିଛନ୍ତି, ରକ୍ତନଦୀ ସନ୍ତରଣ ପାଇଁ !

 

‘‘ଆମେ ଲଢ଼ୁ ନଥିଲୁ କେବଳ ସ୍ୱାଧୀନତା ପାଇଁ ! ସ୍ୱରାଜ ଥିଲା, ଆମର ଲକ୍ଷ୍ୟ ! ଦେଶ ସ୍ୱାଧୀନ ହୋଇଛି ସତ । କିନ୍ତୁ ସ୍ୱରାଜ ପାଇଁ ତଥାପି ଆଉରି ଅନେକ ଡେରି ଅଛି ଦାଦା !’’

 

‘‘କଥାର ଚାତୁରୀ ହିସାବରେ ଏ ସବୁ ଚମତ୍କାର !’’ ...ଏଇପରି ବିତର୍କରେ ଯଦି କଟିଯାଇପାରନ୍ତା, ଏଇ ସବୁ ନିସଙ୍ଗ, ଘଟଣା ବିହୀନ ମୁହୂର୍ତ୍ତ ! ରୁଦ୍ରମାଧବ ଡିଭାନ୍ ଉପରେ ସିଧା ହୋଇ ବସିବା ପାଇଁ ଚେଷ୍ଟା କରୁଥିଲେ ।

 

ମଝିଆଁ ସାନ୍ତଙ୍କ ଆକ୍ଷି ଦୁଇଟା ଦପ୍ ଦପ୍ ଜଳି ଉଠିଲା ! ତାଙ୍କର ଦୁଇ ଆକ୍ଷିର ନିର୍ଲିପ୍ତ ପ୍ରଶାନ୍ତି ତଳେ ରଡ଼ ନିଆଁ ଯେ ଜମି ରହିଛି, ତାକୁ ଜାଣନ୍ତି, କେବଳ ତାଙ୍କୁ ଚିହ୍ନିଥିବା ଲୋକେ !

 

ଏକ ସାମନ୍ତବାଦୀ ଜମିଦାର ବଂଶରେ ଜନ୍ମଗ୍ରହଣ କରି ସୁଦ୍ଧା, ତାଙ୍କର ଚିନ୍ତାଧାରା, ଛାତ୍ରାବସ୍ଥାରୁ ଇଛା ଥିଲା ବିଦ୍ରୋହୀ, ବୈପ୍ଲବିକ । କଲିକତା ପ୍ରେସିଡ଼େନ୍‌ସୀ କଲେଜରେ ଛାତ୍ରଥିବା ବେଳେ, ସନ୍ତ୍ରାସବାଦୀ ଆନ୍ଦୋଳନ ସହିତ ସେ ଥିଲେ ସମ୍ପୃକ୍ତ । ପୋଲିସ ମଧ୍ୟ ତାଙ୍କ ସନ୍ତ୍ରାସବାଦୀ କାର୍ଯ୍ୟକଳାପର କେତେ ପ୍ରତ୍ୟେକ୍ଷ ପ୍ରମାଣ ପାଇଥିଲେ—ବିଶେଷତଃ ମେଜର କନିଙ୍ଗ୍ ହାମ୍ ଉପରକୁ ବୋମା ଫିଙ୍ଗି ମାମ୍‌ଲାରେ ! ମାତ୍ର ସେ ଏକ ‘ଲୟାଲ୍’ ଜମିଦାର ବଂଶର ସନ୍ତାନ ଥିବାରୁ କେବଳ, ପୋଲିଶ ତାଙ୍କୁ ଗିରଫ କରି ନଥିଲା । କିନ୍ତୁ ଗୋରା ପ୍ରିନିସ୍‌ପଲ୍ କଲେଜରୁ ତାଙ୍କୁ କରିଥିଲା ବିତାଡ଼ିତ । ସେଇଠି ତାଙ୍କ ଛାତ୍ର ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ତଥାପି ସେଇଦିନୁ, ପୋଲିସ ପ୍ରତ୍ୟକ୍ଷ ପ୍ରମାଣ ସତ୍ୱେ ତାଙ୍କୁ ଗିରଫ କରି ନଥିବା ହେତୁ, ସନ୍ତ୍ରାସବାଦୀ ଶିବିରରେ ସେ ସମସ୍ତଙ୍କର ଅବିଶ୍ୱାସର ପାତ୍ର ହୋଇ ପଡ଼ିଲେ । ତା’ପର ଠାରୁ ଗାନ୍ଧିଜୀଙ୍କ ନେତୃତ୍ୱରେ ପରିଚାଳିତ ସ୍ୱାଧୀନତା ଆନ୍ଦୋଳନରେ ସେ ଖୋଲାଖୋଲି ଭାବରେ ଲମ୍ଫ ଦେଇଥିଲେ । ସତ୍ୟାଗ୍ରହ ଆନ୍ଦୋଳନରେ ମଧ୍ୟ ସେ ବହୁବାର କାରାବରଣ କରିଥିଲେ ।

 

ସନ୍ତ୍ରାସବାଦୀରୁ ସେ ହୋଇଥିଲେ ଗାନ୍ଧୀବାଦୀ । ସ୍ୱାଧୀନତା ପ୍ରାପ୍ତି ପରେ ସେ ଗାନ୍ଧୀବାଦୀରୁ ହୋଇଛନ୍ତି ପୁଣି ପ୍ରଚ୍ଛନ୍ନ ସନ୍ତ୍ରାସବାଦୀ । ଗୋଳା, ଗୁଳି, ବନ୍ଧୁକ ସହିତ ତାଙ୍କର ଅବଶ୍ୟ ଆଉ କାରବାର ନାହିଁ । କିନ୍ତୁ ତାଙ୍କର ସମର୍ଥନ, ସେଇପରି ତରୁଣ ଗୋଷ୍ଠୀଙ୍କ ସହିତ, ଯୋଉମାନେ ବିଶ୍ୱାସ କରନ୍ତି–ବାଲେଟ ନୁହେଁ, ବୁଲେଟ୍‌ରେ କେବଳ ଏ ଅଚଳାୟତନ ସମାଜ ଓ ଏହାର ବୁନିଆଦୀ ବ୍ୟବସ୍ଥାର ପରିବର୍ତ୍ତନ ସମ୍ଭବ । ସ୍ୱାଧୀନୋତ୍ତର କାଳର ମୋହଭଙ୍ଗ ଓ ବ୍ୟର୍ଥତାର ପ୍ରତୀକ ଏମାନେ । ମଝିଆଁ ସାନ୍ତଙ୍କ ସହିତ ଏମାନଙ୍କର ସମ୍ପର୍କ ଘନିଷ୍ଠ । ସେମାନଙ୍କର କର୍ମଯୋଜନା ସହିତ ନ ହେଲେ ବି, ସେମାନଙ୍କର ବିଦ୍ରୋହ ସହିତ ! ଧ୍ୱଂସ ପାଇଁ ସେମାନଙ୍କର ସାଲିସହୀନ ସଂକଳ୍ପ ସହିତ ।

 

ରାଜବାଟୀ ହତାର ଗୋଟାଏ କୋଣରେ, ରାଧାମାଧବଙ୍କ ଦେଉଳ ବେଢା ବାହାରେ, ଆନ୍ଦୋଳନ ଯୁଗରେ ସେ ସ୍ଥାପନ କରିଥିଲେ ‘ଅଭୟାଶ୍ରମ’ । ସହରରେ ସ୍ୱରାଜ–କର୍ମୀ ମାନଙ୍କର ତାହା ଥିଲା ଆଡ଼୍‌ଡ଼ା ଓ ଆଶ୍ରୟସ୍ଥଳ । ସେଦିନ ଏହା ଥିଲା, କଂଗ୍ରେସ ଆନ୍ଦୋଳନର ଏକ ପ୍ରାଣକେନ୍ଦ୍ର । ସ୍ୱାଧୀନତା ପ୍ରାପ୍ତି ପରେ ଅଭୟାଶ୍ରମର ସେ ପ୍ରତିଷ୍ଠା ବା ମହତ୍ୱ ଆଉ ନଥିଲା । ଭାରତୀୟ ରାଜନୀତିରେ ଆଶ୍ରମର ଯୁଗ ଶେଷ ହୋଇ, ଆରମ୍ଭ ହୋଇଥିଲା ପ୍ରାସାଦର ଯୁଗ । କ୍ରମେ ଏହାର ଅନ୍ତେବାସୀମାନେ ଏହାକୁ ଛାଡ଼ି ଭିଡ଼ ବାନ୍ଧିଥିଲେ କ୍ଷମତାସୀନମାନଙ୍କ ଦରବାରରେ, ବିକୀର୍ଣ୍ଣ କ୍ଷମତାରୁ କିଛି କିଛି ତୁଚ୍ଛ ସ୍ୱାର୍ଥ ଆହରଣ ପାଇଁ—ଲାଇସେନ୍‌ସ ପରମିଟ୍ ଠାରୁ ବଦଳୀ ପରଓ୍ୱାନା ପର୍ଯ୍ୟନ୍ତ । ତଥାପି କେତେଜଣ ସ୍ୱାଧୀନତା ସଂଗ୍ରାମୀ, ସେଠାରେ ରହିଯାଇଥିଲେ, ଯେଉଁମାନଙ୍କ ପାଇଁ ଅନ୍ୟ ଆଶ୍ରୟ, ଅବଲମ୍ୱନ ନଥିଲା । କିନ୍ତୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପାଇବା ପରେ, ସେମାନେ ଫେରିଯାଇଥିଲେ ଗ୍ରାମକୁ–ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ପରି ।

 

ଅଭୟାଶ୍ରମ, ଏବେ ପ୍ରଚ୍ଛନ୍ନ ନକସଲ୍ ପନ୍ଥୀ ମାନଙ୍କର ଆଡ଼୍‌ଡ଼ା । ସେଠାରେ ବୋମା ତିଆରି ଚାଲେ ବୋଲି ଖୋଦ୍ ପୋଲିସ ସୁପରିଟେଣ୍ଡଣ୍ଟ୍ ସତର୍କ କରି ଦେଇଛନ୍ତି, ରୁଦ୍ରମାଧବଙ୍କୁ । ରୁଦ୍ରମାଧବ ସେପରି ମାରାତ୍ମକ ପ୍ରସ୍ତୁତିର ଅବଶ୍ୟ କୌଣସି ପ୍ରତ୍ୟକ୍ଷ ପ୍ରମାଣ ପାଇନାହାନ୍ତି । ମାତ୍ର ସତିଆଠାରୁ ସେ ଯାହା ସମ୍ୱାଦ ସଂଗ୍ରହ କରିଛନ୍ତି, ସେଠାରେ ଲମ୍ୱାବାଳିଆ ମାନଙ୍କର ଆଡ଼୍‌ଡ଼ା । ପିଲ୍ ଗିଳି, ସେମାନେ ପଡ଼ିଥାନ୍ତି ଅଚେତନ ପରି, ପିଲ୍ ଗିଳି ନଥିବା ବେଳେ, କଣ ସବୁ ତର୍କ ବିତର୍କ କରନ୍ତି, ଗଳାଫଟା କଣ୍ଠରେ । ଆଶ୍ଚର୍ଯ୍ୟ–ମଝିଆଁ ସାନ୍ତଙ୍କର ସେମାନେ ସବୁଠାରୁ ପ୍ରିୟପାତ୍ର । ସହରରେ ଥିଲେ, ରାଜବାଟୀରେ ନରହି ମଝିଆଁ ସାନ୍ତ ଅଧିକାଂଶ ବେଳେ, ସେଇ ଅଭୟାଶ୍ରମରେ ରହିଥାନ୍ତି, ସୁତା କାଟି, ଖବରକାଗଜ ପଢ଼ି, ଆଉ ଏଇ ଲମ୍ୱାବାଳିଆ ତରୁଣମାନଙ୍କ ସହିତ, ଲେନିନ୍ ଠାରୁ ମାଓ–ସେ–ତୁଙ୍ଗ୍ ହୋଚୀମିନ୍ ପର୍ଯ୍ୟନ୍ତ ନାନା ପ୍ରସଙ୍ଗ ଆଲୋଚନା କରି ସମୟ ଅତିବାହିତ କରିବା ପାଇଁ । ସେ ବୁଝନ୍ତି ନାହିଁ, ବିଦ୍ରୋହୀ ହେବା ପାଇଁ ସୁଦ୍ଧା ନୈତିକ ସଂଯମର ପ୍ରୟୋଜନ । ବିଦ୍ରୋହ ଉଚ୍ଛୃଙ୍ଖଳତା ନୁହେଁ ! ବନ୍ୟାଞ୍ଚଳରୁ ଫେରି, ମଝିଆଁ ସାନ୍ତ ଆଜି ମଧ୍ୟ ବାହାରି ଥିଲେ, ‘ଅଭୟାଶ୍ରମ’ ଆଡ଼େ ।

 

ରୁଦ୍ରମାଧବ କହିଲେ...‘‘ତମ ଆଶ୍ରମ ଉପରେ ପୋଲିସର ଆକ୍ଷି ପଡ଼ିଲାଣି, ସେ ଖବର ରଖିଛି ମଝିଆଁ ସାନ୍ତ ?’’

 

ମଝିଆଁ ସାନ୍ତଙ୍କ ଓଠ ବିଦ୍ରୂପରେ କୁଞ୍ଚିତ ହୋଇଉଠିଲା–‘‘ପୋଲିସ ତ ଏଇ ଜୁଲୁମବାଜ୍, ଶୋଷଣପୁଷ୍ଟ ସମାଜର ହତିଆର୍ । ମାର୍କସ୍...’’ !

 

ମାର୍କସ୍ ଲେନିନ୍ ବୁଝନ୍ତି ନାହିଁ, ରୁଦ୍ରମାଧବ ।

 

ରୁଦ୍ରମାଧବ କହିଲେ–‘‘ସ୍ୱାଧୀନତା ଆଉ ସ୍ୱରାଜ ଘେନି ତମ ସହିତ ତର୍କ କରିବା ପାଇଁ ଆଜି ମୋର ସମୟ ନାହିଁ ମଝିଆଁସାନ୍ତ ! କିନ୍ତୁ ଟିକୀ କାନାଡ଼ାରୁ ଆସୁଚି; ସେ ଖବର ପାଇଚ ?’’

 

‘‘ମୋ ପାଖକୁ ମଧ୍ୟ କାବଲ୍ ପଠାଇଚି ଟିକୀ ! କେବେ ପହଞ୍ଚିବ ଠିକ୍ ଜାଣେ ନାଁ, କିମ୍ୱା କାବଲ୍ ରେ ମଧ୍ୟ ତାର କୌଣସି ସୂଚନା ନାହିଁ ।’’

 

‘‘ମୁଁ ବି ତମରି ପରି ଅନ୍ଧାରରେ’’–ଟିପ୍ପଣୀ କଲେ ରୁଦ୍ରମାଧବ—‘‘ସବୁଦିନେ ସେ ଏଇପରି ଅନ୍‌ପ୍ରେଡ଼ିକ୍‌ଟେବଲ୍ ! କିନ୍ତୁ ତାର ଏଇ ଆକସ୍ମିକ ଶୁଭାଗମନର କାରଣ ଜାଣିଛ ତ ?’’

 

‘‘ଟିକୀ ଚାହେଁ ତାର ଅଂଶ ବିକ୍ରୀ କରିଦେବା ପାଇଁ !’’

 

‘‘ଓ ! ତାହେଲେ, ସେ ଖବର ବି ରଖିଚ ତମେ ! ବେଶ୍ ଭଲ । ଟିକୀର ସଲିସିଟର୍ ସେଦିନ ଆସିଥିଲା, ଏ ସମ୍ପର୍କରେ ମୋ ସହିତ କଥାବାର୍ତ୍ତା ପାଇଁ । ତମେ ବି ତ ଏଥିରେ ସମ୍ପୃକ୍ତ । ତମେ ସେଦିନ ନଥିଲ !’’ ... ରୁଦ୍ରମାଧବଙ୍କ କଣ୍ଠରେ ଉଦ୍‌ବେଗର ପ୍ରଚ୍ଛନ୍ନ ସ୍ୱର !

 

ମଝିଆଁ ସାନ୍ତ କହିଲେ...‘‘ଟିକୀ ଯଦି ଚାହେଁ, ସମ୍ପତ୍ତିରେ ତାର ଅଂଶ ବିକ୍ରୀ କରିଦେବା ପାଇଁ, ବିକ୍ରୀ କରିଦେବ । ସେଥିରେ ବିବ୍ରତ ହେବାର କଣ ଅଛି ? ମୁଁ ବି ତ ଭାବୁଛି, ମୋର ଅଂଶ ଭୂଦାନ–ସମିତିକୁ ଦାନ କରିଦେବା ପାଇଁ । ପ୍ରାଉଧାନ୍‌ଙ୍କ ଉକ୍ତି ମୋ ପକ୍ଷରେ ବେଦବାକ୍ୟ...‘‘all property is theft.’’

 

ପ୍ରାଉଧାନ୍ ବୁଝନ୍ତି ନାହିଁ ରୁଦ୍ରମାଧବ–

 

କିନ୍ତୁ ତାଙ୍କର ଦୁଇପଟ ବାଘୁଆ ନିଶ ଥରି ଉଠିଲା । ଡାହାଣ ଆକ୍ଷିରୁ ଫିତାବନ୍ଧା ଚଷମା ଲେନସ୍ କାଢ଼ି ସେ ଆହତ କଣ୍ଠରେ ପଚାରିଲେ ...‘‘ତୁମେ ବି ସେଇଆ କହୁଚ ମଝିଆଁ ସାନ୍ତ ? କିନ୍ତୁ ଦର୍ପନାରାୟଣ ଦେବଙ୍କ ଉଇଲ୍ ତମେ କଣ ଦେଖିନାହିଁ ? ଏଇ ଏଷ୍ଟେଟ୍ ତାଙ୍କର ସ୍ୱୋପାର୍ଜିତ ସମ୍ପତ୍ତି । ସେ ଏଇ ଏଷ୍ଟେଟ୍‌ର ପ୍ରତିଷ୍ଠାତା । ପରବର୍ତ୍ତୀ କାଳରେ ଏଷ୍ଟେଟ୍‌ର ସମ୍ପତ୍ତି ଅବଶ୍ୟ ବୃଦ୍ଧି ପାଇଛି । କିନ୍ତୁ ସବୁ ଲକ୍ଷ୍ମୀନାରୟଣଙ୍କ ନାମରେ ।’’

 

‘‘ଦିଅଁ ଦେବତାମାନେ ତ ସାମନ୍ତବାଦର ଚମତ୍କାର ମୁଖା !’’ –ମଝିଆଁ ସାନ୍ତ କଣ୍ଠରେ ବିଦ୍ରୂପ ।

 

‘‘ଆଉ ତମର ଏ ସାମ୍ୟବାଦୀ ସ୍ଲୋଗାନ୍ କାହାର ?’’

 

ରୁଦ୍ରମାଧବଙ୍କ ଆକ୍ଷି ଦୁଇଟା ପୁଣି ଦପ୍ ଦପ୍ ହୋଇ ଉଠିଲା । ତାଙ୍କର ହାଇ ବ୍ଲଡ଼–ପ୍ରେସର୍ ! ମଝିଆଁ ସାନ୍ତଙ୍କର ମନେ ପଡ଼ିଗଲା । ସେ ନୀରବ ରହିଲେ ।

 

ରୁଦ୍ରମାଧବ କହିଲେ...‘‘ଦର୍ପନାରାୟଣଙ୍କ ଉଇଲ୍‌ରେ ସ୍ପଷ୍ଟ ନିର୍ଦ୍ଦେଶ–ଏ ଏଷ୍ଟେଟ୍ ଭାଗ ଭାଗ ହୋଇ ପାରିବ ନାହିଁ । ବଂଶଧରମାନେ ନିଜ ନିଜ ସ୍ୱତ୍ୱ ଅବଶ୍ୟ ଅବାଧ ଭାବରେ ଭୋଗ କରି ପାରିବେ କେବଳ ଲକ୍ଷ୍ମୀନାରାୟଣଙ୍କ ସେବକ ରୂପେ !’’

 

ହସଟାମଝିଆ ସାନ୍ତଙ୍କ ଗମ୍ଭୀର ପ୍ରକୃତିର ଚେହେରାକୁ ମାନିଲା ନାହିଁ । କିନ୍ତୁ ସେ ହୋ–ହୋ–ହୋଇ ହସି ଉଠିଲେ । ଏଥିରେ ହସିବାର ଅଛି ବା କଣ ? –‘‘ସେବା, ସେବକ ସାମନ୍ତବାଦୀ ଅଭିଧାନରେ ଦୁଇଟା ବେଶ୍ ଶ୍ରୁତିମଧୁର ଶଦ୍ଦ ! ମହାପ୍ରସାଦ ବି ସେବା କରାଯାଏ ଦାଦା !’’

 

ରୁଦ୍ରମାଧବ ଏ ଆକ୍ଷେପର ପ୍ରଚ୍ଛନ୍ନ ଇଙ୍ଗିତ ବୁଝିଲେ । ସେ ମଧ୍ୟ ପ୍ରତ୍ୟାଘାତ କରିବାକୁ ଛାଡ଼ିଲେ ନାହିଁ...‘‘ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରୁ କୌଣସି ଅତିଥି ଅଭ୍ୟାଗତ, ଏ ଦୁର୍ଦ୍ଦିନରେ ସୁଦ୍ଧା ଅଭୁକ୍ତ ଫେରି ନାହାନ୍ତି, ମଝିଆଁ ସାନ୍ତ ! ବଢ଼ୀ ମରୁଡ଼ୀ ବେଳେ ପ୍ରଜାମାନେ ଖମାର ମାନଙ୍କରୁ କେବେ ଦେଢ଼ୀ ସୁଧରେ ଧାନ କରଜ କରି ନାହାନ୍ତି ! ସେମାନେ ସମସ୍ତେ ଯେ ଲକ୍ଷ୍ମୀନାରାୟଣଙ୍କ ସନ୍ତାନ ! କିନ୍ତୁ ତମର ସାମ୍ୟବାଦୀ ଷ୍ଟାର୍–ହୋଟେଲ୍ ମାନଙ୍କ ପାଖରେ ଝୁଗୀ ଝୁପଡ଼ୀର ଜଙ୍ଗଲ, ଡଷ୍ଟବିନ୍ ମାନଙ୍କରୁ ଉଚ୍ଛିଷ୍ଟ ପାଇଁ ଛଡ଼ାଛଡ଼ି, ବ୍ୟାଙ୍କ୍ ମାନଙ୍କର ସୁଧ ହାର ମାତ୍ର ଷୋଳ ପରସେଣ୍ଟ୍ ! ତମେମାନେତ ଏ ଯୁଗର ନବ୍ୟ ସାମନ୍ତବାଦୀ !’’

 

ମଝିଆଁସାନ୍ତ ମଧ୍ୟ ବୁଝନ୍ତି ସାମ୍ୟବାଦର ଏଇ ବିଡ଼ମ୍ୱିତ ବିରୋଧାଭାସ । ସେ ନୀରବ ରହିଲେ ।

 

ରୁଦ୍ରମାଧବ କହି ଚାଲିଲେ...‘‘ସ୍ୱୟଂ ଲକ୍ଷ୍ମୀନାରାୟଣ, ଏଇ ଏଷ୍ଟେଟ୍‌ର ଅଧିକାରୀ । ଆମେମାନେ କେବଳ ତାର ଟ୍ରଷ୍ଟି ମାତ୍ର ! ଏ ପରିସ୍ଥିତିରେ ଟିକୀ ତାର ଅଂଶ ଅଲଗା କରି, ବିକ୍ରୀ କରି ପାରିବ କିପରି ? ମୁଁ ଅନ୍ତତଃ ବଞ୍ଚି ଥାଉଁ ଥାଉଁ ତାହା ସମ୍ଭବ ନୁହେଁ, କଦାଚ ନୁହେଁ !’’ ଡିଭାନ୍ ଉପରେ ଉତ୍ତେଜିତ ଭାବରେ ସିଧା ହୋଇ ବସିପଡ଼ିଲେ ରୁଦ୍ରମାଧବ ।

 

ହୁକାରୁ ନିଆଁ ନିଭି ଯାଇଥିଲା !

 

ସତୀଆ ନାହିଁ । ତଥାପି ପୁରୁଣା ଅଭ୍ୟାସରେ ସେ ଚିତ୍କାର କଲେ...

 

‘‘ସତୀଆ’’ !

 

ରାମଶରଣ ଥରେ ତୁଳସୀ ରାମାୟଣ ଛାଡ଼ି ଆସିଥିଲା ହୁକା ସଜାଇବା ପାଇଁ ! ସେ ବା ଆଉ କୋଉଠୁ ମିଳିବ ? ରୁଦ୍ରମାଧବ ଖଣ୍ଡେ ଚୁରୁଟ୍‌ରେ ନିଆଁ ଲଗାଇଲେ ।

 

ନୀଳମାଧବ ଉତ୍ତର ଦେଲେ...‘‘କିନ୍ତୁ ଯେଉଁ ଉଇଲ୍‌ରେ ଅଛି ଲକ୍ଷ୍ମୀନାରାୟଣ ଏଷ୍ଟେଟ୍ ଇଁମ୍ପାର୍ଟିବଲ୍ ରହିବାର ବ୍ୟବସ୍ଥା; ସେହି ଉଇଲ୍ ରେ ମଧ୍ୟ ରହିଛି, ନିଜ ନିଜର ସ୍ୱତ୍ୱ ଭୋଗ କରିବା ପାଇଁ, ପ୍ରତ୍ୟେକ ବଂଶଧରର ଅବାଧ ଅଧିକାର ! ଟିକୀ ଯଦି ତାର ସ୍ୱତ୍ୱ ଦାବୀ କରେ, ଦର୍ପନାରାୟଣ ଦେବଙ୍କ ଉଇଲ୍, ସେଥିରେ ପ୍ରତିବନ୍ଧକ ହେବ କିପରି ?’’

 

‘‘ଟିକୀର ସଲିସିଟର୍ ମଧ୍ୟ ସେହିପରି ଯୁକ୍ତି କରିଛନ୍ତି । କିନ୍ତୁ ଟିକୀ ପରି, କେହି ତ କେବେ ସେପରି ଦାବୀ କରିନାହିଁ–ଏପରି କି ସୁଧୀର ସୁଦ୍ଧା ନୁହେଁ ! ମୋ ପରେ ତମେ ସବୁ ନିଜନିଜର ସ୍ୱତ୍ୱ ଭାଗ କରି ଯାହା କରିବାର କର । ମୁଁ ଦେଖିବାକୁ ନଥିବି । କିନ୍ତୁ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏକଥା ସମ୍ଭବ ହୋଇ ପାରିବ ନାହିଁ ମଝିଆଁ ସାନ୍ତ !’’ ...ରୁଦ୍ରମାଧବଙ୍କ କଣ୍ଠରେ ନିଷ୍ପତ୍ତିର ଅକମ୍ପିତ ଘୋଷଣା !

 

ମଝିଆ ସାନ୍ତଙ୍କ କରୁଣାର୍ଦ୍ର ଦୃଷ୍ଟିରେ, ରୁଦ୍ରମାଧବଙ୍କ ଆଡ଼େ ଚାହିଁଲେ । ଦର୍ପନାରାୟଣଙ୍କ ଦିନୁ, କାଳର ଯେଉଁ ସବୁ ରୂପାନ୍ତର ଘଟିଛି–ରୁଦ୍ରମାଧବ ତାହାକୁ ଦେଖି ପାରୁ ନଥିବା, କିମ୍ୱା ଦେଖି ଚିହ୍ନି ପାରୁ ନଥିବା ତାଙ୍କୁ ବିସ୍ମିତ କରୁଥିଲା । ଭାଗଚାଷୀ ମାନଙ୍କର ଲାଣ୍ଡ ରିଫର୍ମ ମୋକଦ୍ଦମା, ସିଲିଙ୍ଗ୍–ଆକ୍ଟର ଭୂମିଗ୍ରାସରେ ଏଷ୍ଟେଟ୍‌ର ବିପୁଳ ଭୂ ସମ୍ପତ୍ତି ଆଜି ନିଃଶେଷିତ । ହାତଚାଷ ଜମି ଯାହା ଅଛି ତାହା ସାମାନ୍ୟ । ସହରରେ ସମ୍ପତ୍ତି ଭିତରେ ରହିଛି କେବଳ ସାତ ଆଠ ଏକର ଜମି ଉପରେ ଏଇ ଭୁଷୁଡ଼ା ରାଜବାଟୀ । ତା ଉପରେ ମଧ୍ୟ କାଳର ଦନ୍ତାଘାତ ଆଉ ଶୈବାଳ !

 

ସିଟୀ–ଇମ୍ପ୍ରୁଭମେଣ୍ଟ୍ ଟ୍ରଷ୍ଟ୍‌ ର ପର୍‌ଓ୍ୱାନା ଝୁଲୁଛି ତା ଉପରେ । ରାସ୍ତା ଚଉଡ଼ା ହୋଇ ରିଙ୍ଗ୍–ରୋଡ଼ ବୁଲିବ ଏଇଠାରୁ । ଟ୍ରଷ୍ଟ୍‌ ର ଯୋଜନା ପୁଣି ସ୍ଲମ୍ କ୍ଲି ଅରାନ୍‌ସ୍‌ ସ୍କିମ୍‌ରେ ଏଠାରେ ତିଆରି ହେବ ସ୍ଲମ୍–ଅଧିବାସୀ ମାନଙ୍କ ପାଇଁ ଫ୍ଲାଟ ! ଲକ୍ଷ୍ମୀନାରାୟଣଙ୍କ ବିଜେସ୍ଥଳୀ ଦର୍ପନାରାୟଣ ଦେବଙ୍କ ଉଆସ–ସ୍ଲମ୍ ଅଧିବାସୀଙ୍କ ମେଳା, ଏ ଭାବନା ସୁଦ୍ଧା ରୁଦ୍ରମାଧବଙ୍କ ଚେତନାକୁ କଣ୍ଟକିତ କରେ ।

 

ଉଆସ ହତା ଉପରେ ପଡ଼ିଛି ପୁଣି ଅରବାନ୍–ସିଲିଙ୍ଗ–ଆକ୍ଟର କୋପଦୃଷ୍ଟି ! ଟ୍ରଷ୍ଟର ଆକ୍ୱିଜିସନ୍ ନୋଟିସ ଉପରେ, ରୁଦ୍ରମାଧବଙ୍କ ମୋକଦ୍ଦମା ବର୍ତ୍ତମାନ ଚାଲିଛି ସୁପ୍ରୀମ୍–କୋର୍ଟ୍‌ ରେ-। ସହରର ଉପକଣ୍ଠରେ ଏତେ ଜମି ପଡ଼ି ଥାଉଁ ଥାଉଁ, ଏକ ପ୍ରାଚୀନ ବଂଶର ଆବାସସ୍ଥଳୀକୁ ସ୍ଳମ–କ୍ଳି ଅରାନ୍‌ସ ସ୍କୀମ୍‌ରେ ଆକ୍ୱାୟାର୍ କରିବା, ଆଇନସମ୍ମତ ନୁହେଁ ବୋଲି ରୁଦ୍ରମାଧବଙ୍କ ଅର୍ଜି-!

 

‘‘ବୁଝିପାରୁ ନାହାନ୍ତି ଦାଦା, ଯୁଗପରିବର୍ତ୍ତନର ଏ ଚରିତ୍ର ? ନେତା, ବ୍ୟୁରୋକ୍ରାଟ୍, ପୁଞ୍ଜିପତି ଆଉ ଝୁଗୀ ଝୁପ୍‌ଡ଼ୀବାଲାଙ୍କର ଏ ଯୁଗ ! ଆପଣମାନଙ୍କ ଯୁଗ ଭୋଗ ହୋଇଗଲା ! ଏବେ ଦଳଙ୍କ ପାଇଁ ତିଆରି ହେବ କୋଠୀ, ବଙ୍ଗଳା, ଫାଇଭ୍‌ଷ୍ଟାର୍ ହୋଟେଲ, ଅନ୍ୟ ଦଳକୁ ସନ୍ତୁଷ୍ଟ ରଖିବା ପାଇଁ ତିଆରି ହେବ ପାରାଭାଡ଼ୀ ପରି ଏକ ବଖୁରିଆ ଫ୍ଲାଟ୍ ! ଏ ରାଜବାଟୀ ସବୁ ନ ଭାଙ୍ଗିଲେ; ସେଥିପାଇଁ ଜାଗା ଜମି ମିଳିବ କୁଆଡ଼ୁ ? ମୋକଦ୍ଦମାରେ କଣ ଅଛି ଏହାର ମୀମାଂସା-?’’

 

ରୁଦ୍ରମାଧବ କିନ୍ତୁ ଏ ସରଳ ସତ୍ୟଟିକୁ ମାନିବା ପାଇଁ ପ୍ରସ୍ତୁତ ନଥିଲେ । ଯୁଗେ ଯୁଗେ ରହିଆସିଛନ୍ତି ଶୋଷକ ଓ ଶୋଷିତ । ଭିନ୍ନ ଭିନ୍ନ ସମୟରେ ଉଭୟଙ୍କର ଅବଶ୍ୟ ରୂପାନ୍ତର ଘଟିଛି । ମାତ୍ର ପ୍ରବୃତ୍ତି ରହିଆସିଛି ସମାନ । ଆଜିର ଅମୀର୍ ଉମ୍‌ରାହ ସାଆନ୍ତ ହେଉଛନ୍ତି–ନେତା, ବ୍ୟୁରୋକ୍ରାଟ୍ ଆଉ ପୁଞ୍ଜି ପତିମାନେ; ପ୍ରଜାବାପୁଡ଼ା ହେଉଛନ୍ତି ସାମ୍ୟବାଦୀ ରାଷ୍ଟ୍ରର ଜନତା ! ଚେହେରାରେ ପରିବର୍ତ୍ତନ ଘଟିଛି, ମାତ୍ର ସମାଜର ପ୍ରକୃତିରେ ନୁହେଁ ! ରୁଦ୍ରମାଧବ ମୋକଦ୍ଦମା ଚଳାଇ ଏହାର ପ୍ରତିରୋଧ କରିବାର ମୂର୍ଖତା ପ୍ରତି, ସମବେଦନାରେ ମଝିଆଁ ସାନ୍ତଙ୍କ କଣ୍ଠ କୋମଳ ହୋଇଉଠିଲା ! ଆଃ ! ଏ ବିଚାରାଟିକୁ ଆଘାତ ଦେଇ ଲାଭ କଣ ?

 

ମଝିଆଁ ସାନ୍ତ କହିଲେ...‘‘ହାଇକୋର୍ଟରେ ତ ଖାରଜ ହୋଇଗଲା ଆପଣଙ୍କର ରୀଟ୍ । ପୁଣି କୁହୁଡ଼ି ପହଁରୁଛନ୍ତି କାହିଁକି ?’’

 

ରୁଦ୍ରମାଧବ କଣ ସମ୍ପତ୍ତି ପାଇଁ ବ୍ୟସ୍ତ ? –‘‘ସମ୍ପତ୍ତି ପାଇଁ ମୁଁ ଆଦୌ ବିଚଳିତ ନୁହେଁ ମଝିଆଁ ସାନ୍ତ ! ରିତାର ବିବାହ ଛଡ଼ା ମୋର ଆଉ ଅନ୍ୟ ଦାୟ ଦାୟିତ୍ୱ ନାହିଁ । ସେଥିପାଇଁ ଟଙ୍କା ଆଉ ଅଳଙ୍କାର ତାର ମା ବ୍ୟାଙ୍କ୍ ରେ ରଖିଯାଇଛନ୍ତି ପ୍ରଚୁର ! ସେ ଦାୟରୁ ମଧ୍ୟ ମୋତେ ମୁକ୍ତି ଦେଇଛନ୍ତି ସେ ! ସୁବୀର, ସୁଧୀର ବିଦେଶରେ ! ସେମାନେ ଏ ଦେଶକୁ ଫେରିବେ ନାହିଁ । ତମ ଆଶ୍ରମରେ ରହିଗଲେ ମୋର ମଧ୍ୟ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ଲକ୍ଷ୍ମୀନାରାୟଣ ? ତାଙ୍କର ସେବା ପୂଜା ?’’

 

ବହୁ ଗର୍ବିତ ଏଇ ପ୍ରଶ୍ନ ଆଉ ଯୁକ୍ତି ।

 

ମଝିଆଁ ସାନ୍ତ ଉଠି ଯାଉଁ ଯାଉଁ କହିଲେ, ‘‘କାଳ ଦିନେ ସମସ୍ତଙ୍କୁ ଗ୍ରାସ କରେ ଦାଦା ! ଆଜି ଆପଣଙ୍କୁ ମଧ୍ୟ ଗ୍ରାସ କରିଛି । ନମ୍ର ଭାବରେ ତାହାକୁ ମାନି ଯିବାରେ ଶାନ୍ତି ମିଳିବ ।’’

 

ଏଇ ଅପ୍ରୀତିକର ବିତର୍କ ଆଲୋଚନା ମଧ୍ୟରେ, ରୁଦ୍ରମାଧବ ଉତ୍ତେଜିତ ହୋଇ ପଡ଼ିଥିଲେ । ବ୍ଲଡ଼ ପ୍ରେସର୍ ନିଶ୍ଚୟ କେତେ ମିଲିମିଟର୍ ବଢିଯାଇଥିବ । ସାଇଟିକାରେ ସେ ପୁଣି ଭୋଗୁଛନ୍ତି କେତେ ବର୍ଷ ହେଲା । ଏବେ ପ୍ରାୟ ଅଚଳ । ସେଥିପାଇଁ ସେ ସବୁବେଳେ ପଡ଼ି ରହିଥାନ୍ତି, ସେଇ ଡିଭନ୍‌ଟା ଉପରେ ।

 

କିନ୍ତୁ ମଝିଆଁ ସାନ୍ତ ଚାଲିଯିବା ପରେ, ରୁଦ୍ରମାଧବ ଡିଭାନ୍ ଛାଡ଼ି, ଖଣ୍ଡେ ଓ୍ୱାକିଙ୍ଗ୍‌ ଷ୍ଟିକ୍ ଉପରେ ଭାର ଦେଇ, ବୈଠକଖାନା ଭିତରେ ପାଦଚାରଣା କରିବା ପାଇଁ ଲାଗିଲେ । କାନ୍ଥରେ ଝୁଲୁଥିଲା, ପୂର୍ବପୁରୁଷ ମାନଙ୍କର କୀଟଦଂଷ୍ଟ ଅଏଲ୍–ପେଣ୍ଟିଙ୍ଗ୍ । ଓ୍ୱାକିଙ୍ଗ୍ ଷ୍ଟିକ୍ ଉପରେ ଭାରା ରଖି ରୁଦ୍ରମାଧବ ସେଇ ଅଏଲ୍–ପେଣ୍ଟିଙ୍ଗ୍ ସବୁ ଗୋଟି ଗୋଟି କରି ନିରୀକ୍ଷଣ କଲେ । ଏଇ ଛିନ୍ନମୂଳ ପରିବେଶ ମଧ୍ୟରେ, ସେ ଯେପରି ପୂର୍ବଜ ମାନଙ୍କର ସେଇ ଅଏଲ୍–ପେଣ୍ଟିଙ୍ଗ୍ ମାନଙ୍କ ମଧ୍ୟରେ ଅନ୍ୱେଷଣ କରୁଥିଲେ, ତାଙ୍କର ସ୍ଥିତି ! ସେମାନଙ୍କଠାରୁ ସେ ଯେପରି ଆଶା କରୁଥିଲେ, ତାଙ୍କ ଉତ୍ପୀଡ଼କ ଜିଜ୍ଞାସାର ଉତ୍ତର...ସେମାନଙ୍କ ଦିନକାଳ କଣ ପୁରିଲା ?

 

ଦର୍ପନାରାୟଣ ଦେବ...ବ୍ରିଟିଶ ଅଧିକାରର ପ୍ରାରମ୍ଭରେ, ସାମାଜିକ, ଅର୍ଥନୈତିକ ବିପର୍ଯ୍ୟୟର କାଳରେ, ସ୍ଥାପନ କରିଥିଲେ, କାଞ୍ଚନଗଡ଼ ଏଷ୍ଟେଟ୍‌ର ଭିତ୍ତି । ତାଙ୍କୁ କେନ୍ଦ୍ର କରି, ଅନେକ କିମ୍ବଦନ୍ତୀ । ଜଣେ ପଶ୍ଚିମା ବୈଷ୍ଣବ ସାଧୁଙ୍କ ଆର୍ଶୀବାଦରୁ ସେ କୁଆଡ଼େ ଜଣେ ଖଣ୍ଡାୟତ ଜମିଦାରଠାରୁ ଲାଭ କରିଥିଲେ, ଏଇ ଅଚଳାଚଳ ସମ୍ପତ୍ତି । ଏପରି ମଧ୍ୟ ଶୁଣାଯାଏ, ସେ ପ୍ରତାରିତ କରିଥିଲେ ତାଙ୍କୁ କୋମ୍ପାନୀର ଖଜଣାଖାନାରେ । ବିବେକ ଦଂଶନରୁ ମୁକ୍ତି ପାଇଁ, ଏଇ ଏଷ୍ଟେଟ୍‌କୁ ସେ ସେଇଦିନୁ ସମର୍ପଣ କରିଥିଲେ, ଇଷ୍ଟଦେବତା ଲକ୍ଷ୍ମୀନାରାୟଣଙ୍କ ନାମରେ । ସେ କଣ ନଥିଲା, କାଳାନ୍ତରର ଏକ ଦୁଷ୍କାଳ ? ଆଜି ଯଦି ତାର ପୁନରାବୃତ୍ତି ହୁଏ ?

 

ଶ୍ରୀକାନ୍ତ ଦେବଙ୍କ ନାକପୁଡ଼ା ତଳେ ଦୁଇପଟ ବଙ୍କା ବାଘୁଆ ନିଶ...ନୀଳକାନ୍ତ ଦେବ...ନୀଳକାନ୍ତ ଥିଲେ ଅପୁତ୍ରିକ...ରୁଦ୍ରମାଧବ ଏକ ଅଭିଜାତ ପରିବାରରୁ ଆସିଥିଲେ ପୋଷ୍ୟପୁତ୍ର ହୋଇ । ତାଙ୍କ ଅନ୍ତେ ରୁଦ୍ରମାଧବ ।

 

ରୁଦ୍ରମାଧବଙ୍କ ଅଏଲ୍ ପେଣ୍ଟିଙ୍ଗ୍ ଏ ଲୁଣିଧରା, ଜୀର୍ଣ୍ଣକାନ୍ଥରେ ଆଉ ବୋଧହୁଏ ଲାଗିବ ନାହିଁ । କିନ୍ତୁ ଅତୀତରେ ଥରେ, ରାଣୀ ସବୁର୍ଣ୍ଣମଞ୍ଜରୀ ହା.ଇ. ସ୍କୁଲର ଏକ ପୁରଷ୍କାର ବିତରଣୀ ସଭାକୁ ସେ ଆମନ୍ତ୍ରିତ ହୋଇଥିଲେ ମୃତ୍ୟୁ ଅତିଥି ରୂପେ । ସେଇ ଅବକାଶରେ ସ୍କୁଲ ସେକ୍ରେଟାରୀ ତାଙ୍କୁ ଅଭ୍ୟର୍ଥନା କରିଥିଲେ, କର୍ପୂରମାଳ ପିନ୍ଧାଇ । ତାର ଗୋଟାଏ ଫଟୋଗ୍ରାଫ୍ ଝୁଲୁଥିଲା କାନ୍ଥରେ । ...ଆଶ୍ଚର୍ଯ୍ୟ ସେଇ କୀଟଦଂଷ୍ଟ କର୍ପୂରମାଳଟା ସୁଦ୍ଧା ତଥାପି ଝୁଲୁଥିଲା ଫଟୋ ଦେହରେ-

 

ରୁଦ୍ରମାଧବ ଗୋଟାଏ ଦୀର୍ଘଶ୍ୱାସ ପକାଇ, ଫେରି ଆସିଲେ ଡିଭାନ୍ ଉପରକୁ...ସେଇ ଅଚଳାୟତନ !

 

ରୁଦ୍ରମାଧବ ଉତ୍‌କର୍ଣ ହୋଇ ଉଠିଲେ । ବାରଣ୍ଡାରେ କାହାର ଏ ଜୋତା ଶଦ୍ଦ ? କିନ୍ତୁ ରୁଦ୍ରମାଧବ ବହୁ ପରିଚିତ ଏଇ ଚଞ୍ଚଳ ଔଦ୍ଧତ୍ୟ ସହିତ । ଋତୁପର୍ଣ । ପୁଣି ଫେରୁଥିଲା ନିଶ୍ଚୟ ! ତା ନହେଲେ ଆଉ କାହା ହାଇହିଲ୍‌ର ଆଘାତରେ, ମୃତ୍ୟୁ ପରି ଶୀବଳ, ନିଥର ଏଇ ପରିବେଶ ଚମକିତ ହୋଇଉଠିବ ?

 

ଏଇ ବିବର୍ଣ ଅରଣ୍ୟରେ, ଋତୁପର୍ଣା ଇ ତ ଏକମାତ୍ର ପୁଷ୍ପିତ କୃଷ୍ଣଚୂଡ଼ା !

 

ଋତୁପର୍ଣା ପ୍ରତି ପୁଞ୍ଜୀଭୂତ ସବୁ ଅଭିମାନ ଓ ଅସନ୍ତୋଷ ସତ୍ୱେ, ଋତୁପର୍ଣାର ସାନ୍ନିଧ୍ୟ ମଧ୍ୟରେ ରୁଦ୍ରମାଧବଙ୍କ ସନ୍ତପ୍ତ ମନ ଶାନ୍ତି ପାଇଥାଏ । ସେଇ ତ ତାଙ୍କର ଏକମାତ୍ର ସନ୍ତାନ ! ବଂଶର ପ୍ରଦୀପ ଶିଖା ! ଋତୁପର୍ଣାର ଆଚରଣରେ ସେ ବେଳେ ବେଳେ ଆହତ ହେଲେ ସୁଦ୍ଧା ତାର ଯିବା ଆସବାକୁ ଅପେକ୍ଷା କରି, ସେ ପଡ଼ିରହିଥାନ୍ତି ସେଇ ଡିଭାନ୍‌ଟା ଉପରେ !

 

‘‘ଋତା !’’

 

ଛିଣ୍ଡା କାର୍ପେଟ୍‌ରେ ପ୍ଲାଯପର୍ମ ଜୋତା ହଳକ ଛନ୍ଦି ହୋଇଯିବାରୁ ଋତୁପର୍ଣା ତଳେ ପ୍ରାୟ ପଡ଼ିଯାଉଥିଲା, ଝଡ଼ପରି ସେ ଯେପରି ପଶିଆସିଥିଲା, ଘର ଭିତରକୁ । ନିଜକୁ ସମ୍ଭାଳି ନେଇ ଋତୁପର୍ଣା କହିଲା...‘‘ବାବାଃ ! ଏତ ଘର ନୁହେଁ !’’

 

ଏ ଅନୁଚିତ ଆକ୍ଷେପରେ ରୁଦ୍ରମାଧବ ମନେ ମନେ ଉତ୍ତ୍ୟକ୍ତ ହୋଇ ଉଠିଲେ...‘‘ଏ ବଂଶର ଜେମା ଟୋ–ଟୋ ହୋଇ, ଏପରି ଅଶ୍ଲୀଳ ପୋଷାକ ପିନ୍ଧି ରାସ୍ତାରେ ବୁଲିବ, ମୋର ଧାରଣାର ବାହାରେ ଥିଲା ଋତା !’’

 

ଋତୁପର୍ଣା ଖିଲ୍ ଖିଲ୍ ହସି ଉତ୍ତର ଦେଲା...‘‘ମଠା, ବନାରସୀ ଶାଢୀ ପିନ୍ଧି, ଘରକୋଣରେ ବୈଦେହୀଶ ବିଳାସ ଛାନ୍ଦ ବୋଲିଲେ, ପଲେ ଦାସୀଙ୍କୁ ଧରି ବଡ଼ୀ ପକାଇଲେ, ଆପଣ ଖୁସି ହୁଅନ୍ତେ ! ନାଁ ଡାଡ଼ୀ ?’’

 

ରୁଦ୍ରମାଧବ ନିରୁତ୍ତର । ଇଏ ତାଙ୍କୁ କ୍ରୋଧ ଆଉ ଅଭିମାନର ଲକ୍ଷଣ ! ଋତା ମଧ୍ୟ ଜାଣେ ତାର ପ୍ରତିବିଧାନ...ଏଇ ବୃଦ୍ଧ ଶିଶୁଟିର କ୍ରୋଧ ଆଉ ଅଭିମାନକୁ କିପରି ଶାନ୍ତ କରାଯାଇ ପାରେ ! ମନରେ ଆଘାତ ଦେଇ ଲାଭ କଣ ?

 

ଋତୁପର୍ଣା ରୁଦ୍ରମାଧବଙ୍କ ପାଖରେ ବସି, ତାଙ୍କ ମୁଣ୍ଡରେ ହାତ ବୁଲାଇ ପଚାରିଲା...‘‘କାଲି ରାତିରେ ନିଦ ହୋଇଥିଲା କିପରି ?’’

 

ବେଳେ ବେଳେ, ବିରଳ ଅବକାଶରେ, ଋତୁପର୍ଣାର ବେପରୁଆ ମେଜାଜ୍‌ରେ ଜନ୍ମିଥାଏ, ରୁଦ୍ରମାଧବଙ୍କ ପ୍ରତି ପିତୃଶ୍ରଦ୍ଧା । ସେ ବ୍ଲଡ଼ପ୍ରେସର୍ ଚାର୍ଟ୍ ଦେଖେ, ପ୍ରେସ୍‌କ୍ରିପ୍‌ସନ୍‌ ପଢେ, ନିୟମିତ ଔଷଧ ଖାଉଛନ୍ତି କି ନାହିଁ, ସତୀଆ ପାଖରୁ ପଚାରି ବୁଝେ, ଡାକ୍ତରଙ୍କୁ ଟେଲିଫୋନ୍ କରେ ! ଆଜି ମଧ୍ୟ ଥିଲା, ସେଇପରି ଏକ ବିରଳ ମୁହୂର୍ତ୍ତ !

 

ରୁଦ୍ରମାଧବଙ୍କ କଣ୍ଠସ୍ୱର ସହାନୁଭୂତିର ସ୍ପର୍ଶରେ ଆର୍ଦ୍ର ହୋଇଉଠିଲା । ସେ କ୍ଷୀଣ କଣ୍ଠରେ କହିଲେ...‘‘ଦୁଇ ଦୁଇଟା କାମ୍ପୋଜ ସତ୍ୱେ ଆକ୍ଷି କଷା ହେଲା ନାହିଁ ନିଦରେ ।’’

 

‘‘କିନ୍ତୁ ପ୍ରେସର୍ ତ ଠିକ୍ ଅଛି !’’

 

‘‘ମାତ୍ର ଏଇ ଟେନ୍‌ସନ୍ ! ଉଦ୍‌ବେଗ !’’

 

ଋତୁପର୍ଣା କହିଲା...‘‘ଆପଣ ତ ଆପେ ଆପେ ଆମନ୍ତ୍ରଣ କରି ଆଣୁଛନ୍ତି, ସେସବୁ ଟେନ୍‌ସନ୍‌ ! ମ୍ୟୁଜିଅମ୍ ପରି ଏଇ ଭଙ୍ଗା ରାଜବାଟୀଟା ଭିତରେ ପଡ଼ିଲେ, ଯେ କେହି ତ ମର୍‌ବିଡ଼୍ ହୋଇଯିବ ! ଆପଣ ଏହାକୁ ଆବୋରି ପଡ଼ି ରହିଛନ୍ତି କାହିଁକି ? ଏସବୁ ରାଜୋଡ଼ା, ରାଜବାଟୀର ଯୁଗ ଗଲାଣି, ଏଇ ସରଳ କଥାଟାକୁ ବୁଝୁନାହାନ୍ତି କିପରି ? ଅନେକ ରାଜା ଜମିଦାର, ସେମାନଙ୍କ ପୁରୁଣା ପାଲେସ୍ ବିକ୍ରୀ କରି, ସୁନ୍ଦର ସୁନ୍ଦର ଫ୍ଲାଟ କୋଠୀମାନଙ୍କରେ ରହିଲେଣି ! ବଡ଼ଦାଦା, ସାନଦାଦା କାନାଡ଼ା ଆଉ ଅଷ୍ଟ୍ରେଲିଆରେ । କାକା ତ ପଡ଼ିରହିଛନ୍ତି ତାଙ୍କ ସାଙ୍କ୍‌ ଚୁଆରୀରେ (ମଝିଆଁ ସାନ୍ତଙ୍କ ଅଭୟାଶ୍ରମକୁ ଋତୁପର୍ଣା ପରିହାସରେ କହେ ସାଙ୍କ୍ ଚୁଆରୀ) । ଆପଣ ମିଛଟାରେ ଗୋଟାଏ ଧ୍ୱଂସ ସ୍ତୂପକୁ ଆବୋରି ଏଠି ପଡ଼ିରହିବାର କଣ ଅର୍ଥ ହୁଏ କିଛି ?’’

 

ବେଳେ ବେଳେ ରୁଦ୍ରମାଧବ କଣ ସେପରି ଚିନ୍ତା କରି ନାହାନ୍ତି ? ଦେଓଘର, ଶ୍ରୀକ୍ଷେତ୍ର-? କିନ୍ତୁ...

 

ରାମଶରଣ ଅଳ୍ପ ପୂର୍ବେ ସଜାଇ ଦେଇ ଯାଇଥିଲା ହୁକା । ହୁକାରୁ କଳେ ଧୂଆଁ ଛାଡ଼ି, ସ୍ୱଗତୋକ୍ତି କଲା ପରି, ରୁଦ୍ରମାଧବ କହିଲେ...‘‘କିନ୍ତୁ ଲକ୍ଷ୍ମୀନାରାୟଣ ? ତାଙ୍କର ସେବାପୂଜା ? ଲକ୍ଷ୍ମୀନାରାୟଣଙ୍କ ଦାୟିତ୍ୱ ନେବ କିଏ ?’’

 

ଲକ୍ଷ୍ମୀନାରାୟଣ–ରୁଦ୍ରମାଧବଙ୍କର ମୁଣ୍ଡରେ ଗୋଟାଏ ମାନସିକ ଭୂତ ! ଋତୁପର୍ଣା ଖିଲ୍ ଖିଲ୍ ହସିଉଠି କହିଲା...‘‘ଡାଡ଼୍ ! ଲକ୍ଷ୍ମୀନାରାୟଣ ଆପଣଙ୍କର ଗୋଟାଏ ଅବସେସନ୍ ! ଏଇ ରାସ୍ତା କଡ଼େ କଡ଼େ, କେତେ ଠାକୁର ଠାକୁରାଣୀ ଗଛ ମୂଳେ ନୋହିଲେ ଭଙ୍ଗା, ଭୁଷୁଡ଼ା ମନ୍ଦିରରେ, ବସି ରହିଛନ୍ତି, ନିର୍ବୋଧ ଦୃଷ୍ଟିରେ ପରିବର୍ତ୍ତିତ କାଳର ଚେହେରାକୁ ଚାହିଁ । ଲକ୍ଷ୍ମୀନାରାୟଣ ମଧ୍ୟ ସେଇପରି ବସି ରହିବେ । ତାଙ୍କ ପାଇଁ ଆପଣ ଏତେ ଚିନ୍ତିତ କାହିଁକି ?’’

 

ବିଦ୍ୟୁତସ୍ପର୍ଶ ଲାଗିବା ପରି ରୁଦ୍ରମାଧବ ଏପରି ଉତ୍ତରରେ ଚମକି ଉଠିଲେ । ଏ ବଂଶର ଇଷ୍ଟଦେବ ଲକ୍ଷ୍ମୀନାରାୟଣ ରାସ୍ତାଧାରରେ ପଡ଼ି ରହିବେ, କେଉଁ ଭିକ୍ଷୁକ ବ୍ରାହ୍ମଣର ଜଳଗଣ୍ଡୁଷକୁ ଆଶ୍ରୟ କରି ? ସେ ଯେ କାଞ୍ଚନଗଡ଼ ଏଷ୍ଟେଟ୍‌ର ଅଧିକାରୀ ! କେହି ଅଭ୍ୟାଗତ, କେବେ ତାଙ୍କ ଦ୍ୱାରରୁ ଅଭୁକ୍ତ ଫେରି ନାହାନ୍ତି ! ...ଋତୁପର୍ଣା ପରିହାସରେ ହେଉ, ଅଥବା ବାସ୍ତବରେ ହେଉ, ତାଙ୍କୁ ଯେ କେବେ ଏପରି ଦାରୁଣ ଆଘାତ ଦେବ, ତାହା ଚିନ୍ତା କରିପାରୁ ନଥିଲେ ରୁଦ୍ରମାଧବ ! ଋତୁପର୍ଣା ତ ଏଇ ବଂଶର ସନ୍ତାନ ! ଏ ବଂଶର ଐତିହ୍ୟ ସହିତ ସେତ ଅପରିଚିତ ନୁହେଁ ! ନାଁ... । ଗୋଟାଏ ଦୀର୍ଘଶ୍ୱାସ ପକାଇଲେ ରୁଦ୍ରମାଧବ ! ଐତିହ୍ୟର କୌଣସି ମୂଲ୍ୟ ନାହିଁ ଏମାନଙ୍କ ଠାରେ-! ବିଦେଶର ହୁଜୁରା ସ୍ୱଦେଶର ପରମ୍ପରା ଅପେକ୍ଷା ଏମାନଙ୍କ ଠାରେ ଅଧିକ ମୂଲ୍ୟବାନ-! ସବୁ ଐତିହ୍ୟ ଏମାନଙ୍କ ପାଖରେ ଗୋଟାଏ କୁସଂସ୍କାର, ମାନ୍ଧାତା ଅମଳର ଗୋଟାଏ ଆଜ୍‌ଗୁବି !

 

...‘‘ଲକ୍ଷ୍ମୀନାରାୟଣ ଏ ବଂଶର ଇଷ୍ଟଦେବତା ମା ! ମୁଁ ବଞ୍ଚି ଥାଉଁ ଥାଉଁ ତାଙ୍କୁ ରାସ୍ତାଧାରରେ ଫିଙ୍ଗି ଦେଇ ପାରିବି କିପରି ? ମୋ ପରେ ତମ ମାନଙ୍କର, ଯାହା ଇଚ୍ଚା କର । ମୁଁ ଅନ୍ତତଃ ବଞ୍ଚି ନଥିବି, ସେ ଦୁର୍ଦ୍ଦିନ ଦେଖିବା ପାଇଁ !’’

 

‘‘ଇଷ୍ଟଦେବତା । ହାଃ !’’ ...ଋତୁପର୍ଣା କଣ୍ଠରେ ଗୋଟାଏ ଅଟ୍ଟହାସ ନୀରବ ହୋଇଗଲା-!

 

କିନ୍ତୁ ସେପରି ଦୁର୍ଦ୍ଦିନର ଚିନ୍ତାରେ ରୁଦ୍ରମାଧବଙ୍କ ଦୁଇ ଆକ୍ଷି ଆର୍ଦ୍ର ହୋଇଉଠିଲା ।

 

ଋତୁପର୍ଣା କାହିଁକି, ମଝିଆ ସାନ୍ତ ମଧ୍ୟ ବେଳେ ବେଳେ ଆକ୍ଷେପ କରନ୍ତି ସେହିପରି, ଲକ୍ଷ୍ମୀନାରାୟଣଙ୍କ ପ୍ରତି ! ଲକ୍ଷ୍ମୀନାରାୟଣଙ୍କ ହାତଚାଷ ଜମିକୁ ପ୍ରଜାମାନେ ଦଖଲ କରିଯିବା ପାଇଁ ଯେଉଁ ପ୍ରଜା–ଆନ୍ଦୋଳନ ହୋଇଥିଲା, ସେଥିରେ ନେତୃତ୍ୱ ନେଇଥିଲେ ଏଇ ମଝିଆଁ ସାନ୍ତ ।

 

‘‘ଲକ୍ଷ୍ମୀନାରାୟଣତ ଦେବତା ! ଧାନମୁଠାରେ ତାଙ୍କର କି କାରବାର ?’’ ନୀଳମାଧବଙ୍କ ଅଦଭୂତ ଯୁକ୍ତି । ପ୍ରଜାମାନେ ମଧ୍ୟ ଉଠାଇଥିଲେ ସେଇ ଆବାଜର ପ୍ରତିଧ୍ୱନି !

 

ମଝିଆଁ ସାନ୍ତ କିନ୍ତୁ ଋତୁପର୍ଣା ପରି ଏତେଟା ନାସ୍ତିକ ନୁହଁନ୍ତି । ସେ କହନ୍ତି ‘‘ଲକ୍ଷ୍ମୀନାରାୟଣ ସର୍ବତ୍ର ପ୍ରତ୍ୟେକ ମନୁଷ୍ୟର ପ୍ରାଣରେ ବିରାଜିତ । ସେ ଆପଣଙ୍କର ଏଇ ଧର୍ମକ୍ରୀଡ଼ାର ପୁତ୍ତଳି ନୁହନ୍ତି, ଯାହାଙ୍କ ପାଇଁ ଧାନଜମି ଆବଶ୍ୟକ !’’

 

‘‘ମନୁଷ୍ୟର ସେବା ଉଦ୍ଦେଶ୍ୟରେ ତ ଏଇ ଏଷ୍ଟେଟ୍, ଜମିବାଡ଼ି ସବୁ ଉତ୍ସର୍ଗୀତ !’’

 

ମଝିଆଁ ସାନ୍ତ ଗମ୍ଭୀର ପ୍ରକୃତିର ମଣିଷ । ବଡ଼ଭାଇ ରୁଦ୍ରମାଧବଙ୍କ ପ୍ରତି ତାଙ୍କର ସମ୍ମାନ ମଧ୍ୟ ଅତୁଟ । ତାଙ୍କ ଚେହେରାରେ ପୁଣି ଉପହାସ ଅଟ୍ଟହସ ଏସବୁ ଶୋଭା ପାଏ ନାହିଁ । ସେଦିନ କିନ୍ତୁ ମଝିଆଁ ସାନ୍ତ ଅଟ୍ଟହାସ କରି କହିଲେ...‘‘ମହାପ୍ରସାଦ ମଧ୍ୟ ସେବା କରାଯାଏ ଦାଦା ! ଆପଣଙ୍କର ସେବାଟା ସେଇପରି ବୋଲି ପ୍ରଜାମାନଙ୍କର ଧାରଣା !’’

 

ରୁଦ୍ରମାଧବ ଉତ୍ତ୍ୟକ୍ତ ହୋଇ ଉଠିଲେ ଏଇ ଅଶୋଭନୀୟ ଇଙ୍ଗିତରେ । ସେ ଉତ୍ତର ଦେଲେ...‘‘ତୁମ ପରି ସେବକ ଭେକଧାରୀ ମାନଙ୍କ ପକ୍ଷରେ ଏକଥା ଅବଶ୍ୟ ସତ୍ୟ ! ସେବା ନାଁରେ, ଲୋକସେବାର ଦ୍ୱାହି ଦେଇ, ଅବିନାଶ ଆଜି ବାଥ୍‌ରୁମ୍ ତିଆରି କରିଛି, ଇଟାଲିଆନ୍ ମାର୍ବଲ୍‌ରେ, ଯାହା କାଞ୍ଚନଗଡ଼ ଏଷ୍ଟେଟ୍‌ର ସ୍ୱତ୍ୱାଧିକାରୀମାନେ ପାରି ନଥିଲେ ! ଲୋକସେବା ତମ ମାନଙ୍କର ପହଳି, ଏଇ ଆଣ୍ଠୁ ନଲୁଚା ଚେହେରା ତାର ଭେକ ! ’

 

ମଝିଆଁ ସାନ୍ତ ସେଦିନ ନୀରବରେ ସେଠାରୁ ଉଠିଯାଇଥିଲେ ।

 

ଋତୁପର୍ଣା ଆଜି ମଧ୍ୟ ଆଘାତ ହାଣୁଛି, ରୁଦ୍ରମାଧବଙ୍କ ସେଇ ସ୍ପର୍ଶ କାତର ସ୍ଥାନରେ !

 

ରୁଦ୍ରମାଧବ ଋତୁପର୍ଣାର ହାତ ପାପୁଲି, ତାଙ୍କର ଉତ୍ତପ୍ତ କପାଳ ଉପରେ ଚାପି ଧରି କହିଲେ...‘‘ତୋର ମଝିଆଁ କାକା ପରି ତୁ ମୋତେ ଏତେ ବଡ଼ ଗୋଟାଏ ଆଘାତ ଦେବୁ, ମୁଁ କେବେ ଭାବି ନଥିଲି ମା ! ତୋର ମଝିଆଁ କାକା ଏକଦା ଥିଲା ନାସ୍ତିକ । ସେଥିପାଇଁ ସେ ଲକ୍ଷ୍ମୀନାରାୟଣଙ୍କୁ କଣ୍ଢେଇ କହିଲେ, ମୁଁ ବିସ୍ମିତ ହୁଏ ନାହିଁ । କିନ୍ତୁ ମୁଁ ମର୍ମାହତ ହୁଏ, ସେ ଯେତେବେଳେ ଆକ୍ଷେପ କରେ, ଏ ବଂଶର ଇଷ୍ଟଦେବତା ଲକ୍ଷ୍ମୀନାରାୟଣ, ସମ୍ପତ୍ତିରକ୍ଷାର ଗୋଟାଏ ଧାର୍ମିକ ମୁଖା !’’

 

‘‘କିନ୍ତୁ ମଝିଆଁ କାକାଙ୍କ ଆକ୍ଷେପଟା କଣ ମିଥ୍ୟା ?’’

 

ଉତ୍ତେଜିତ ଭାବରେ ଡିଭାନ୍ ଉପରେ ଉଠିବସି, ରୁଦ୍ରମାଧବ କହିଲେ ‘‘ମୁଁ କହିବି ଏପରି ଆକ୍ଷେପ, ଶହେବାର ମିଥ୍ୟା ! ଲକ୍ଷ୍ମୀନାରାୟଣ ଏଷ୍ଟେଟ୍‌ର ପ୍ରତିଷ୍ଠାତା ଦର୍ପନାରାୟଣ, ତାଙ୍କ ଉଇଲ୍‌ରେ ସ୍ପଷ୍ଟ ଲେଖିଯାଇଛନ୍ତି ତାଙ୍କ ବଂଶଧର କେହି, ଏ ଏଷ୍ଟେଟ୍‌କୁ ନିଜର ବୋଲି ଦାବୀ କରି ପାରିବେ ନାହିଁ । ଏ ଏଷ୍ଟେଟ୍ ଲକ୍ଷ୍ମୀନାରାୟଣଙ୍କର । ଆମେ କେବଳ ତାର ଟ୍ରଷ୍ଟି ! ସେଥିପାଇଁ ତ ଅତିଥି, ଅଭ୍ୟାଗତମାନଙ୍କ ସେବାରେ, ଲକ୍ଷ୍ମୀନାରାୟଣ ଏଷ୍ଟେଟ୍ ଋଣଗ୍ରସ୍ତ ହୋଇ ଆସିଛି !’’

 

ଋତୁପର୍ଣା ଉତ୍ତର ଦେଲା...‘‘କିନ୍ତୁ ଏ ସମ୍ପତ୍ତିରେ ଆପଣମାନେ ପ୍ରତ୍ୟେକ ତ ନିଜ ନିଜର ଅଂଶ ଭୋଗ କରୁଛନ୍ତି, ବେଶ ନିର୍ବିକାର ଭାବରେ !’’

 

‘‘କେବଳ ଲକ୍ଷ୍ମୀନାରାୟଣଙ୍କ ପ୍ରସାଦ ରୂପେ ! ସେଥିପାଇଁ ଏ ବଂଶର ବିଧି ହେଉଛି ଲକ୍ଷ୍ମୀନାରାଣଙ୍କ ଦେବାର୍ଚ୍ଚନ ନ ହେବା ପର୍ଯ୍ୟନ୍ତ, ଏ ବଂଶର କର୍ତ୍ତା ଜଳସ୍ପର୍ଶ କରନ୍ତି ନାହିଁ !’’

 

ଋତୁପର୍ଣା ଚପଳ କଣ୍ଠରେ ଖିଲ୍ ଖିଲ୍ ହସି ଉଠି କହିଲା...‘‘ଓ ! ଡାଡ଼୍ ! ଏ ଯୁଗରେ ସୁଦ୍ଧା ଆପଣ ବିଶ୍ୱାସ କରନ୍ତି, ଏଇ ସବୁ ଲୋଅର୍‌ମିଡ଼ଲ୍‌ କ୍ଲାସ୍ ରବିଶ୍‌ରେ ? ମଝିଆଁ କାକାଙ୍କ କଥା ଠିକ୍ ! ଏସବୁ ଗୋଟାଏ କଣ୍ଢେଇ ଖେଳ ! ମାନସିକ ସ୍ତରରେ ଆପଣମାନେ ରହିଛନ୍ତି ସେଇ କଣ୍ଢେଇଖେଳ ବୟସରେ !’’

 

ନିରୀହ ପରି ଏସବୁ ଦୁର୍ବୀନୀତି ଆକ୍ଷେପ ସହ୍ୟ କରିଯିବାର ପାତ୍ର ରୁଦ୍ରମାଧବ ନଥିଲେ-। କୌଣସି ଦିନ ସେ ଏହା ସହ୍ୟ କରି ନାହାନ୍ତି ! ଏପରି ବିତର୍କ ତାଙ୍କ ପକ୍ଷରେ ଯନ୍ତ୍ରଣାଦାୟକ ହେଲେହେଁ, ତାଙ୍କର ନିଃସଙ୍ଗ ଶୂନ୍ୟ ମୁହୂର୍ତ୍ତକୁ ଏହା କିଛିଟା ପୂର୍ଣ୍ଣ କରି ରଖିଥିଲା । ମନ୍ଦ ଲାଗୁ ନଥିଲା ଏଇ ଉତ୍ତେଜନା, ଋତୁପର୍ଣା ସହିତ ବେସାଲିସୀ ବିତର୍କ ! ପୁଣି ଋତୁପର୍ଣାର ସାନ୍ନିଧ୍ୟ-

 

କିନ୍ତୁ ଏ ସବୁ ଅଯଥା ବିତର୍କ ପାଇଁ ଋତୁପର୍ଣା ହାତରେ ସମୟ ନଥିଲା ।

 

ବନ୍ୟା–କ୍ଳିଷ୍ଟଜନତାଙ୍କ ସାହାର୍ଯ୍ୟାର୍ଥେ, ସେମାନଙ୍କ ‘‘ୟୁଥ ଓ୍ୱାର୍ଲଡ଼୍’’ କ୍ଳବ୍ ପକ୍ଷରୁ ଆୟୋଜିତ ହେଉଛି ଡାନସ୍–ଡ୍ରାମା...ଲାଲା ଶ୍ରୀରାମ ହଲ୍‌ରେ । ଏୟାର କଣ୍ଡିସନଡ଼୍ ଅଡ଼ିଟୋରିଅମ୍ । ମିସେସ୍ ଦାସ୍, ମିସେସ୍ ମାଲ୍ ହୋତ୍ରା ମିସେସ୍ ରାଡ଼ୀଓ୍ୱାଲା, ମିସ୍ ସୁଲୋଚନା ପ୍ରଭୃତିଙ୍କର ଏଥିରେ ପ୍ରବଳ ଝୁଙ୍କ ! ବନ୍ୟା ବା ମରୁଡ଼ି ପଡ଼ିଲେ ମେକଅପ୍ ମାଖି ଲିପ୍‌ଷ୍ଟିକ୍‌ରେ ଓଠ ରଞ୍ଜିତ କରି, ଦାମୀ ଦାମୀ ଶାଢ଼ୀ ପିନ୍ଧି ଏମାନେ ସହର ବାରା ଚପଳ ପ୍ରଜାପତି ପରି ଘୁରି ବୁଲନ୍ତି, ଚାରିଟୀ–ସୋ ଆୟୋଜନରେ ! ସମାଜ ସେବା ନାଁରେ, ମିସେସ୍ ବିଲ୍ ମୋରିଆ, ଏଇ ଧନ୍ଦା ଲଗାଇତ, ସରକାରୀ ଖଡ଼ବ୍ ପାଇଲେ ! ଏଇମାନେ ଆଜି ସମାଜସେବୀ ! ମଝିଆଁ ସାନ୍ତ ତାଙ୍କ ରବରଟାୟାର୍ ଚଟୀ, ଆଣ୍ଠୁ ନଲୁଚା ଲୁଗା ଆଉ ଝୁଲାମୁଣୀ–ଏସବୁ ମଧ୍ୟ ମିଉଜିଅମ୍ ପିସ୍ !

 

ଆଜି ଡେସ୍–ରିହର୍ସାଲ୍ । ମୁଖ୍ୟମନ୍ତ୍ରୀ ଆସିବେ ମୁଖ୍ୟ ଅତିଥି ହୋଇ ବନ୍ୟାକ୍ଲିଷ୍ଟ ଜନତାଙ୍କ ସେବା ପାଇଁ, ଏଇ ଚପଳା, ବର୍ଣ୍ଣିଳା ମାନଙ୍କର, ରୂପ ଆଉ ରଙ୍ଗର ପ୍ରଦର୍ଶନୀକୁ ସେ ଅନେକ ତାରିଫ୍ କରିବେ ! ଶୋ’ ଟା ଏକାଥରେ ଟପ୍ ହେବା ଦରକାର ! ଅନେକ ଦାୟିତ୍ୱ–ଋତୁପର୍ଣା ଉପରେ ।

 

ଡ୍ରେସ୍ ରିହର୍ସାଲ୍ ପରେ କ୍ଲବ–ଡିନର୍ ...ସେ ମଧ୍ୟ ବନ୍ୟାକ୍ଳିଷ୍ଟ ମାନଙ୍କର ସେବାରେ ! ମୁଖ୍ୟମନ୍ତ୍ରୀ ଚିଫ୍ ଗେଷ୍ଟ୍ ।

 

‘‘ଟା...ଟା ଡାଡ଼୍, ଆଜି ମୋତେ ଡିନର୍ ପାଇଁ ଅପେକ୍ଷା କରିବେ ନାହିଁ ।’’

 

ଋତୁପର୍ଣା ଝଡ଼ ପରି ସେଠାରୁ ଉଠି ଚାଲିଗଲା । ତାର ଫିଆଟ୍ ଗାଡ଼ିର ଗର୍ଜନ, ମିଳାଇଗଲା ବାହାରେ ସୁରକୀବିଛା ରାସ୍ତାରେ !

 

ପୁଣି ସେଇ ନିର୍ଜନ, ପରିତ୍ୟକ୍ତ ହଲ୍ ଘର !

 

ରୁଦ୍ରମାଧବ ଓ୍ୱାକିଙ୍ଗ୍ ଷ୍ଟିକ୍ ଉପରେ ଭାରା ରଖି, ଧୀରେ ଧୀରେ ଡିଭାନ୍ ଉପରୁ ଉଠିଲେ-। କାନ୍ଥରେ ଦର୍ପନାରାୟଣଙ୍କ ଅଏଲ୍ ପେଣ୍ଟିଙ୍ଗ୍ ଆଡ଼େ ଚାହିଁ ତାଙ୍କର ଦୁଇ ଆକ୍ଷି ଆତ୍ମ–ଗ୍ଳାନିରେ ଆର୍ଦ୍ର ହୋଇଉଠିଲା ।

 

ତିନି

 

ରୁଦ୍ରମାଧବଙ୍କ ବଂଶଲତାର ଉତ୍ପତ୍ତି, ଇତିବୃତ୍ତ; କାହାଣୀ, ଉପକଥା, ପଣ୍ଡିତ ହରିହର ବାଚସ୍ପତି ଶର୍ମାଙ୍କ ଆର୍ଶୀବାଦୀ ଶ୍ଳୋକ ମଧ୍ୟରେ ବହୁ ପଲ୍ଲବିତ । ଦର୍ପନାରାୟଣଙ୍କ କୁଳପୁରୋହିତ ତଥା ସଭାପଣ୍ଡିତ ହରିହର ବାଚସ୍ପତି ପ୍ରତ୍ୟହ ଦରବାରରେ ଆର୍ଶୀବାଦ କଲାବେଳେ ଯେଉଁ ଶ୍ଳୋକ ବୋଲୁଥିଲେ, ସେଥିରେ ରୁଦ୍ରମାଧବ ଅଭିହିତ ହେଉଥିଲେ–ସୂର୍ଯ୍ୟବଂଶ ତିଳକ ! ବଂଶପଞ୍ଜିକାରେ ଦର୍ପ ନାରାୟଣ ସୂର୍ଯ୍ୟବଂଶୀ କ୍ଷତ୍ରିୟ ରୂପେ ବର୍ଣ୍ଣିତ ।

 

ତା ଉପରେ ପୁଣି ବୋଳା ଯାଇଛି ଉପକଥାର ପଟୁ ।

 

ଭାରତୀୟ ମଧ୍ୟଯୁଗରେ ମୋଗଲମାନଙ୍କ ଆକ୍ରମଣରେ, ଛିନ୍ନମୂଳ ହୋଇ, ରାଜପୁତାନା ଆଡ଼ୁ ଏକ ରାଜପୁତ କ୍ଷତ୍ରିୟ ପରିବାର, ଆଶ୍ରୟ ଅନ୍ୱେଷଣରେ ପଳାଇ ଆସିଥିଲେ ଓଡ଼ିଶା । କାଞ୍ଚନଗଡ଼ର ପ୍ରତିଷ୍ଠାତା ସେଇମାନେ, ଇତ୍ୟାଦି ।

 

କିନ୍ତୁ ପ୍ରକୃତ ତଥ୍ୟ ହେଉଛି ଅନ୍ୟ ପ୍ରକାର ।

 

ପ୍ରତ୍ୟେକ ଐଶ୍ୱର୍ଯ୍ୟର ନେପଥ୍ୟରେ ଥାଏ ଚୌର୍ଯ୍ୟ ବା ପ୍ରତାରଣାର ଇତିହାସ । କାଞ୍ଚନଗଡ଼ ଏଷ୍ଟେଟ୍ ପକ୍ଷରେ ତାହାର ବ୍ୟତିକ୍ରମ ହୋଇ ନଥିଲା । କାଞ୍ଚନଗଡ଼ ଥିଲା ମରହଟ୍ଟାମାନଙ୍କ ଅଧୀନସ୍ଥ ଜଣେ ଖଣ୍ଡାୟତ ଜମିଦାରଙ୍କ ଜମିଦାରୀ । ଏହାର ଶେଷ ବଂଶଧର, ନାରାୟଣ ଉତ୍ତରରାୟ ଜଗଦେବ । ନାରାୟଣ ଜଗଦେବ ଥିଲେ, ପ୍ରଚଣ୍ଡ ଅଫିମଖୋର । ଅଫିମ ନିଶା ତାଙ୍କ ପକ୍ଷରେ ଅମଳ ନଥିଲା । ଏକ ଶୂନ୍ୟଗର୍ଭ କକ୍ଷଚ୍ୟୁତ ଜୀବନର ଆଧାରରେ, ଏହା ଥିଲା କୁହେଳିକାଚ୍ଛନ୍ନ ଆଧେୟ । ଖଣ୍ଡାଘରେ, ଖଣ୍ଡା, ଢାଲ ମାନଙ୍କ ଦେହରେ କଳଙ୍କି ଲାଗିବା ଆରମ୍ଭ କରିଥିଲା । ଚଉପାଢ଼ୀ, ପାଇକାଳୀ ଇତିହାସରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । ପାରିଷଦ, ପରାଙ୍ଗପୁଷ୍ଟଙ୍କ ଗହଣରେ ମାତି ତାଙ୍କର ଦିନ ଅତିବାହିତ ହେଉଥିଲା । ଦର୍ପନାରାୟଣ କାନୁନ୍‌ଗୋ ଥିଲେ, ତାଙ୍କ ଜମିଦାରୀର ତହସିଲ୍ ଦାର । ପ୍ରଜାମାନଙ୍କ ଠାରୁ ଖଜଣା ଆଦାୟ କରି, ମରହଟ୍ଟା ସୁବେଦାର୍‌ଙ୍କ ତହବିଲ୍‌ରେ ପଇଠ ଦେବା ଥିଲା ତାଙ୍କ ଦାୟିତ୍ୱ । ମରହଟ୍ଟାମାନଙ୍କ ଅମଳରେ ପେସ୍‌କିସ୍‌ର ପରିମାଣ ଥିଲା ସାମାନ୍ୟ । ପେସ୍‌କିସ୍ ଓ ଜଗଦ୍ଦେବଙ୍କ ଉଆସ ଖର୍ଚ୍ଚ ପରେ, ପ୍ରଚୁର ଅର୍ଥ ସଞ୍ଚିତ ହୋଇ ରହୁଥିଲା, ଦର୍ପନାରାୟଣଙ୍କ ହାତରେ ।

 

ତାର ହିସାବ ରଖିବାର ପ୍ରୟୋଜନ କିମ୍ୱା ଅବକାଶ, ନାରାୟଣ ଉତ୍ତରରାୟଙ୍କର ନଥିଲା । ଶୂନ୍ୟଗର୍ଭ ଜୀବନର କୁହେଳିବୋଳା ଶୀତଳ ଜଡ଼ତା ଦୂର କରିବା ପାଇଁ ପ୍ରୟୋଜନ, ନିତ୍ୟ ନୂତନ ହୁଜୁଗ । ନାରାୟଣ ଉତ୍ତରରାୟଙ୍କ ମୁଣ୍ଡରେ ଦିନେ ଖିଆଲ ଚାପିଲା, ସିଏ ସାଜିବେ ଶିବ, ମହାଦେବ । ଶିରରେ ଜଟାଜୂଟ, ପରିଧାନରେ ଗୈରିକ; ବେଳେ ବେଳେ ସୁଦ୍ଧା ଦିଗମ୍ୱର ! କିନ୍ତୁ ନାଗ କାହିଁ ? ଶିବଙ୍କ ଜଟାରେ ନାଗ ଫଣା ତୋଳି ନରହିଲେ, ସିଏ ପୁଣି କି ଶିବ ? ଖୋଜା ପଡ଼ିଲା, କଳାନାଗ ! ଦର୍ପନାରାୟଣ ମେଜାଜ୍ ବୁଝି, ଅଫିମରେ ତିଆରି କରାଇଲେ ଗୋଟିଏ ନାଗ-। ନାଗଟା ଜଗଦ୍ଦେବଙ୍କ ଜଟାରେ କୁଣ୍ଡଳୀ ମୋଡ଼ି ଠିକ୍ କପାଳ ଉପରକୁ ଉଠାଇଥାଏ ଫଣା । ତାର ଲାଞ୍ଜଟି ଜଗଦ୍ଦେବଙ୍କ ଗଳାରେ ବୁଲି ଛୁଇଁଥାଏ ଜଗଦ୍ଦେବଙ୍କ ଓଠ । ତାର ରସ ଟିକିଏ ଟିକିଏ ପିଇ, ଜଗଦ୍ଦେବ ସବୁବେଳେ ପଡ଼ି ରହିଥାନ୍ତି, କେତେବେଳେ ଅର୍ଦ୍ଧ ଚେତନ, କେତେବେଳେ ଅଚେତନ ଅବସ୍ଥାରେ ।

 

ଏଇ ଅଚେତନ୍ୟ ମଧ୍ୟରେ ଇତିହାସରେ ଗୋଟାଏ ମୋଡ଼ ବୁଲିଗଲା ।

 

ମରହଟ୍ଟା ମାନଙ୍କ ପରେ ଆସିଲା ଇଂରେଜ ଅମଳ–ବର୍ଷକୁ ବର୍ଷ ସେଟଲ୍‌ମେଣ୍ଟ, ଆଉ ତା ସହିତ ଖଜଣା, ପେସ୍‌କିସ୍‌ର ପରିମାଣ ବୃଦ୍ଧି । ଅନେକ ବୁନିଆଦ୍ ଜମିଦାର ବଂଶ ଦାଣ୍ଡର ଭିକାରୀ ହୋଇଗଲେ, ସେଟଲମେଣ୍ଟ ଆଉ ନିଲାମର ଜୁଲୁମ୍‌ ମଧ୍ୟରେ ।

 

ଦର୍ପନାରାୟଣ ଦେଖିଲେ, ସୁବର୍ଣ୍ଣସୁଯୋଗ ଉପସ୍ଥିତ । କୋମ୍ପାନୀ ଟ୍ରେଜେରୀରେ ସେ ପେସ୍‌କିସ୍‌ ପଇଠ ନଦେଇ, ନିଜେ ଆତ୍ମସାତ୍ କରିବାରେ ଲାଗିଲେ । ଜଗଦ୍ଦେବ,—ଶିବ, ଭୋଳାନାଥ । ଏ ସବୁ ତୁଚ୍ଛ ବ୍ୟାପାର ବୁଝିବା ପାଇଁ ତାଙ୍କର ବେଳ କାହିଁ ? ଅଫିମ ନିଶାରେ ଭୋଳ !

 

ଅବଶେଷରେ ଜମିଦାରୀ ଦିନେ ନିଲାମରେ ଉଠିଲା । ନିଲାମ ଧରିଲେ ସ୍ୱୟଂ ଦର୍ପନାରାୟଣ କାନୁନ୍‌ଗୋ । କୋରକ ପାଇଁ ନାଗରା ଯେତେବେଳେ ଉଆସ ସିଂହଦ୍ୱାରରେ ବାଜିଲା, ଜଗଦ୍ଦେବ ବିଳିବିଳେଇବା କଣ୍ଠରେ ପଚାରିଲେ...‘‘ସିଂହଦ୍ୱାରରେ ଏ କି ବାଜା, ବାଜୁଛି କାହିଁକି ?’’

 

ଦର୍ପନାରାୟଣ ଉତ୍ତରଦେଲେ...‘‘ନହବତ୍ ବାଜୁଛି ଛାମୁଁ ।’’

 

‘‘ଇଏ ରାଗ ଭୈରବୀ ନୁହଁତ !’’

 

ଜଗଦ୍ଦେବ ଅଫିମ ନିଶାରେ ପୁଣି ଢୁଳେଇ ପଡ଼ିଲେ ।

 

ଦର୍ପନାରାୟଣଙ୍କ ଓଠରେ କୁଟୀଳ ହସର ଗୋଟାଏ ରେଖା ପଟେ ବାଙ୍କ ଛୁରୀ ପରି ଚହଟି ଉଠିଲା । ବିଦ୍ରୂପ ଶାଣିତ କଣ୍ଠରେ ସେ ଉତ୍ତର ଦେଲେ...‘‘ଇଏ ରାଗ ଦରବାରୀ !’’

 

କିନ୍ତୁ ଜଗଦ୍ଦେବ ହଠାତ୍ ଦାଣ୍ଡର ଭିକାରୀ ହୋଇଥିବାର ନିଷ୍ଠୁର ସତ୍ୟ ଜାଣିବା ମାତ୍ରେ, ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ପ୍ରାଣବାୟୁ ଉଡ଼ିଯିବା ବେଳେ, ସେ ଉଚ୍ଚାରଣ କରିଥିଲେ କେବଳ...‘‘ହାୟ ! ଲକ୍ଷ୍ମୀନାରାୟଣ ।’’

 

ଲକ୍ଷ୍ମୀନାରାୟଣ ଥିଲେ, ଉତ୍ତରରାୟ ବଂଶର ଇଷ୍ଟଦେବତା ! କେଉଁ ପ୍ରାଚୀନ, ସ୍ମରଣାତୀତ କାଳରୁ ପ୍ରତିଷ୍ଠିତ ।

 

ଦର୍ପନାରାୟଣ ହଠାତ ଏକ ବିରାଟ ଜମିଦାରୀର ଅଧିକାରୀ ହୋଇ ନାମାନ୍ତରିତ ହେଲେ–ଦର୍ପନାରାୟଣ ଦେବ ! ତାଙ୍କ ଚାରିପଟେ ଭିଡ଼ ବାନ୍ଧିଲେ, ଭାଟ, ସ୍ତାବକ, ସଭାପଣ୍ଡିତ ଓ ପାରିଷଦ ମଣ୍ଡଳୀ । ଏମାନେ ନଥିଲେ, କ୍ଷମତା ଓ ଅଧିକାରର ଔଜ୍ଜଲ୍ୟ ଯେପରି ମ୍ଳାନ ହୋଇଯାଏ-! ଭାଟ ଓ ସ୍ତାବକ ମାନଙ୍କର ପ୍ରଶସ୍ତିରେ, ଦର୍ପନାରାୟଣଙ୍କ ବଂଶାବଳୀର ଗୌରବମୟ ଐତିହ୍ୟ ପରିକଳ୍‌ପିତ, ପଲ୍ଲବିତ ହେଲେହେଁ, ସେ ଯେପରି ହୀନ କୌଶଳରେ ଜଗଦ୍ଦେବଙ୍କୁ ପ୍ରତାରିତ କରି ଜମିଦାରୀ ଅପହରଣ କଲେ, ତାହାର ଗ୍ଳାନି ତାଙ୍କ ବିବେକକୁ ନିତ୍ୟ ଦଂଶନ୍ କରିବାରେ ଲାଗିଲା-। କ୍ରମେ ଅସହ୍ୟ ହୋଇ ଉଠିଲା, ବିବେକ–ଦଂଶନର ସେଇ ଜ୍ୱାଳା । ଚାରିପଟେ ଘେରି, ଐଶ୍ୱର୍ଯ୍ୟ ଓ କ୍ଷମତାର ଔଜ୍ଜଲ୍ୟ, ଭାଟ ଓ ସ୍ତାବକ ମାନଙ୍କର ପ୍ରଶସ୍ତି, ସବୁ ତାଙ୍କ ଦୃଷ୍ଟିରେ ତୁଚ୍ଛ ହୋଇ ଉଠିଲା-

 

ଦର୍ପନାରାୟଣ କ୍ରମେ ଭୋଗିଲେ ନିଦ୍ରାହୀନତା ବ୍ୟାଧିରେ । ଆକ୍ଷି ବୁଜିବା ମାତ୍ରେ, ତାଙ୍କ ଆଗରେ ଭାସି ଉଠେ, ଜଗଦ୍ଦେବଙ୍କ ଅଫିମ–ଭୋଳା ଚେହେରା । ସେଥିରେ କରୁଣ ଅସହାୟତା । ଆକ୍ଷି ଦୁଇଟି ନିର୍ବାକ, ମାତ୍ର ବ୍ୟଞ୍ଜନାରେ ତାହା ଯେପରି ଶତମୁଖ...ତମ ପ୍ରତି ବିଶ୍ୱାସର ଏଇ ହେଲା ପରିଣତି ?

 

ଦର୍ପନାରାୟଣ ନିଜକୁ ବୁଝାଇବା ପାଇଁ ଚେଷ୍ଟା କରନ୍ତି...ପ୍ରତିଯୋଗିତା କୁଟୀଳ ଏଇ ପୃଥିବବୀରେ ବିଶ୍ୱାସ ଏକ ଦୁର୍ବଳତା, ଅସହାୟର ଯୁକ୍ତି ! ଅନ୍ୟ ପ୍ରତି ବିଶ୍ୱାସ ରକ୍ଷା କରି, ଏଇ ପୃଥିବୀରେ କିଏ କେବେ କିଛି କରିପାରିଛି ? ବିଶ୍ୱାସ ବିବେକ–ଏସବୁ ଦୁର୍ବଳର କୈଫିୟତ୍ ।

 

ଦର୍ପନାରାୟଣ କ୍ରମେ ଅପ୍ରକୃତିସ୍ଥ ହୋଇ ଉଠିଲେ ।

 

ସେ ଘୁରି ବୁଲିଲେ ତୀର୍ଥରୁ ତୀର୍ଥାନ୍ତର ।

 

ଜଗଦ୍ଦେବଙ୍କ ଦରିଦ୍ର ବଂଶଧରମାନଙ୍କୁ ସମ୍ପତ୍ତି ଫେରାଇ ଦେଇ ପାରିଲେ, ତାଙ୍କର ସବୁ ଗ୍ଲାନି ମେଣ୍ଟିଯାନ୍ତା । କିନ୍ତୁ ସମ୍ପତ୍ତିର ମୋହ ଏଡ଼ିବା ମଧ୍ୟ କଠିନ ।

 

ତୀର୍ଥାଟନ କରୁଥିବା ବେଳେ ଥରେ, ଆକସ୍ମିକ ଭାବରେ ତାଙ୍କର ଦର୍ଶନ ହେଲା, ଜଣେ ସାଧୁଙ୍କ ସହିତ । ପ୍ରତ୍ୟେକ ସାଧୁ ସନ୍ଥଙ୍କ ପାଦତଳେ, ଦର୍ପନାରାୟଣ ଯେପରି ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଲୋଟି ପଡ଼ନ୍ତି, ଏହି ସାଧୁଙ୍କ ଦର୍ଶନମାତ୍ରେ, ସେହିପରି ଲୋଟି ପଡ଼ିଲେ । ତାଙ୍କର ମନେ ହେଲା, ଏଇ ସାଧୁ ଯେପରି ତାଙ୍କୁ ଦେଖାଇ ଦେଇ ପାରିବେ ପରିତ୍ରାଣର ପଥ ।

 

ଦର୍ପନାରାୟଣ କହିଲେ...‘‘ମୋର ଭାରୀ ଅତୃପ୍ତି । ଶାନ୍ତି ନାହିଁ ମହାରାଜ !’’

 

ସାଧୁ ନିର୍ଲିପ୍ତ ଭାବରେ ହସିଲେ...ଶୁକ୍ଲା ଦ୍ୱିତୀୟ ତିଥିରେ ଆକାଶର ହସ । ସେଥିରେ ଯେପରି ବାଞ୍ଛିତ ଥିଲା, ବୁଝିଛି, ବୁଝିଛି, ତମର ନିଦାନ !

 

‘‘ଶାନ୍ତି ମନର ଗୋଟାଏ ଅବସ୍ଥା, ନିର୍ଲିପ୍ତ ସ୍ତର । ଅନ୍ୟର ଧନ ଲୁଣ୍ଠନ କରି ତମେ ଶାନ୍ତି ପାଆନ୍ତ କିପରି ?’’ ...ସାଧୁ ଜାଣିଲେ କିପରି, ଜଗଦ୍ଦେବଙ୍କୁ ଦାଣ୍ଡରେ ଭିକାରୀ କରି, ସେ ହୋଇ ପାରିଛନ୍ତି ବିପୁଳ ସମ୍ପଦର ଅଧିକାରୀ ?

 

ସାଧୁଙ୍କ ପାଖରେ ଆଜି ସବୁ ସ୍ୱୀକାର କରିଯିବେ, ଦର୍ପନାରାୟଣ । ମୁକ୍ତ କଣ୍ଠରେ ପ୍ରକାଶ କରିଯିବେ, ତାଙ୍କର ସବୁ ଭାବନା, ବିବେକର ସବୁ ଦଂଶନ ! ଏହିପରି ବିରେଚନ୍ ଥିଲା, ତାଙ୍କର ପ୍ରୟୋଜନ !

 

‘‘ଅନ୍ୟକୁ ଲୁଣ୍ଠନ ନକରି, ଦାଣ୍ଡର ଭିକାରୀ ନକରି, କେହି କଣ ଧନୀ ହୋଇଛି କେବେ-?’’ ...ଦର୍ପନାରାୟଣଙ୍କ କୈଫିୟତ୍ ! ଆଜି କୌଣସି କଥା ଲୁଚାଇବା ପାଇଁ, ସେ ଯେପରି ପ୍ରସ୍ତୁତ ନଥିଲେ ।

 

‘‘ଆରେ ପାଗଳ, ଧନ ହିଁ ତ ଅଶାନ୍ତି ! ଧନ ପାଇଁ ତ ସବୁ ଅଶାନ୍ତି !’’

 

‘‘ଉପାୟ ?’’

 

ସାଧୁ କହିଲେ...‘‘ସବୁ ସମ୍ପତ୍ତି ସେଇ ନାରାୟଣଙ୍କୁ ସମର୍ପଣ କରିଦିଅ ! ତାଙ୍କରି ପ୍ରସାଦ ମାତ୍ର ଭୋଗ କରି ଦିନାତିପାତ କର । ତାହେଲେ ଏଇ ସମ୍ପତ୍ତି–ଜ୍ୱାଳାରୁ ରକ୍ଷା ପାଇବ !’’

 

ଦର୍ପନାରାୟଣ ରୁଗ୍‌ଣାବସ୍ଥାରେ, ଦୀର୍ଘ ତୀର୍ଥାଟନରୁ ଫେରି, ତାହାହିଁ କଲେ । ଜଗଦ୍ଦେବଙ୍କ ଇଷ୍ଟଦେବତା, ଲକ୍ଷ୍ମୀନାରାୟଣଙ୍କ ନାମରେ ସେ ସମଗ୍ର କାଞ୍ଚନଗଡ଼ ଏଷ୍ଟେଟ୍ ଉଇଲ୍ କରି ଦେଇଗଲେ । ଦର୍ପନାରାୟଣଙ୍କ ଉତ୍ତରାଧିକାରୀମାନେ ସମ୍ପତ୍ତିରେ ନିଜ ନିଜର ସ୍ୱତ୍ୱ କେବଳ ଭୋଗ କରି ପାରିବେ, ଟ୍ରଷ୍ଟି ରୂପେ–ମାତ୍ର ସମ୍ପତ୍ତି ବିକ୍ରୀ ବା ହସ୍ତାନ୍ତର କରିବାର ଅଧିକାର ସେମାନଙ୍କର ରହିବ ନାହିଁ । ବଂଶଧରମାନଙ୍କୁ ଏକାନ୍ନବର୍ତ୍ତୀ ରଖିବାର,ଏହା ମଧ୍ୟ ଥିଲା ଅନ୍ୟ ଉପାୟ !

 

ପରବର୍ତ୍ତୀ ଉତ୍ତରାଧିକାରୀମାନେ, ନୂଆ ନୂଆ ସମ୍ପତ୍ତି କରାୟତ୍ତ କରି, ଲକ୍ଷ୍ମୀନାରାୟଣଙ୍କ କାଞ୍ଚନଗଡ଼ ଏଷ୍ଟେଟ୍ ସହିତ ମିଶାଇଛନ୍ତି ସିନା; କିନ୍ତୁ କେହି କେବେ ସମ୍ପତ୍ତି ଭାଗ କରିବା କଥା ଉଠାଇ ନାହାନ୍ତି ।

 

ସେସବୁ ଅବଶ୍ୟ ଥିଲା, ଉତ୍‌ଥାନ, ଅଭ୍ୟୁଦୟର ସ୍ୱର୍ଣଯୁଗ ! ନିଜ ନିଜର କ୍ଷୁଦ୍ର ଅଂଶ ଘେନି କେହି ବିବ୍ରତ ନଥିଲେ । ମାତ୍ର ରୁଦ୍ରମାଧବଙ୍କ ଅମଳ, ପତନରେ କାଳ ! ଏଇ ପତନ କାଳରେ ଇ ଆସିଥାଏ, ନିଜ ନିଜର ସ୍ୱାର୍ଥ ଓ ସ୍ୱତ୍ୱ ଘେନି ବିବାଦ ।

 

ଚାରି

 

ସେ ଦିନ ଅପରାହ୍ନ...

 

ଋତାର ଆଜି ମଧ୍ୟ ଲଞ୍ଚ ବାହାରେ । ଅବିନାଶ ମଧ୍ୟ ଚେସ୍‌ଖେଳରେ ସେଇ କଳହ ଦିନୁ ଆସୁ ନାହାନ୍ତି ! ଗୋଟାଏ ଫାଙ୍କା ଶୂନ୍ୟଗର୍ଭ ଅପରାହ୍‌ଣ ହଠାତ୍ ଧଇଁସଇଁ ହୋଇ, ରାମଶରଣ ରୁଦ୍ରମାଧବଙ୍କ ପାଖରେ ହୁକାଟା ରଖିଦେଇ, ଭୂତ ଦେଖିଥିବା ପରି କହିଲା...‘‘ହଜୁର୍ ଗୋଟାଏ ପାଗଳା ସାହେବ, ଆଉ ମେମ୍ କୁଆଡ଼ୁ ଆସି ବସିଛନ୍ତି, ସେଇ ଭଙ୍ଗା ଫୋୟାରା ପାଖରେ, ସପ୍ତପର୍ଣୀ ଗଛମୂଳେ । ସାହେବଟା ଦିଶୁଚି ପାଗଳା ପରି । କିଚିର୍ ମିଚିର୍ କଥା ହେଉଚନ୍ତି ଇଂରେଜୀରେ । ମୁଣ୍ଡରେ ମୁଣ୍ଡେ ଅଲରା ବାଳ । ପିନ୍ଧିଛି ଗୋଟାଏ ତାଳିପକା ପାଣ୍ଟ୍‌ ଲୁନ୍ । ଦେହରେ ଗୋଟାଏ ଛିଟ ଜମା, ଆଉ ପିଠିରେ ଏତେ ବଡ଼ ଗୋଟାଏ ବୋଝ । ନିଶ ଦାଢ଼ୀ ନଥଲେ, ଦିଶନ୍ତେ ଠିକ୍ ଟିକୀ ସାହେବଙ୍କ ପରି । ମେମ୍‌ଟା ମଧ୍ୟ ସେଇ ରକମ୍ । କୋଉଟା ସାହେବ, କୋଉଟା ମେମ୍ ଖାଲି ନିଶ ଦାଢୀରୁ ବାରି ପାରିବେ !

 

ହିପୀମାନେ ବେଳେ ବେଳେ ଏଇ ଭୁଷୁଡ଼ା ରାଜବାଟୀକୁ ଆସିଥାନ୍ତି, ଫଟୋ ଉଠାଇବା ପାଇଁ । ଏହାର ଶିଉଳୀଧରା ପ୍ରାଚୀନତାର ଆକର୍ଷଣ ସେମାନଙ୍କ ପକ୍ଷରେ ଅନେକ ବେଶୀ । ବେଳେ ବେଳେ ସେମାନେ ଆସି କାମ୍ପ୍ କରନ୍ତି ମଧ୍ୟ ଲକ୍ଷ୍ମୀନାରାୟଣ ମନ୍ଦିରର ବଉଳ ବଗିଚାରେ । ରାମଶରଣ ଏମାନଙ୍କୁ ଦେଖିଚି ବୋଧହୁଏ ପ୍ରଥମ ଥର ପାଇଁ ! ...ରୁଦ୍ରମାଧବ ଇଷତ୍ ହସିଲେ ।

 

ରୁଦ୍ରମାଧବ ବିସ୍ମିତ ହେଲେ ନାହିଁ । ପଶ୍ଚିମର ଲୁଣ୍ଠନଧର୍ମୀ ସଭ୍ୟତାର ବିବେକ ଆଜି ଦଂଶନରେ ଦଗ୍‌ଧ । ସେଥିପାଇଁ ସେ ପରିତ୍ରାଣର ପଥ ଖୋଜି ବୁଲୁଛି–ଆପାତ ଅପରିଗ୍ରହ ଓ ସନ୍ନ୍ୟାସର ଏଇ ପରିଚ୍ଛଦ ମଧ୍ୟରେ କିନ୍ତୁ ଏଥି ମଧ୍ୟରୁ କେତେଟା ସତ୍ୟ ଆଉ କେତେଟା ଭେଜାଲ୍ ତାହା ଘେନି, ରୁଦ୍ରମାଧବଙ୍କ ମନରେ ସନ୍ଦେହ !

 

ରାମଶରଣ କହିଲା...‘‘ପାଗଳା ସାହେବଟା ମୋ ଆଡ଼େ ଚାହିଁ, ମୁର୍‌କି ମୁର୍‌କି ହସି, ମେମ୍‌ଟାକୁ କଣ କହିଦେଲା ! ମେମ୍ ସାଙ୍ଗେ ସାଙ୍ଗେ ମୋର ଗୋଟାଏ ଫଟୋ ଉଠାଇ ନେଲା !’’

 

‘‘ନାକ ଉପରେ ସେଇ ଫଟା ଚଷମା ଗୁଡ଼ାଇ ତୁଳସୀଦାସ ରାମାୟଣ ତୁ ପଢ଼ୁଥିଲୁ ନିଶ୍ଚୟ !’’

 

ହଜୁରଙ୍କ ଅନୁମାନ ଠିକ୍ । ସେମାନଙ୍କ ଲାଲରଙ୍ଗର ବଡ଼ ମୋଟର ଗାଡ଼ୀଟା, ଫାଟକ ପାଖରେ ଠିଆ ହୋଇ, ପ୍ରଥମେ ହର୍ଣ୍ଣ ବଜାଇବା ବେଳେ, ରାମଶରଣ, ତୁଳସୀଦାସୀ ରାମାୟଣ ପାରାୟଣରେ ଏପରି ଆତ୍ମ ବିସ୍ମୃତ ଥିଲା ଯେ, ମୋଟର ହର୍ଣ ଶୁଣିପାରି ନଥିଲା । ତା ପରେ ଫାଟକର ଯେଉଁ ଫାଳ କବାଟ ଟା ଅକ୍ଷତ ଅବସ୍ଥାରେ ଥିଲା, ସେଇଟାକୁ ଗୋଟାଏ ପାଖକୁ ଠେଲି ଦେବା ବେଳେ, ସେ ପ୍ରଥମେ ଦେଖିଲେ ସେଇ ପାଗଳା ସାହେବକୁ !

 

କିଛିକ୍ଷଣ ପରେ, ଛାମୁଁକରଣ, ବ୍ୟସ୍ତ ବିବ୍ରତ ଭାବରେ ଆସି ଖବର ଦେଲେ...‘‘ଟିକୀ ସାହେବ ଆଉ ଜଣେ ମେମ୍ କେତେବେଳେ ଆସି ବସିଛନ୍ତି, ବଗିଚାର ଗୋଟାଏ ଭଙ୍ଗା ଫୋୟାରା ପାଖରେ ! ସେଇ ସପ୍ତପର୍ଣୀ ଗଛ ମୂଳେ । ଟିକୀ ସାହେବଙ୍କର ଯୋଉ ଚେହେରା, ପ୍ରଥମେ ତ ତାଙ୍କୁ ମୁଁ ଚିହ୍ନି ପାରିଲି ନାହିଁ !’’

 

ଡୋରୋଥୀ–ଟିକୀର ସ୍ତ୍ରୀ–ସେତେବେଳେ ମାର୍ବଲର ସେଇ ଭଙ୍ଗା ଆପୋଲା ମୂର୍ତ୍ତି ଘେନି ହୋଇଥିଲା ପାଗଳ । ମୂର୍ତ୍ତିଟାର ଜାନୁ ଓ ନିତମ୍ୱରେ, ଗୋଟାଏ ଝଡ଼ ଯେପରି ଅବରୁଦ୍ଧ ହୋଇ ପଡ଼ିଛି । କିନ୍ତୁ ହାତ ଦୁଇଟି ଭଙ୍ଗା । ନରନାରାୟଣ ଏଇଟା ଆଣିଥିଲେ ଭେନିସ୍‌ରୁ ।

 

ଡୋରୋଥୀ ପଚାରିଲା...‘‘ଏ ମୂର୍ତ୍ତିଟା କେତେ ପୁରୁଣା ?’’

 

ଛାମୁଁ କରଣ ଡୋରୋଥୀର ପ୍ରଶ୍ନ ବୁଝିନପାରି, ତା ଆଡ଼େ ବିଭ୍ରାନ୍ତ ଦୃଷ୍ଟିରେ ଚାହିଁଲେ । ଟିକୀ ବୁଝାଇ ଦେଲା, ବିଶେଷ ପୁରୁଣା ନୁହେଁ !

 

ତଥାପି ମେମ୍ ଗୋଟାଏ ଫଟୋ ଉଠାଇନେଲା, ସେଇ ମୂର୍ତ୍ତିଟାର ।

 

‘‘ମେମ୍‌ଟା ପାଗଳୀ’’–ଦୟାନିଧି ଟିପ୍ପଣୀ କଲେ ।

 

ଦର୍ପନାରାୟଣ କହିଲେ–‘‘ସେଇ ମେମ୍ ବୋଧହୁଏ ଟିକୀର ବୋହୂ ଡୋରୋଥୀ । କିନ୍ତୁ ସେମାନେ ଟେଲିଗ୍ରାମ କରିଥିଲେ, ଗାଡ଼ୀ ତ ଷ୍ଟେସନକୁ ଯାଇପାରିଥାନ୍ତା...କି ପାଗଳ !’’

 

ଦୟାନିଧି ଉତ୍ତର ଦେଲେ...‘‘ସେମାନେ ଆସିଛନ୍ତି ଗୋଟାଏ ଲାଲ ରଙ୍ଗର ବଡ଼ ଗାଡ଼ୀରେ ।’’

 

ଓ୍ୱାଗନ୍‌ଟା ସେମାନେ କିଣିଥିଲେ ଇସ୍ତାନ୍‌ବୁଲ୍‌ରେ ଭାରତ–ଭ୍ରମଣ ପାଇଁ । ...କାଶ୍ମୀରରୁ କୁମାରିକା !

 

‘‘ମେ ଉଇ କମ୍ ଇନ୍ ?’’

 

ଇନ୍ଦ୍ର ମାଧବ–ଟିକୀ ସାହେବ–ଓ ଡୋରାଥୀ, ସେତେବେଳକୁ ପହଞ୍ଚି ସାରିଥିଲେ, ସଦର ଦରଜା ପାଖରେ, ଭେଲଭେଟ୍ ପର୍ଦ୍ଦା ଉହାଡ଼ରେ ।

 

ରୁଦ୍ରମାଧବ ଓ୍ୱାକିଙ୍ଗ୍‌ ଷ୍ଟିକ୍ ଉପରେ ପୃତଳ ଦେହଭାର ଲଦି ଉଠୁଥିଲେ, ଡୋରାଥୀକୁ ଅଭ୍ୟର୍ଥନା, ଆର୍ଶୀବାଦ ଜଣାଇ, ପାଛୋଟି ନେବାପାଇଁ । ଯାହା ହେଲେବି ଡୋରାଥୀ ତ ତାଙ୍କୁ କୁଳବଧୂ ! ଆଃ ! ଗୋଟାଏ ଶଙ୍ଖଧ୍ୱନି ହେଲେ ହେଇଥାନ୍ତା ! ଋତା ହେଲେ ଥାନ୍ତା ! ହୁଳୁହୁଳି ଦେବା ତ ସେ ଜାଣେ ନାହିଁ ! ତଥାପି...କୌଣସି ଦିନ, କୌଣସି ନବବଧୂ ଏପରି ନିରୁତ୍ସବ ଭାବରେ, ଏ ବଂଶର ଅନ୍ତଃପୁରକୁ ପ୍ରବେଶ କରିବା, ରୁଦ୍ରମାଧବଙ୍କର ଅନ୍ତତଃ ସ୍ମରଣ ହେଉ ନଥିଲା !

 

‘‘ମେ ଉଇ କମ୍‌ଇନ୍’’...

 

ଇନ୍ଦ୍ରମାଧବ ଓ ଡୋରାଥୀ, ସେତେବେଳୁ ପହଞ୍ଚି ସାରିଥିଲେ, ଭିତରେ !

 

‘‘ମିଟ୍ ଡ଼ାଡ଼ୀ’’...ଡୋରାଥୀ ମାଇଁ ଓ୍ୱାଇଫ୍’’...ଇନ୍ଦ୍ରମାଧବ ପରିଚୟ କରାଇ ଦେଲେ ।

 

‘‘ଆରେ ଏସବୁ ଫର୍ମାଲିଟୀ କଣ ? ଏ ଘର ତ ତମରି ମାନଙ୍କର ! ତମେମାନେ ସବୁ ଛାଡ଼ିଛୁଡ଼ି କୁଆଡ଼େ ରହିଲ ! ମୁଁ କେବଳ ଯଖ ପରି ଆଗୋଳି ବସିଚି, ଏଇ ରାଜବାଡ଼ୀକୁ ! ...ଆଉ କେତେଦିନ କେଜାଣି ? ହାର୍ଟର ଯୋଉ ଅବସ୍ଥା !’’

 

ରୁଦ୍ରମାଧବ ଚାହୁଁଥିଲେ ସହାନୁଭୂତି ଆକର୍ଷଣ କରିବା ପାଇଁ ।

 

ମାତ୍ର ଇନ୍ଦ୍ରମାଧବ ଓ ଡୋରାଥୀ ନିର୍ଲିପ୍ତ !

 

‘‘ଲକ୍ଷ୍ମୀନାରାୟଣଙ୍କର ଇଚ୍ଛା ! ତମେମାନେ ପହଞ୍ଚିଲ କେତେବେଳେ ? ଆଗରୁ ଟେଲିଗ୍ରାମ୍ ପଠାଇଥିଲେ, ଷ୍ଟେସନକୁ ତ ଗାଡ଼ୀ ଯାଇ ପାରିଥାନ୍ତା !’’

 

ଟିକୀ ସାହେବ–ଇନ୍ଦ୍ରମାଧବ–କପାଳ ଉପରୁ ଗୋଛାଏ ଅଲରାବାଳ ପଛକୁ ଛାଟିଦେଇ, ୟାଙ୍କୀ, ଆମେରିକାନ୍ ସୁଲଭ ଉଚ୍ଚାରଣରେ କହିଲେ...‘‘ତାର କୌଣସି ପ୍ରୟୋଜନ ନଥିଲା । ଲାଣ୍ଡ୍‌ ରୁଟ୍‌ରେ ଆସିବା ପାଇଁ ଡୋରାଥୀର ଜିଦ୍ ! ସେଥିପାଇଁ ଇସ୍ତାନ୍‌ବୁଲ୍‌ରୁ ଆମେ କିଣିଥିଲୁ ଗୋଟାଏ ଷ୍ଟେସନ୍‌ଓ୍ୱାଗନ୍ ! ସେଇଥିରେ ପହଞ୍ଚିଛୁ ଏଠି ! ଡୋରାଥୀର ସଉକ୍, ଭାରତୀୟ ମୂର୍ତ୍ତି ଆଉ ମନ୍ଦିର ମାନଙ୍କର !’’

 

‘‘ବିଉଟିଫୁଲ, ବିଉଟିଫୁଲ’’ ...ବିଳିବିଳେଇ ଉଠିଲା ଡୋରାଥୀ ଏଠାରେ ସେ ଆଘ୍ରାଣ କରୁଥିଲା, ଇତିହାସ ଓ ଅତୀତର ବାସନା ! ଅତୀତର ଏକ ନିଜସ୍ୱ ବାସନା ଅଛି ! ସେମାନଙ୍କ ଦେଶରେ ଏହା ତ ବିରଳ !

 

ଇନ୍ଦ୍ରମାଧବ କହିଲେ...‘‘ଡୋରାଥୀର ଇଚ୍ଛା ପ୍ରାଚୀନ ମନ୍ଦିର ସବୁ ବୁଲି ଦେଖିବା ପାଇଁ-!’’

 

‘‘କିନ୍ତୁ ସେଥିପାଇଁ କଣ ଗାଡ଼ୀର ଅଭାବ ହୋଇଥାନ୍ତା ?’’

 

ଟିକୀ ଉତ୍ତର ଦେଲେ...‘‘ଆପଣଙ୍କର ୧୯୩୮ ମଡ଼େଲର ସେଇ ମନୋଗ୍ରାମ ଅଙ୍କା ଅଷ୍ଟିନ୍ ଗାଡ଼ୀରେ ଆମେ ବାହାରିଥିଲେ ରାସ୍ତା ଦୁଇ ପାଖରେ ଲୋକେ ଭିଡ଼ ବାନ୍ଧନ୍ତେ, ଭିଣ୍ଟେଜ୍ ମୋଟର ରେସ୍ ଆରମ୍ଭ ହୋଇଛି ବୋଲି !’’...ଗାଡ଼ୀଟା ପ୍ରକୃତରେ ବହୁତ ପୁରୁଣା ହୋଇ ଗଲାଣି ! ତଥାପି ତାର ଇଞ୍ଜିନ୍ ରହିଛି ଅତୁଟ !

 

ଇନ୍ଦ୍ରମାଧବଙ୍କର ମନେ ପଡ଼ିଗଲା, ରୁଦ୍ରମାଧବଙ୍କୁ ସେ ଏ ପର୍ଯ୍ୟନ୍ତ ଔପଚରିକ ରୀତିରେ ଡୋରାଥୀ ସହିତ ପରିଚିତ କରାଇ ଦେଇ ନାହାନ୍ତି । ...‘‘ଆରେ ଏ ପର୍ଯ୍ୟନ୍ତ ଡାଡ଼୍‌ଙ୍କ ସହିତ ତମର ପରିଚୟ ହେଲା ନାହିଁ ଯେ ! ହିଜ୍ ହାଇନେସ୍ ଅଫ୍ କାଞ୍ଚନଗଡ଼ ! ଏକ ଆର୍କିଓଲଜିକାଲ ମନୁମେଣ୍ଟ-!’’

 

‘‘ହାଉ ଡ଼ୁ ୟୁଡ଼୍’’ ଡୋରାଥୀ କରମର୍ଦ୍ଦନକଲା ରୁଦ୍ରମାଧବଙ୍କର ।

 

ପୁତ୍ରବଧୂଠାରୁ ଏପରି ନିଃସଙ୍କୋଚ, ସମ୍ଭ୍ରମହୀନ ଆଚରଣ ଥିଲା, ରୁଦ୍ରମାଧବଙ୍କର କଳ୍ପନାର ବାହାରେ । ଡୋରାଥୀ ପାଦ ଛୁଇଁ ପ୍ରଣାମ ନକରୁ ପଛେ, ଅନ୍ତତଃ ପ୍ରଣାମର ଅଭିନୟ ତ କରିପାରିଥାନ୍ତା !

 

ରୁଦ୍ରମାଧବ ମନେ ମନେ ଘୋର ଆହତ ହେଲେ ଏଇ ଚପଳ ଉଚ୍ଛୃଙ୍ଖଳତାରେ । ପ୍ରଚ୍ଛନ୍ନ ବିରକ୍ତି ଚାପି, ରୁଦ୍ରମାଧବ କହିଲେ...‘‘ଏ କି ଅଦ୍‌ଭୂତ ଚେହେରା ହୋଇଛି ତମମାନଙ୍କର ! ଏ ବଂଶର ବରବଧୂ କେବେ ଏପରି ବେଶରେ, ଏଇ ରାଜବାଡ଼ୀରେ ପହଞ୍ଚିବେ; ଏହା ଥିଲା ମୋର କଳ୍ପନାର ବାହାରେ !’’

 

ଟିକୀ ବୁଝିବାରେ ଅସୁବିଧା ରହିଲା ନାହିଁ—ରୁଦ୍ରମାଧବଙ୍କର ପରମ୍ପରାବଦ୍ଧ ଏଇ ସଂସାରରେ, ଏପରି ଖିଆଲୀ, ବେପରୁଆ ଭାବରେ ଅନୁପ୍ରବେଶ କରିବା, ସେମାନଙ୍କ ପକ୍ଷରେ ଉଚିତ ହୋଇନାହିଁ । ସେ କୈଫିୟତ୍ ଦେଲା–‘‘ଆମେ ଗୋଟାଏ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା କଥା; ପହଞ୍ଚିଲୁ । ସେଥିରେ ଏତେ ଫର୍ମାଲିଟୀ କଣ ?’’

 

‘‘କିନ୍ତୁ ଇଏ ଯେ ରାଜବାଡ଼ୀ–ଏହାର ଗୋଟାଏ ପରମ୍ପରା, ଗୋଟାଏ କୁଳମର୍ଯ୍ୟାଦା ଅଛି-!’’

 

‘‘ହାଃ’’ ...ଟିକୀ ହସି ଉଡ଼ାଇଦେଲେ ଯେପରି, ରୁଦ୍ରମାଧବଙ୍କର ପ୍ରତିବାଦ !

 

କିନ୍ତୁ ରୁଦ୍ରମାଧବ ଯେ କେବେ ଏପରି ଅବକ୍ଷୟର ସମ୍ମୁଖୀନ ହେବେ, ଏହା କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ଟିକୀ ଓ ଡୋରାଥୀ ମଧ୍ୟ ଭାବି ନଥିଲେ, ସେମାନେ ମୁକାବିଲା କରିବେ, ଏପରି ଏକ ଜୀବନ୍ତ ପ୍ରତ୍ନତାତ୍ତ୍ୱିକ ଅବଶେଷର !

 

ରୁଦ୍ରମାଧବ ଥିଲେ ଯଦି ଭାରତୀୟ ରକ୍ଷଣଶୀଳ ପରମ୍ପରାର ପ୍ରତିନିଧି, ଟିକୀ ଓ ଡୋରାଥୀ ଥିଲେ ପାଶ୍ଚାତ୍ୟ ଅବକ୍ଷୟର ସଙ୍କେତ ।

 

ରୁଦ୍ରମାଧବ କହିଲେ...‘‘ଏମାନଙ୍କୁ ଉପରକୁ ଘେନିଯାଅ ଦୟାନିଧୀ ! ଋତାର ବେଡ଼ରୁମ୍ ପାଖ ଘରେ, ଏମାନଙ୍କ ପାଇଁ ବ୍ୟବସ୍ଥା ହୋଇରହିଛି । ଟେଲିଗ୍ରାମ୍ ପାଇବା ଦିନୁ ।’’

 

ଡୋରାଥୀ ଇତି ମଧ୍ୟରେ ତନ୍ନ ତନ୍ନ କରି ବୁଲି ଦେଖୁଥିଲା, ରୁଦ୍ରମାଧବଙ୍କ ବୈଠକଖାନା...ଅଯତ୍ନବନ୍ୟସ୍ତ ଏକ ମ୍ୟୁଜିଅମ୍ ! କୀଟଦଂଷ୍ଟ ବାଘମୁଣ୍ଡ, ହାତୀଦାନ୍ତ ବ୍ରାକେଟ୍ ଭିତରେ ପାରଦଛଡ଼ା ଅଇନା, ହରିଣ ଶିଂଙ୍ଗ ହଳଦିଆ, ଫିକା ପଡ଼ି ଆସିଥିବା, ଜିନ୍‌ଖାନା କ୍ଲବରେ ଏକଦା କେଉଁ ଡିନରପାର୍ଟିର ଫଟୋଗ୍ରାଫ୍, ଧୂସର ଅଏଲପେଣ୍ଟିଙ୍ଗ୍, ଏପରିକି ସମ୍ରାଟ ପଞ୍ଚମ ଜର୍ଜଙ୍କର ଗୋଟାଏ ପ୍ରତିକୃତି, ଗୋଟାଏ ରାକ୍‌ରେ ବିଭିନ୍ନ ଆକାର ଓ ପ୍ରକାରର ଓ୍ୱାକିଙ୍ଗ୍ ଷ୍ଟିକ୍ ଠାରୁ ଆରମ୍ଭ କରି, ଧୂଳି ଅଳନ୍ଧୁରା ଆଲ୍‌ମାରୀ ମାନଙ୍କରେ ଥାକ ଥାକ ପୁରୁଣା ବହି, ଭିକ୍ଟୋରିଆନ୍ ଯୁଗର ଗୁଡ଼ାଏ ଫର୍ଣ୍ଣିଚର୍...ଗୋଟାଏ ବିସ୍ମୃତ ଅତୀତ, ଯେପରି ବସା ବାନ୍ଧିଥିଲା, ସେଇ ହଲ୍‌ ଘର ଭିତରେ ।

 

ହଲ୍ ଘରର ଗୋଟାଏ କୋଣରେ, ସେଇ ସ୍ତୂପୀକୃତ ଜଂଜାଳ ଭିତରେ ପଡ଼ିଥିଲା, ଋତୁପର୍ଣା ପାଇଁ କେବେକାର କିଣା ଗୋଟାଏ ପିଆନୋ ।

 

ଡୋରାଥୀର ଅଙ୍ଗୁଳି ସ୍ପର୍ଶରେ ସେଇ ନିର୍ବେଦଗ୍ରସ୍ତ ପରିବେଶ, ପିଆନୋର ଅନ୍ୟମନଷ୍କ ଝଙ୍କାରରେ, ହଠାତ୍ ଯେପରି ଉସ୍ମଶଯ୍ୟା ଛାଡ଼ି ଚେଇଁ ଉଠିଲା ।

 

ଡୋରାଥୀ ମନକୁ ମନ କହିଲା...‘‘ଲଭ୍‌ଲୀ’’ !

 

ଇତିମଧ୍ୟରେ ଛାମୁଁ କରଣଙ୍କ ଡକାହକାରେ, ରୁଦ୍ରମାଧବଙ୍କ ମନୋଗ୍ରାମ୍ ଅଙ୍କିତ ଗୋଟାଏ ରୂପାଟୀ ସେଟ୍‌ରେ, ସାଧୁ ଆଣି ରଖି ଦେଇ ଯାଇଥିଲା, ଟୀପଟ୍, କପ୍ ଆଉ ଚା’ ସରଞ୍ଜାମ ।

 

ସେଟୀ ଉପରେ ବସି, ଡୋରାଥୀ ଚା’ ତିଆରି ପାଇଁ ସିଲଭର୍ ର୍ଟିପଟ୍‌ ଟା ଧରୁ ଧରୁ ଚିତ୍କାର କରି ଉଠିଲା...‘‘oh ! my ! my !’’

 

ଟିକୀ କହିଲେ...‘‘ରୁମାଲ୍ ଟା ହାତରେ ଗୁଡ଼ାଇ ଟି’ପଟ୍‌ଟା ଧର ଡୋରାଥୀ ।’’

 

ଡୋରାଥୀ ହାତଟା ଫୁଙ୍କି ଫୁଙ୍କି କହିଲା...‘‘ଏ ପଟ୍‌ରୁ ସେମାନେ ଲିକର୍ ଢାଳନ୍ତି କିପରି-?’’

 

ଟିକୀ ଉତ୍ତର ଦେଲା...‘‘ଯେଉଁମାନେ ଏ ପଟରୁ ଲିକର୍ ଢାଳି ଚା’ ତିଆରି କରୁଥିଲେ, ସେମାନେ ହାତରେ ପିନ୍ଧୁଥିଲେ ଗ୍ଲୋଭସ୍ । ମାତ୍ର ଗ୍ଲୋଭସ୍‌ପିନ୍ଧା ସେ ଖାନ୍‌ସମା ମାନେ ଆଉ ତ ନାହାନ୍ତି !’’

 

‘‘ତାହେଲେ ପୁଣି ଆଉ ଏ ସିଲ୍‌ଭର୍ ଟୀ–ସେଟ୍ କାହିଁକି ? ଗୋଟାଏ ପୋର୍ସିଲେନ୍ ସେଟ୍ ହେଲେ ତ ଚଳନ୍ତା ।’’

 

ମାତ୍ର ଟିକୀ ବା କି ଉତ୍ତର ଦେବେ, ଏ ପ୍ରଶ୍ନର ?

 

ଉତ୍ତରଟା ଅଟକି ଯାଇଥିଲା ତା ଜିଭରେ...ପୋର୍ସିଲେନ୍ ଭାରୀ ଭଙ୍ଗୁର ! ସିଲ୍‌ଭର୍ ସେଟ୍ ଅଚଳାୟତନ !

 

ଟିକୀ ଚା’ କପ୍‌ରେ ଚୁମୁକ୍ ଦେଉ ଦେଉ ଭାବୁଥିଲେ, ସେଇ ଅପ୍ରୀତିକର କଥାଟା କୁଆଡ଼ୁ କିପରି ଆରମ୍ଭ କରାଯାଇ ପାରିବ ! ହାତରେ ତ ସମୟ ନାହିଁ । ଏ ଅଣନିଃଶ୍ୱାସୀ ପରିବେଶ ଭିତରୁ ଗୋଟାଏ ଦିନରେ ବାହାରି ପଡ଼ିଲେ ଭଲ !

 

ସେ ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇ କହିଲେ...‘‘ଆମେ ଏଠି ରହିବୁ ମାତ୍ର ଗୋଟାଏ ଦିନ । ପ୍ରାଚୀନ ମନ୍ଦିର, ଦେବମୂର୍ତ୍ତି ଦେଖିବା ଆଉ ଫଟୋ ଉଠାଇବାରେ ଡୋରାଥୀର ଭାରୀ ସଉକ୍ ! ସେମାନଙ୍କର ଐଶ୍ୱର୍ଯ୍ୟ ଅଛି, ପ୍ରାଚୁର୍ଯ୍ୟ ଅଛି, ଶକ୍ତି ଅଛି–ମାତ୍ର ନାହିଁ ଇତିହାସ ! ସେଥିପାଇଁ ପୁରୁଣା ମାଟି ଖପରା ଖଣ୍ଡେ ସୁଦ୍ଧା, ସେମାନଙ୍କ ପକ୍ଷରେ ଅତି ମୂଲ୍ୟବାନ୍ ! ଡୋରାଥୀର ପ୍ରୋଗ୍ରାମ୍, ଗୋଟାଏ ସପ୍ତାହ ଭିତରେ, ସେ ବୁଲି ଦେଖିବ ଏଇ ଦେଶ ! ସେଥିପାଇଁ...କିନ୍ତୁ ତା ପୂର୍ବରୁ !’’

 

କଥା ଅଟକି ଗଲା । ସମ୍ପତ୍ତି ଭାଗ କଥାଟା କିପରି ଉଠାଇବେ, ଟିକୀ ସ୍ଥିର କରି ପାରୁ ନଥିଲେ ।

 

ରୁଦ୍ରମାଧବ ହୁକାରୁ ଧୂଆଁ ଛାଡ଼ି, କାଶି କାଶି କହିଲେ...‘‘ଓଃ ! ସମ୍ପତ୍ତିରେ ତୁମ ଅଂଶ ବିକ୍ରୀ କଥାତ ! ତମ ସଲିସିଟର୍‌କୁ ମୁଁ ବୁଝାଇ ଦେଇଛି ସବୁ କଥା । ତାର ପୁନରାବୃତ୍ତି କରି ଲାଭ ନାହିଁ ।’’

 

‘‘ଜାଣିଚି ସେ କଥା’’ ଟିକୀ ଅସହିଷ୍ଣୁ କଣ୍ଠରେ ଉତ୍ତର ଦେଲେ...‘‘ଲକ୍ଷ୍ମୀନାରାୟଣ ଏକ ଚମତ୍କାର ଫେଆରୀଟେଲ୍‌ର ! ସେ ପରି ଫେଆରୀଟେଲରେ ଆପଣ ଭୁଲି ରହିପାରନ୍ତି ! କିନ୍ତୁ ଏଇ ପିତୃପିତାମହ ଅର୍ଜିତ ସମ୍ପତ୍ତିରେ ମୋର ଯେ ଗୋଟାଏ ନିର୍ଦ୍ଦିଷ୍ଟ ଅଂଶ ଅଛି, ତାକୁ ମୁଁ ଭୁଲିବି କିପରି-?’’

 

ରୁଦ୍ରମାଧବ ଉତ୍ତର ଦେଲେ...‘‘ସମ୍ପତ୍ତି ତ ଲକ୍ଷ୍ମୀନାରାୟଣଙ୍କର । ଏ ବଂଶର ଉତ୍ତରାଧିକାରୀ ରୂପେ, ତୁମର ଅଂଶର ଇଉସୁଫ୍ରକ୍‌ଟ, ଉପାର୍ଜନ, ତୁମ ଆକାଉଣ୍ଟରେ ରିଜର୍ଭବାଙ୍କ୍ ରେ ନିୟମିତ ଭାବରେ ଜମା ରହୁଛି । ଆଉ ତମର ଆପତ୍ତି କରିବାର କଣ ଅଛି ?’’

 

ଆୟ ବା କଣ ? ଚିକନ୍‌ଫିଡ଼୍ ! ଟିକୀର ଯୋଜନା, ତାର ଅଂଶ ବିକ୍ରୀ କରିଦେଲେ ଯେଉଁ କେତେ ଲକ୍ଷ ଟଙ୍କା ମିଳିବ, ତାହା ହେବ ତାର ବ୍ୟବସାୟର ପୁଞ୍ଜି ! ଗୋଟାଏ କାସିନୋ–ଜୁଆ ଆଡ଼ା–ଖୋଲିବା ପାଇଁ ଡୋରାଥୀର ପ୍ରସ୍ତାବ । ଡୋରାଥୀର ଗୋଟାଏ ସିକ୍‌ସଥ୍ ସେନସ୍ ଅଛି-। ସେ କେବଳ ସେକସ୍ ନୁହେଁ ! କିପରି ଟଙ୍କା ଊପାର୍ଜନ କରାଯାଇ ପାରିବ, ତାର ଯୋଜନାରେ ମଧ୍ୟ ସେ ରୀତିମତ ଜିନିଅସ୍ ! କିନ୍ତୁ ସେଥିପାଇଁ ତ ପୁଞ୍ଜି ଦରକାର !

 

ଟିକୀ କହିଲେ...‘‘କିନ୍ତୁ ମୁଁ ଚାହେଁ ମୋର ଅଂଶ ବିକ୍ରୀ ପାଇଁ !’’

 

‘‘ଅସମ୍ଭବ’’...ଚିତ୍କାର କରି ଉଠିଲେ, ରୁଦ୍ରମାଧବ ।

 

ଟିକୀ ମଧ୍ୟ ନୀରବ ରହିଲେ । ଆଇନ୍ ତାର ରାସ୍ତା ଧରିବ ।

 

ଏଇ ବିତର୍କ, ବିସମ୍ୱାଦ ଭିତରେ, ଡୋରାଥୀ ଚା’ କପ୍‌ରେ ଚୁମୁକ୍ ଦେଇ, କୌତୁହଳୀ ଦୃଷ୍ଟିରେ ଚାହିଁ ଦେଖୁଥିଲା, ରୁଦ୍ରମାଧବଙ୍କ ହଲ୍ ଘରେ, ସ୍ତୁପୀକୃତ ଜଞ୍ଜାଳର ଚେହେରା । ପ୍ରାଚୀନର ଏକ ରଙ୍ଗ ଅଛି, ଚେହେରା ଅଛି । ବାସନା ମଧ୍ୟ ଅଛି । ଫାଇଭଷ୍ଟାର୍ ହୋଟେଲ୍, ସେଣ୍ଟ୍ରାଲୀ ଏଆରକଣ୍ଡିସନ୍‌ଡ଼୍ ଫ୍ଲାଟ୍ ମାନଙ୍କର ପଞ୍ଜୁରୀ ତୁଳନାରେ ଏଇ ମ୍ୟୁଜିଅମ୍, ଡୋରାଥୀକୁ ବେଶ୍ ଚମତ୍କାର ଲାଗୁଥିଲା । ମେହୋଗାନି କାଠ ବ୍ରାକେଟ୍‌ରେ ଦୁଇଟା ଲମ୍ୱା ହାତୀ ଦାନ୍ତ ଆଡ଼େ ଚାହିଁ, ଡୋରାଥୀ ସ୍ୱଗତୋକ୍ତି କରିବା ପରି କଣ୍ଠରେ କହିଲା ‘‘ଏ ହାତୀ ଦାନ୍ତ ଦୁଇଟା ଷ୍ଟେଟ୍‌ସ୍‌ରେ ବିକ୍ରୀ କଲେ, ମିଳନ୍ତା ଅନ୍ୟୁନ ଦୁଇ ହଜାର ଡଲାର !’’

 

ରୁଦ୍ରମାଧବ ଏ ଦର କଷାକଷିରେ ମନେ ମନେ କ୍ଷିପ୍ତ ହୋଇ ଉଠିଲେ । ହାତୀଦାନ୍ତ ଦୁଇଟା ବ୍ରାକେଟ୍‌ରେ ଅଛି କଣ ଷ୍ଟେଟ୍‌ସ୍‌ରେ ବିକ୍ରୀ ହେବାପାଇଁ ? ଏ ହତଭାଗାମାନେ ବୁଝନ୍ତି କେବଳ ମୂଲ୍ୟ, କିନ୍ତୁ ମୂଲ୍ୟବୋଧ ନୁହେଁ । ମୂଲ୍ୟବୋଧ ଦୃଷ୍ଟିରୁ ଏ ହାତୀଦାନ୍ତ ଦୁଇଟାର ମୂଲ୍ୟ ରୁଦ୍ରମାଧବଙ୍କ ପାଖରେ କେତେ ବେଶୀ ତା ହୁଏତ ଜାଣେନାଁ ଡେରୋଥୀ । କିନ୍ତୁ ତାକୁ ଆଘାତ ଦେଇ ଲାଭ କଣ ?

 

ସେ ଡୋରାଥୀକୁ ବରଂ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ, ଏ ହାତୀଦାନ୍ତ ଦୁଇଟାର ସୁଦ୍ଧା ଇତିହାସ ଅଛି–ଏକ ସ୍ୱର୍ଣ୍ଣଯୁଗର ଇତିହାସ, ଯାହାର ସ୍ମୃତି, ତାଙ୍କ ପକ୍ଷରେ ଅତି ମୂଲ୍ୟବାନ !

 

କେଉଁ ଗଡ଼ଜାତରୁ, କେକେ କେଉଁ ମହାରାଜାଙ୍କ ଗହଣରେ, ଶ୍ରୀକାନ୍ତ ଦେବ, ସେଇ ଦନ୍ତାହାତୀ ଶୀକାର କରିଥିଲେ, ତାର ଇତିବୃତ୍ତ ଆରମ୍ଭ କରିଥିଲେ ରୁଦ୍ରମାଧବ । କିନ୍ତୁ ଡୋରାଥୀ ସେଥିରେ ବାଧା ଦେଇ କହିଲା...‘‘ଇନ୍ଦର୍, ତମେ ମୋତେ ବରାବର କହିଥାଅ, ତମ ମନ୍ଦିରରେ କଳାମୁଗୁନି ପଥରରେ ତିଆରି ଏକ ପ୍ରାଚୀନ ଦେବମୂର୍ତ୍ତି କଥା ! କାହିଁ ଏ ପର୍ଯ୍ୟନ୍ତ ତ ଦେଖାଇଲ ନାହିଁ ମୋତେ ।’’

 

ରୁଦ୍ରମାଧବ, ହାତୀଦାନ୍ତ କିମ୍ୱଦନ୍ତୀ ଭୁଲି ଗଦ୍‌ଗଦ୍‌ କଣ୍ଠରେ କହିଲେ ...‘‘ନିଶ୍ଚୟ ! ନିଶ୍ଚୟ ! ଏ ବଂଶର କୁଳବଧୂମାନେ ଗୃହପ୍ରବେଶ ପୂର୍ବରୁ ପ୍ରଥମେ ଇଷ୍ଟଦେବ ଲକ୍ଷ୍ମୀନାରାୟଣଙ୍କୁ ଦର୍ଶନ କରିଥାନ୍ତି ! ଏ ସବୁତ ତାଙ୍କରି ପ୍ରସାଦ ମା !’’

ଡୋରାଥୀ କୁଳବଧୂ ରୂପେ ଲକ୍ଷ୍ମୀନାରାୟଣଙ୍କୁ ଦର୍ଶନ କରିଥିଲା, ଇନ୍ଦ୍ରମାଧବ–ଟିକୀ–ସହିତ । ଲକ୍ଷ୍ମୀଙ୍କ ସ୍ପର୍ଦ୍ଧିତ ସ୍ତନାଗ୍ର ଉପରେ ନାରାୟଣଙ୍କ ଲାଳିତ ଅଙ୍ଗୁଳି...ତାହା ହିଁ ତାର ଦୃଷ୍ଟି ଆକର୍ଷଣ କରିଥିଲା ବେଶୀ ।

ଡୋରାଥୀ କହିଲା...‘‘ଏପରି ଇରୋଟିକ୍ ସ୍କଲ୍‌ପଚର୍ ଏ ପର୍ଯ୍ୟନ୍ତ ମୁଁ ଦେଖି ନଥିଲି ତ !’’

କି ଅପୂର୍ବ ଏହାର କାମୋଦ୍ଦୀପନା ?

ଯେ କୌଣସି ମ୍ୟୁଜିୟମ୍ ପକ୍ଷରେ ଏକ ଦୁର୍ଲ୍ଲଭ ବସ୍ତୁ ।

ଡେରାଥୀ ମୁଣ୍ଡରେ ଜୁଟିଥିଲା ଗୋଟାଏ ନୂଆ ମତଲପ୍‌ ତାର ସ୍ନାୟୁତନ୍ତ୍ରୀ ସବୁ ଉତ୍ତେଜିତ ହୋଇ ଉଠିଥିଲା ।

ଇନ୍ଦ୍ରମାଧବଙ୍କ ଆକ୍ଷିରେ ନିଦ ନାହିଁ ।

ମୁଣ୍ଡ ପାଖରେ, ହାତୀଦାନ୍ତ ଟି’ପୟ ଉପରେ ପିତ୍ତଳ–ଆସ୍‌ଟ୍ରେଟା ପୋଡ଼ା ସିଗାରେଟ୍‌ରେ ଭର୍ତ୍ତି ହୋଇଗଲାଣି । ତାରି ଭିତରୁ ଗୋଟାଏ ଅଧା ଜଳା ସିଗାରେଟ୍‌ରୁ ଧୂଆଁ ଉଠୁଛି କୁଣ୍ଡଳୀ ମୋଡ଼ି । ସେ ମନେ ମନେ ହିସାବ କରୁଛି, ତାର ଅଂଶର ମୂଲ୍ୟ...ଅନ୍ୟୂନ ପଚାଶ ହଜାର ଡଲାର, ଅଶୀହଜାର ମଧ୍ୟ ହୋଇପାରେ । ସେ ସ୍ୱପ୍ନ ଦେଖୁଛି, କେଉଁ ଦ୍ୱୀପରେ ନୋହିଲେ କାଠ ମାଣ୍ଡୁରେ, ଗୋଟାଏ କାସିନୋ...ତା ସହିତ ବାର୍ ଆଉ କାବାରେ । କାନାଡ଼ାରେ ପେପ୍‌ର ଟେକନାଲଜିଷ୍ଟ୍ ଚାକିରୀ ଅପେକ୍ଷା, ଇଏ ଆଉରି ଲାଭପ୍ରଦ । ଏଥିରେ ଚାକିରୀର ଦିହଘଷା ରୁଟୀନ୍ ନାହିଁ–ଏଥିରେ ଅଛି ପଦେ ପଦେ ଏକ୍‌ସାଇଟ୍‌ମେଣ୍ଟ୍ ! ସେ ଯେପରି ଶୁଣି ପାରୁଛି କାସିନୋରେ ଗରାଖ ମାନଙ୍କର ସୋଲ୍ଲାସ ଚିତ୍କାର–କାବାରେ ମ୍ୟୁଜିକ୍‌ର ତରଙ୍ଗ !

 

ବାଥ୍‌ରୁମ୍‌ରେ ଶାଓ୍ୱାର୍ ଫିଟିଛି, ଶ୍ରାବଣର ବର୍ଷା ପରି !

 

ଭାରି ଆରାମ, ଭାରୀ ପ୍ରୀତିପଦ ଲାଗୁଛି ଶାଓ୍ୱାର୍‌ର ଶଦ୍ଦ । ଶାଓ୍ୱାର୍‌ ତଳେ ଡୋରାଥୀ...ବାଥ୍‌ରୁମ୍‌ଟା ଭିତରୁ ବନ୍ଦ କରିବାର ପ୍ରୟୋଜନ, ଡୋରାଥୀ ଅନୁଭବ କରି ନାହିଁ । ଶାଓ୍ୱାର୍‌ର ସୁନେଲୀ ଝରଣା ଭିତରେ ଡୋରାଥୀ ଦିଶୁଛି ଭେନସ୍‌ର ମୂର୍ତ୍ତି ପରି !

 

ଶୋଇବା ପୂର୍ବରୁ ଡୋରାଥୀ ଶାଓ୍ୱାର୍ ଖୋଲି ଗାଧୋଇବାର, ଏକ ଲକ୍ଷାଣାର୍ଥ ଅଛି ! ଇନ୍ଦ୍ରମାଧବ ଜାଣନ୍ତି ।

 

ଇନ୍ଦ୍ରମାଧବ ଅଧାଜଳା, ସିଗାରେଟ୍‌ଟାକୁ ଜଳି ଜଳିପୋଡ଼ି ଦେବାକୁ ଛାଡ଼ିଦେଇ, ଆଉ ଖଣ୍ଡେ ସିଗାରେଟ୍‌ରେ ନିଆଁ ଲଗାଇଲେ ।

 

ଡୋରାଥୀ କିଛି ସମୟ ପରେ,ତାର ଉଲ୍ଲଙ୍ଗିନୀ ଚେହେରା ଉପରେ ଖଣ୍ଡେ ତଉଲିଆ ଘୋଡ଼େଇ ହୋଇ ବେଡ଼୍‌ରୁମ୍ ଭିତରକୁ ପଶି ଆସିଲା । ତା ଦେହରେ ଗୋଟାଏ ଅତି ପରିଚିତ ସେଣ୍ଟ୍...ଯାହାର ଅର୍ଥ ଇନ୍ଦ୍ରମାଧବ ନିକଟରେ ଅତି ସ୍ପଷ୍ଟ !

 

କିନ୍ତୁ କେଉଥିପାଇଁ ଏ ପ୍ରସ୍ତୁତି ?

 

ଇନ୍ଦ୍ରମାଧବଙ୍କୁ ପୁରାପୁରି କରାୟତ୍ତ କରିବାକୁ ନିଶ୍ଚୟ ।

 

ଡୋରାଥୀ ତଉଲିଆଟା ଫିଙ୍ଗି ଇନ୍ଦ୍ରମାଧବର ଲୋମଶ ଛାତି ଉପରେ ଲୋଟି ପଡ଼ିଲା !

 

ରାମଶରଣ ଫାଟକ ଘଣ୍ଟା ଦୁଇଥର ପିଟିଲା । ରାତିଟା ଯେପରି ବିଳିବିଳେଇ ଉଠିଲା ।

 

ଡୋରାଥୀ କହିଲା...‘‘ଭେରୀ ସୁଇଟ୍ !’’ ନିଶୁତି ରାତିରେ ସମୟର ଏଇ ନିଦୁଆଳୀ ଘୋଷଣା !

 

ଇନ୍ଦ୍ରମାଧବ ସିଗାରେଟ୍‌ରେ ଗୋଟାଏ ଶେଷଟାଣ ଦେଇ; କଡ଼ବୁଲାଇ ଶୋଇବାର ଉପକ୍ରମ କରୁଥିଲା । ଡୋରାଥୀ ତାର ଲୋମଶ ଛାତି ଉପରେ ବାଁ ଗାଲ ଚାପି, ଜଡ଼ିତ କଣ୍ଠରେ ଡାକିଲା... ଇନ୍ଦର୍ ।

 

ଇନ୍ଦ୍ରମାଧବ ଡୋରାଥୀର ମୁଣ୍ଡବାଳ ଭିତରେ ଅଙ୍ଗୁଳି ଚଳାଇ କହିଲେ...‘‘ୟେସ୍ ହନି !’’

 

ଡୋରାଥୀ ପଚାରିଲା...‘‘ତମର ଅଂଶ ଏଇ ସମ୍ପତ୍ତିରେ ବିକ୍ରୀ କରି କେତେ ପାଇଥାନ୍ତ ତମେ ?’’

 

ଇନ୍ଦ୍ରମାଧବ ଉତ୍ତର ଦେଲା...‘‘ପଚାଶ, ଷାଠିଏ ହଜାର ଡଲାର, ଯଦି ଉଚିତ ଦାମ୍ ମିଳନ୍ତା !’’

 

‘‘କିନ୍ତୁ ଜାଣିଚ, ସେଇ ମୂର୍ତ୍ତିଟାକୁ ହରଣଚାଳ କରିପାରିଲେ, ଷ୍ଟେଟ୍‌ସ୍‌ରେ ଅକ୍ଳେଶରେ ମିଳିପାରନ୍ତା ପାଞ୍ଚଲକ୍ଷ ଡଲାର ! ତମ ଲୋକେ କହୁଛନ୍ତି, ଏ ପାଲିସକୁ ଯେକୌଣସି ଦିନ ଭାଙ୍ଗିଦେବେ ସିଟୀ ଇମ୍ପ୍ରୂଭମେଣ୍ଟ୍–ଟ୍ରଷ୍ଟ ! ତାପରେ ମୂର୍ତ୍ତିଟା ପଡ଼ିରହିବ ରାସ୍ତାକଡ଼ର କୌଣସି ଗଛ ମୂଳେ...ଏତେ ଚମତ୍କାର ଇରୋଟିକ୍ ମୂର୍ତ୍ତି !’’

 

କିନ୍ତୁ ଇଏ ଯେ ଏ ବଂଶର ଇଷ୍ଟଦେବତା ! ଇନ୍ଦ୍ରମାଧବର ଯେତେ ଗୁଣାତ୍ମକ, ପରିବେଶଗତ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା, ତାର ଅବଚେତନରେ ଲକ୍ଷ୍ମୀନାରାୟଣଙ୍କ ପ୍ରତିଷ୍ଠା ତଥାପି ଅନାହତ । ସେ ଆର୍ତ୍ତନାଦ କରିବା ପରି କଣ୍ଠରେ କହିଲା...‘‘କିନ୍ତୁ ସେ ମୂର୍ତ୍ତି ଯେ ଆମ ବଂଶର ଇଷ୍ଟଦେବତା ।’’

 

‘‘ହ୍ୱାଟ୍ ରବିଶ୍ !’’

 

‘‘ରବିଶ୍ ନୁହେଁ ଡୋରାଥୀ । ତା’ପଛରେ ଅଛି ଆମ ବଂଶର ଇତିହାସ ! ଡାଡ଼ୀ ବଞ୍ଚିଥିବା ପର୍ଯ୍ୟନ୍ତ ସେ କଥା ଅସମ୍ଭବ !’’

 

ଡୋରାଥୀ ଲାଇଟର୍‌ରେ ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇ କହିଲା...‘‘ମାତ୍ର ତମ ବଂଶର ଇଷ୍ଟଦେବତା, ରାସ୍ତାଧାରରେ କେଉଁଠି ଗଛ ମୂଳେ ପଡ଼ିରହିଲେ, କଣ ଇଷ୍ଟଦେବତାଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବ ? ତା’ ଅପେକ୍ଷା ମୂର୍ତ୍ତିଟି କୌଣସି ମ୍ୟୁଜିଅମ୍‌ରେ ରହିପାରିଲେ ତମ ବଂଶର ଇତିହାସ ଅନ୍ତତଃ ସୁରକ୍ଷିତ ହେବ ! ଲାଭ ବି ହେବ ବେଶ୍ କିଛି !’’

 

ଲାଇଟ୍‌ର ଆଲୋକରେ ଡୋରାଥୀ ମୁହଁର ରେଖାସବୁ କଠୋର ଦେଖାଯାଉଥିଲା । ସେ ଯେପରି ପହଞ୍ଚି ସାରିଥିଲା, ଏକ ଅଲଂଘନୀୟ ମୁହୂର୍ତ୍ତରେ; ତାକୁ ବାଧା ଦେବାର ଶକ୍ତି ଇନ୍ଦ୍ରମାଧବର ଆଉ ନଥିଲା । ତଥାପି ପ୍ରତିରୋଧ ନକରି ନୀରବ ରହିଯିବା ତାର ସଂସ୍କାର ମୂଳରେ ଯେପରି କୁଠାରାଘାତ କରୁଥିଲା ।

 

ଇନ୍ଦ୍ରମାଧବ କହିଲେ...‘‘ଡୋରାଥୀ, ତୁମ ପକ୍ଷରେ ସେ ମୂର୍ତ୍ତିଟା କେବଳ ଗୋଟାଏ ଇରୋଟିକ୍ ମୂର୍ତ୍ତି ହୋଇପାରେ । କିନ୍ତୁ ଡାଡ଼ୀଙ୍କ ଦୃଷ୍ଟିରେ ତାହା ଗୋଟାଏ ମୂଲ୍ୟବୋଧର ପ୍ରତୀକ । ତାଙ୍କର ପରିଚିତ ପୃଥିବୀର କେନ୍ଦ୍ରବିନ୍ଦୁ ! ଆମେ ସିନା ସବୁ କଥାର ମୂଲ୍ୟଟାଇ ପ୍ରଥମେ ବୁଝୁ–କିନ୍ତୁ ଏମାନେ ବୁଝନ୍ତି ମୂଲ୍ୟବୋଧ ! ମୂଲ୍ୟ ଦୃଷ୍ଟିରୁ ଏ ମୂର୍ତ୍ତିର ଦାମ୍ ତୁମ ପାଖରେ ପାଞ୍ଚ ଲକ୍ଷ ଡଲାର ହୋଇପାରେ, କିନ୍ତୁ ମୂଲ୍ୟବୋଧ ଦୃଷ୍ଟିରୁ ଡାଡ଼ୀଙ୍କ ଦୃଷ୍ଟିରୁ ଏହାର କଳନା ନାହିଁ ।’’

 

କୌଣସି ପ୍ରାଚୀନ ମୂର୍ତ୍ତି, ବିଶେଷତଃ ଇରୋଟିକ୍ ମୂର୍ତ୍ତି ଦେଖିଲେଇ ତାକୁ ହରଣଚାଳ କରିବା ପାଇଁ, ଡୋରାଥୀ ରକ୍ତର ପ୍ରତ୍ୟେକ ବିନ୍ଦୁ ଯେପରି ଟଗମଗ ହୋଇଉଠେ, ପ୍ରତ୍ୟେକ ସ୍ନାୟୁତନ୍ତ୍ରୀ ଉତ୍ତେଜିତ ହୋଇ ଉଠେ ।

 

ଡୋରାଥୀ ଜଳନ୍ତା ସିଗାରେଟ୍‌ଟା ଆମ୍ ଟ୍ରେ ଭିତରେ, ଦଳି ନିଭାଇ ଦେଇ କହିଲା...‘‘ସବୁ ଭାଲ୍ୟୁ, ମୂଲ୍ୟବୋଧ, ଲୋଅର୍ ମିଡ଼୍‌ଲ୍‌କ୍ଲାସ୍ ସେଣ୍ଟିମେଣ୍ଟ୍ ! ଉଠ, ଆସ ମୋ ସାଙ୍ଗରେ । ତମର ସେ ବୁଢ଼ା ଦରଓ୍ୱାନ୍‌ଟା ତା ଭଙ୍ଗା କୁଡ଼ିଆରେ ଏତେବେଳକୁ ଙ୍ଘୁଘୁଡ଼ି ମାରୁଥିବ ।’’

 

ବାହାରେ, ରାତିର ଗୋଟାଏ ପକ୍ଷୀ ଚିତ୍କାର କରି ଉଠିଲା ।

 

ଗୋଟାଏ ତୀକ୍ଷ୍ଣ ଚିତ୍କାର...ରାତିର ଶାନ୍ତ ସ୍ତବ୍‌ଧତା ଯେପରି ବିଦୀର୍ଣ ହୋଇ ଉଠିଲା ।

 

ଇନ୍ଦ୍ରମାଧବ ଓ ଡୋରାଥୀ ସେଇ ତୀକ୍ଷ୍ଣ ଚିତ୍କାରରେ ଚମକି ଉଠିଲେ । କୌଣସି ପକ୍ଷୀର ଏପରି ଆର୍ତ୍ତ ଚିତ୍କାର ଇନ୍ଦ୍ରମାଧବ କେବେ ଶୁଣିବା ପରି, ସ୍ମରଣ କରି ପାରୁ ନଥିଲେ ।

 

ଇନ୍ଦ୍ରମାଧବ ପଚାରିଲା...‘‘ଏଇଟା କି ପକ୍ଷୀ’’ ?

 

ବାଜେ ରୋମାଣ୍ଟିସିଜମ୍ ପାଇଁ, ଡୋରାଥୀର ସମୟ ନାହିଁ । ଡୋରାଥୀ କହିଲା...‘‘ଟର୍ଚ୍ଚ୍‍ଟା ସାଙ୍ଗରେ ଧରିଥାଅ ।

 

ତା’ ପରଦିନ ସକାଳ ।

 

କାନ୍ଥ ଘଣ୍ଟାରେ ନ’ଟା ବାଜି ଗଲାଣି ।

 

ଏତେ ବେଳକୁ ପ୍ରତ୍ୟହ, ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ରୁଦ୍ରମାଧବଙ୍କର ଦେବାର୍ଚ୍ଚନ ଶେଷ ହୋଇଥାଏ । ମାତ୍ର ଆଜି ବିଳମ୍ବ ହେଉଛି କାହିଁକି, କେଜାଣି ? ମନ୍ଦରକୁ ପାଛୋଟି ନେବା ପାଇଁ, ପୁରୋହିତ ବା ଛାମୁଁ କରଣ କେହି ଆସି ନାହାନ୍ତି ।

 

ଇଏ ରୁଦ୍ରମାଧବଙ୍କର ଆଉ ଏକ ଚେହେରା । ପାଟ ମଠା ପିନ୍ଧି, ବେକରେ ରୁଦ୍ରାକ୍ଷମାଳ ପକାଇ, ହଲ୍ ଘର ଭିତରେ, ଅପେକ୍ଷା କରି ବସି ରହିଛନ୍ତି, ରୁଦ୍ରମାଧବ । ପ୍ରତ୍ୟହ ଏହାର ଅନେକ ପୂର୍ବରୁ, ଆର୍ଶୀବାଦୀ ଶ୍ଲୋକ ବୋଲି, ହଲ୍ ଘର ଭିତରକୁ ଆସିଥାନ୍ତି, ରୁଦ୍ରମାଧବଙ୍କ କୁଳପୁରୋହିତ-। ଆଜି କଣ ହେଲା କେଜାଣି ?

 

ସାଇଟିକା ପୀଡ଼ା ସତ୍ତ୍ୱେ, ଉତ୍ତେଜିତ ଭାବରେ ଡିଭାନ୍ ଉପରୁ ଉଠିପଡ଼ି, ରୁଦ୍ରମାଧବ ଡାକିଲେ...‘‘ଦୟାନିଧି, ରାମଶରଣ, ସାଧୁଆ’’ !

 

ମାତ୍ର ରାଜବାଡ଼ୀ ବରଫ ପରି ନୀରବ । ଶିଉଳୀବସା ସ୍ତବ୍‌ଧତା । କାହାରି ଠାରୁ ପ୍ରତ୍ୟୁତ୍ତର ନାହିଁ । ରୁଦ୍ରମାଧବଙ୍କ ଚିତ୍କାର ହଲ୍ ଘର ଭିତରେ ଅସହାୟ ଭାବରେ ମିଳାଇଗଲା ।

 

ରୁଦ୍ରମାଧବଙ୍କର ମନେ ପଡ଼ିଗଲା–ଦିନକାଳ ବଦଳି ଗଲାଣି । ପୁରୋହିତେ ଦେବାର୍ଚ୍ଚନ ପାଇଁ ଆସିବାରେ ଯଦି ବିଳମ୍ୱ କରନ୍ତି, ତା ହେଲେ ତାଙ୍କ ଉପରେ ଅକ୍ତିଆର କଣ ?

 

ରୁଦ୍ରମାଧବ ଓ୍ୱାକିଙ୍ଗ୍‌ ଷ୍ଟିକ୍ ଉପରେ ଦେହ ଭାରା ରଖି, ଧୀରେ ଧୀରେ ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ଆଡ଼େ ଆସିଲେ । ସବୁ ତ୍ରୂଟୀ ଉପେକ୍ଷା ସେ ସହ୍ୟ କରି ପାରନ୍ତି; କିନ୍ତୁ ଇଷ୍ଟଦେବ ଲକ୍ଷ୍ମୀନାରାୟଣଙ୍କ ସେବାପୂଜାରେ ଏ ଉପେକ୍ଷା, ସହ୍ୟସୀମାର ବାହାରେ ! ଆଜି ସ୍ପଷ୍ଟ ଭାବରେ କହିଦେବା ପାଇଁ ପଡ଼ିବ, ପୁରୋହିତଙ୍କ ମୁହଁ ଉପରେ !

 

ଉଆସର ଦକ୍ଷିଣ–ପଶ୍ଚିମ କୋଣରେ, ଏକ ନିର୍ଜନ ଉଦ୍ୟାନ ମଧ୍ୟରେ ଲକ୍ଷ୍ମୀନାରାୟଣଙ୍କ ମନ୍ଦିର । ଉଆସ ପରି ମନ୍ଦିରର ଅବସ୍ଥା ମଧ୍ୟ ଜରାଜୀର୍ଣ ।

 

ମନ୍ଦିର ବେଢ଼ା ଭିତରକୁ ପଶିବାବେଳେ, ରୁଦ୍ରମାଧବ ହଠାତ ଅଟକି ଠିଆ ହୋଇଗଲେ-। ଏ କଣ ? ବଉଳଗଛ ମୂଳେ, ଗଛକୁ ଆଉଜି, ପୁରୋହିତେ କାହିଁକି ଠିଆ ହୋଇଛନ୍ତି, ସ୍ତବ୍‌ଧ ପୁତ୍ତଳ ପରି ? ଦୟାନିଧି ମାଟିରେ ବସିଛି କାହିଁକି ମୁଣ୍ଡରେ ହାତ ଦେଇ ? ଅଦୂରରେ ରାମଶରଣ ଘାଘଡ଼ା କଣ୍ଠରେ ଶକୋଉଛି, ଯେପରି ପୁତ୍ରଶୋକରେ ।

 

ରୁଦ୍ରମାଧବଙ୍କୁ ସବୁ ଲାଗିଲା ଏକ ପ୍ରହେଳିକା ପରି ।

 

ଦେବାର୍ଚ୍ଚନ ଛାଡ଼ି, ଏମାନେ ସବୁ ଏଠି, ଏପରି ଅବସ୍ଥାରେ କାହିଁକି ?

 

ରୁଦ୍ରମାଧବ ମନ୍ଦିର ବେଢା ଭିତରକୁ ପଶିବା ମାତ୍ରେ, ଦୟାନିଧି ଚିତ୍କାର କରି ଉଠିଲା...‘‘ହଜୁର୍ ! ସର୍ବନାଶ !’’

 

‘‘କଣ ହେଲା ? ଆଜି କଣ ଦେବାର୍ଚ୍ଚନ ହେବ ନାହିଁ ?’’ ...ଉତ୍ତେଜିତ କଣ୍ଠରେ ପଚାରିଲେ, ରୁଦ୍ରମାଧବ ।

 

ପୁରୋହିତ ନୀରବ । ତାଙ୍କ କଣ୍ଠରେ ଭାଷା ନଥିଲା ।

 

ଦୟାନିଧି କହିଲେ...‘‘କାଲି ରାତିରେ ଠାକୁରଙ୍କୁ ମନ୍ଦିର ଭିତରୁ କିଏ ଚୋରୀ କରି ନେଇଛି !’’

 

ରୁଦ୍ରମାଧବଙ୍କ ପାଦତଳୁ ପରିଚିତ ପୃଥିବୀଟା କ୍ରମେ ଯେପରି ଫାଟି ଫାଟି ଯାଉଥିଲା । ତାଙ୍କ ପାଦ ଦୁଇଟା କମ୍ପିବା ପାଇଁ ଲାଗିଲା । ପ୍ରେସର୍‌ଟା ବଢ଼ିଗଲା ନିଶ୍ଚୟ !

 

ସେ ସ୍ୱଗତୋକ୍ତି କରିବା ପରି କଣ୍ଠରେ ପଚାରିଲେ...‘‘ଠାକୁର, ଶେଷକୁ ଚୋରୀ ହୋଇଗଲେ ? ରାମଶରଣ... ।

 

ରାମଶରଣ ପାଗଳ ପରି ଚିତ୍କାର କରି ଉଠିଲା...‘‘ହଜୁର ଏ ଟିକୀ ସାହେବଙ୍କ କାଣ୍ଡ ! ଟିକୀ ସାହେବ ଆଉ ତାଙ୍କ ମେମ୍ ରାତି ଅଧରେ ବାହାରି ଗଲେ, ସେମାନଙ୍କ ମୋଟର ଗାଡ଼ୀରେ ! ତାଙ୍କ ଛଡ଼ା ଆଉ କିଏ ନେଇଥିବ ?’’

 

ରାମଶରଣ, ଆଉରି କେତେ କଣ ବର୍ଣ୍ଣନା କରୁଥିଲା, ବିସ୍ତାବିକ ଭାବରେ–ମାତ୍ର ସେଥିପ୍ରତି କର୍ଣାପାତ କରିବା ପାଇଁ, ରୁଦ୍ରମାଧବଙ୍କର ପ୍ରବୃତ୍ତି ନଥିଲା । ବାଡ଼ୀ ଉପରେ ଭାରା ଦେଇ, ସେ ଧୀରେ ଧୀରେ ମନ୍ଦିର ପାହାଚ ଉପରେ ଉଠିଲେ ।

 

ଲକ୍ଷ୍ମୀନାରାୟଣଙ୍କ ସିଂହାସନ ଶୂନ୍ୟ !

 

ଅଖଣ୍ଡଦୀପ ତଥାପି ଜଳୁଛି ଶୂନ୍ୟ ସିଂହାସନ ତଳେ...ଅନ୍ତହୀନ ପ୍ରତୀକ୍ଷା ପରି !

 

କଣ ଦେଇ ସେ ପୂର୍ଣ୍ଣ କରିବେ ଏ ଶୂନ୍ୟତା ? ଦର୍ପରାୟଣଙ୍କ ବଂଶର ଇତିହାସ ଶେଷ ହୋଇଗଲା ! କିନ୍ତୁ ତା’ପରେ ?

 

ପାଗଳ ପରି ପ୍ରଳାପ କରୁ କରୁ, ବଜ୍ରାହତ ପରି ତଳେ ଲୋଟି ପଡ଼ିଲେ ରୁଦ୍ରମାଧବ...ଇଏ ତାଙ୍କର ଶେଷ ଷ୍ଟ୍ରୋକ୍ !

 

ରାଜବାଟୀ ବାହାରେ ଶୁଭୁଥିଲା, ସିଟୀ–ଇମ୍ପ୍ରୁଭ୍‌ମେଣ୍ଟ–ଟ୍ରଷ୍ଟ୍ ର ବୁଲ୍‌ଡ଼ୋଜର୍ ମାନଙ୍କର ଆଓ୍ୱାଜ !

 

ସୁପ୍ରୀମ୍‌କୋର୍ଟରେ ହାରିଥିଲେ ରୁଦ୍ରମାଧବ !

 

ଦୟାନିଧି ଚିତ୍କାର କରି ଉଠିଲେ...‘‘ହଜୁର, ଆସିଗଲେ ସେମାନେ !’’

 

କିନ୍ତୁ ଅବକ୍ଷୟର ଶେଷ ପଦଧ୍ୱନି ଶୁଣିବା ପାଇଁ, ରୁଦ୍ରମାଧବ ସେତେବେଳକୁ ଆଉ ଇହଲୋକରେ ନଥିଲେ !

 

ଶିବାନୀ

୧୯୭୬–୧୯୭୯

Image